ଚାରୁପ୍ରଭା କଳାମନ୍ଦିରର ବାର୍ଷିକୋତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହର ଉପକଣ୍ଠ ସୋମନାଥୁର ସ୍ଥିତ ଚାରୁପ୍ରଭା କଳାମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠାନ ପରିସରରେ ଆୟୋଜିତ ହୋଇଯାଇଛ । ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ଶାନ୍ତନୁ କୁମାର ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ନୃତ୍ୟ, ସଙ୍ଗୀତ ଏବଂ କଳା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ ପାଇଁ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ହୋଇ ସାଧନା ଜାରି ରଖିବାକୁ ଡାକ୍ତର ଦାସ ପରାମର୍ଶ ଦେଇଥିଲେ । ବିଶିଷ୍ଟ ଚିତ୍ରକର ଡାଏନା ମହାପାତ୍ର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂସ୍କାରଯୁକ୍ତ ସମାଜ ନିର୍ମାଣରେ ନୃତ୍ୟ, ସଙ୍ଗୀତ ଓ କଳାର ଅବଦାନ ସମ୍ପର୍କରେ ଆଲେଚନା କରିଥିଲେ । ସଙ୍ଗୀତ, କଳା ଓ ସଂସ୍କୃତ କ୍ଷେତ୍ରରେ ବାଲେଶ୍ୱର ସର୍ବଦା ଆଗରେ ଥିବା ବେଳେ ଚାରୁପ୍ରଭା କଳାମନ୍ଦିରରୁ ଶିକ୍ଷାଲାଭ କରି ବହୁ ପ୍ରତିଭାବାନ ଛାତ୍ରଛାତ୍ରୀ ଜିଲା ତଥା ରାଜ୍ୟ ପାଇଁ ଗୌରବ ଅର୍ଜ୍ଜନ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ସ୍ଥାନୀୟ ସରପଞ୍ଚ ଟୁଟୁନ ଜେନା ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କଳାମନ୍ଦିରର ପ୍ରତିଷ୍ଠାତା ତଥା ଅଷ୍ଟ୍ରେଲିଆର ପ୍ରବାସୀ ଭାରତୀୟ ଗୋବିନ୍ଦ ଚନ୍ଦ୍ର ମିଶ୍ର ଏଥିରେ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସଙ୍ଗୀତ ପ୍ରତି ବିଶେଷ ରୁଚି ରଖିଥିବା ତାଙ୍କ ପିତା ଚାରୁଚନ୍ଦ୍ର ମିଶ୍ର ଓ ମାତା ପ୍ରଭାଦେବୀ ମିଶ୍ରଙ୍କ ସ୍ମୃତିରେ ଜନ୍ମମାଟିରେ ଏହ ଅନୁଷ୍ଠାନ ପ୍ରତିଷ୍ଠା କରିଥିବା ସେ କହିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ବେହେଲା ବାଦକ ଗୁରୁ ମନୋରଞ୍ଜନ ପଣ୍ଡା ଓ ଗିତାରାଣୀ ମିଶ୍ର, ତବଲା ବାଦକ ମାୟାଧର ମହାପାତ୍ର ଓ ଅଜିତାନନ୍ଦ ଦେବଗୋସ୍ୱାମୀଙ୍କ ସମେତ ଗୁରୁ ଅମିତ କୁମାର ପ୍ରଧାନ, ଗୁରୁ ଉମାକାନ୍ତ ସାହୁ, ଗୁରୁ କମଳାକାନ୍ତ ପାତ୍ର, ଗୁରୁ ତୃପ୍ତିମୟୀ ଖୁଣ୍ଟିଆ, ଗୁରୁ ଅମରେଶ ପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଳା ମନ୍ଦିରର ପ୍ରତିଷ୍ଠାତା ଶ୍ରୀ ମିଶ୍ରଙ୍କୁ ମଧ୍ୟ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ତବଲା ବାଦକ ଶ୍ରୀ ମହାପାତ୍ର ଏଥିରେ ସଂଯୋଜନା କରିଥିବା ବେଳେ ଭୂବନେଶ୍ୱରର ଅନିମା ମିଶ୍ର କାର୍ଯ୍ୟକ୍ରମ ପରିକଳ୍ପନା କରିଥିଲେ । ଶେଷରେ ତଦଲା ବାଦକ ଶ୍ରୀ ଦେବଗୋସ୍ୱାମୀ ସମସ୍ତଙ୍କୁ ଧନ୍ୟବାଦ ଅର୍ଣ କରିଥିଲେ । ଏହି ଅବସରରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ଡାଏନା ମହାପାତ୍ର ଉଦଘାଟନ କରିଥିଲେ । ସଭାପରେ ମିଶ୍ର ପରିବାରର କନ୍ୟା ସୁଶ୍ରୀ ମାଳତୀ ମିଶ୍ର ବଂଶୀ ଓ ଗୀତାରାଣୀ ମିଶ୍ର ବେହେଲା ବାଦନ କରିଥିଲେ । ଏଥି ସହିତ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।


