ଚାରି ବର୍ଷପରେ ପୁଣି ଏକାଠି ଆସୁଛନ୍ତି ଓଲିଉଡର ଏହି ଦୁଇ ନାମୀ ନାୟିକା
ଓଲିଉଡରେ ଗତ କିଛି ବର୍ଷ ଧରି ବେଶ୍ ଚର୍ଚ୍ଚାରେ ଅଛନ୍ତି ଦୁଇ ଜଣ ନାୟିକା । ଏ ଦୁହେଁ ଓଲିଉଡର ଟପ୍ ହିରୋ ଅନୁଭବ, ଅରିନ୍ଦମ ଓ ବାବୁସାନଙ୍କ ସାଥ୍ ବି ପାଇଛନ୍ତି । ଏ ଦୁହିଁଙ୍କୁ ନିୟମିତ ଫିଲ୍ମର ଅଫର ବି ମିଳୁଛି ଆଉ ସିନେମାରେ ବି ଦେଖିବାକୁ ପାଉଛନ୍ତି ସିନେପ୍ରେମୀ । ହେଲେ ଆପଣ ଜାଣନ୍ତି କି ଓଲିଉଡର ଏ ଦୁଇ ଆଗଧାଡ଼ିର ନାୟିକାଙ୍କୁ ପୁଣି ଏକାଠି ଦେଖିବାକୁ ମିଳିବ ପ୍ରାୟ ଚାରି ବର୍ଷପରେ । ଏଦୁହେଁ ଆଗରୁ କେବଳ ଗୋଟିଏ ସିନେମାରେ ଏକାଠି ନଜର ଆସିଛନ୍ତି ।
ଏଠାରେ ଯେଉଁ ଦୁଇ ନାୟିକାଙ୍କ କଥା କୁହାଯାଉଛି, ସେମାନେ ହେଲେ ଝିଲିକ୍ ଏବଂ ଏଲିନା ସାମନ୍ତରାୟ । ଏହି ଦୁଇ ହିଟ ନାୟିକା ପୁଣି ଏକାଠି କାମ କରିଛନ୍ତି । ସୀତାରାମ ଅଗ୍ରୱାଲ ଏହାର ପ୍ରଯୋଜକ ଏବଂ ସୁଶାନ୍ତ ମଣି ନିର୍ଦ୍ଦେଶକ । ଏ ଦୁହିଁଙ୍କ ଏଥର ପୂଜାରେ ଆସୁଛି ଓଡ଼ିଆ ସିନେମା, ଯାହାର ଟାଇଟଲ ହେଲା “ଦିସ ଇଜ ମାୟାରେ ବାୟା’? ଏହା ହେଉଛି ସାର୍ଥକ ଫିଲ୍ମସର ୨୮ତମ ଚଳଚ୍ଚତ୍ର । ଏହି ସିନେମାରେ ଦର୍ଶକ ପ୍ରଥମ ଥର ଦୁଇଟି ନୂଆ ଯୋଡ଼ିଙ୍କୁ ଦେଖିବାକୁ ମିଳିବ । ସେମାନେ ହେଲେ ସିଦ୍ଧାନ୍ତ ମହାପାତ୍ର- ଝିଲିକ୍ ଏବଂ ସ୍ୱରାଜ-ଏଲିନା ।
ଝିଲିକ୍ ଅବଶ୍ୟ ଏଲିନାଙ୍କ ଠାରୁ ଦୁଇ ବର୍ଷ ସିନିୟର, କାରଣ ଝିଲିକିଙ୍କ ପ୍ରଥମ ସିନେମା “ଟାର୍ଗେଟ’ ୨୦୧୩ରେ ରିଲିଜ୍ ହୋଇଥିଲା । ହେଲେ ଏଲିନା ୨୦୧୫ର ସିନେମା “ଇଶକ୍ ତୁ ହି ତୁ’ରେ ଡେବ୍ୟୁ କରିଥିଲେ । ସେ ଯାହା ହେଉ ନା କାହିଁକି ଝିଲିକ୍ ଓ ଏଲିନା ୨୦୧୫ରେ ରିଲିଜ୍ ହୋଇଥିବା ଫିଲ୍ମ “ଜଗା ହାତରେ ପଘା’ରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଥିଲେ ।