ଚାରି କେଜି ରୁପା, ବାଇକ ସହ ଲୁଟେରା କୁ କାବୁ କଲା ପାଟପୁର ପୋଲିସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ପାଟପୁର ଥାନା ଅନ୍ତର୍ଗତପ୍ରତାପଗିରି ରେ ଜଣେ ରୁପା ବ୍ୟବସାୟୀଙ୍କ ଗାଡିରୁ ରୁପା ବ୍ୟାଗ ଚୋରି କରିଥିବା ଘଟଣା ରେ ଶୁକ୍ରବାର ପାଟପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ଜଣକ ହେଲେ ଆସିକା ଥାନା କାଳଷଣ୍ଡପୁର ଗ୍ରାମ ଷ୍ଟାଡିୟମ ସାହିର ଡି . ଶ୍ରୀନିବାସ ଓରଫ ବଂଶୀ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ନିକଟରୁ ଚୋରୀ ରୁପା ଅଳଙ୍କାର ସହ ବାଇକ ଜବତ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଅତିରିକ୍ତ ଏସପି ପ୍ରଦୀପ କୁମାର ଦଳାଇ ସୂଚନା ପ୍ରଦାନ କରିଛନ୍ତି । ସୂଚନା ପ୍ରକାରେ ଗତ ଅକ୍ଟୋବର ୧୮ ତାରିଖ ସକାଳ ୮ ଘଣ୍ଟା ସମୟରେ ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ଗ୍ରାମର ମୁରଲୀ ସାହୁ ନାମକ ରୁପା ବ୍ଯବସାୟୀ ନିଜ ବାଇକ ଯୋଗେ ଅଳଙ୍କାର ବିକ୍ରି କରିବା ପାଇଁ ନିକଟସ୍ଥ ଏସ ଗୋପାଳପୁର ପଞ୍ଚାୟତ ର ପ୍ରତାପଗିରି ଗ୍ରାମକୁ ଯିବା ସମୟରେ ଶ୍ରୀନିବାସ ଓ ତାର ଅନ୍ୟ ସହଯୋଗୀ ଚୋରି କରିବା ନିମନ୍ତେ ଯୋଜନା କରିଥିଲେ । ଏହାପରେ ସେମାନେ ଏକ ଗ୍ଲେମର ବାଇକ ( ଓଡି ୩୨ ଏ ୨୯୪୯) ଯୋଗେ ପିଛା କରିଥିଲେ । ବ୍ୟବସାୟ ଜଣକ ଉକ୍ତ ଗ୍ରାମରେ ପହଞ୍ଚି ନିଜ ବାଇକ ରଖି ଅଳଙ୍କାର କିଣିଥିବା ବ୍ୟକ୍ତିଙ୍କ ଘରକୁ କଥାବାର୍ତ୍ତା ନିମନ୍ତେ ଯାଇଥିଲେ । ଏହାର ସୁଯୋଗ ନେଇ ଦୁଇ ଲୁଟେରା ରୁପା ବ୍ୟାଗଟିକୁ ନେଇ ଦ୍ରୁତ ଗତିରେ ସେଠାରୁ ଚମ୍ପଟ ମାରିଥିଲେ । ଘଟଣାପରେ ମୁରଲୀ ପରଦିନ ପାଟପୁର ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ ତଦନ୍ତ ଚଳାଇଥିବା ବେଳେ ଆସିକା ଏସଡିପିଓ ଉମାଶଙ୍କର ସିଂ ଙ୍କ ନେତୃତ୍ୱରେ ଅପରାଧୀକୁ ଧରିବା ପାଇଁ ଆସିକା ଓ ପାଟପୁର ଥାନା ଅଧିକାରୀଙ୍କୁ ନେଇ ଦୁଇଟି ଟିମ୍ ଗଠନ କରାଯାଇଥିଲା । ଏହାପରେ ଦୁଇ ଥାନା ଅଧିକାରୀଙ୍କ ନେତୃତ୍ବରେ ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରୁଥିବା ବେଳେ ପୋଲିସ ସନ୍ଦେହ କରି ଶ୍ରୀନିବାସକୁ ଉଠାଇ ଆଣି ଜେରା କରିବା ପରେ ଅଭିଯୁକ୍ତ ଚୋରି କରିଥିବା ସ୍ବୀକାର କରିଥିଲା । ଏହାପରେ ଅଭିଯୁକ୍ତଙ୍କ ନିକଟରୁ ବିଭିନ୍ନ ପ୍ରକାରର ୧୨ ରୁପା ଖଡ଼ୁ ,୬୨, ପାଉଛି ୨୬୦ ଗୋଡ଼ ମୁଦି ,୪ଲକେଟ୍ , ୨ ଲକେଟ୍,୧୪ ଚେନ , ୫୭ ହାତମୁଦି , ୨ ବ୍ରେସଲେଟ , ରୁପା ପାଉଁଜି ସମେତ ବାଇକ ଜବତ କରିଛି । ପୋଲିସ ଅଭିଯୁକ୍ତ ଗିରଫ କରି ଥାନା ମାମଲା ନଂ ୩୪୮/୨୧ ରୁଜୁ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଏସ ଡି ପି ଶ୍ରୀ ଉମାଶଙ୍କର ସିଂ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ଉପସ୍ଥିତିରେ ଅତିରିକ୍ତ ଏସପି ପ୍ରଦୀପ କୁମାର ଦଳେଇ କହିଛନ୍ତି । ଚୋରୀ ଅଳଙ୍କାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ହେବ ବୋଲି ଜଣାପଡିଛି । ପୋଲିସ ଅନ୍ୟ ଅପରାଧୀଙ୍କୁ ଖୁବଶିଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି ।


