ଚାଲିବ ମହିଳାମାନଙ୍କ ଦ୍ବାରା ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ
ଭୁବନେଶ୍ବର, ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ ଅଭିଯାନକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ କେବଳ ମହିଳା ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଏବଂ ଟ୍ରେନ ଗାର୍ଡ ମାନଙ୍କୁ ନେଇ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ ଖୋର୍ଦ୍ଧା ରୋଡ଼ଠାରୁ ପଲାସା ମଧ୍ୟରେ ଚଳାଚଳ କରିବ।
ମହିଳା ସଶକ୍ତିକରଣକୁ ସ୍ମରଣୀୟ କରିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ଗତକାଲି ଖୋର୍ଦ୍ଧା ରୋଡ଼ ଠାରୁ ପଲାସା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ ଚଳାଚଳ କରାଯାଇଥିଲା ଯେଉଁଥିରେ କେବଳ ମହିଳା କର୍ମଚାରୀମାନେ ଯଥା ମହିଳା ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଏବଂ ଟ୍ରେନ ଗାର୍ଡ ମାନଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା ଓ ଏହି ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ପୂର୍ବାହ୍ନ ୧୦ଘ.୩୦ମି.ରେ ଛାଡି ପଲାସା ଠାରେ ସଂଧ୍ୟା ୫ଘ.୩୦ମି.ରେ ପହଞ୍ଚିଥିଲା ଓ ଫେରିବା ପଥରେ ମହିଳା ମାନଙ୍କ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ ଶନିବାର ପଲାସାଠାରୁ ସକାଳ ୫ଘ.୪୫ମି.ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିଥିଲା।
ମହିଳା ମାନଙ୍କ ଦ୍ୱାରା ପରିଚାଳିତ ଏହି ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନରେ ମହିଳା ଲୋକୋ ପାଇଲଟ ମୁନ୍ନି ଟିଗା, ସହାୟକ ଲୋକୋ ପାଇଲଟ ରାଜେଶ୍ୱରୀ ବିଶ୍ୱାଳ ଏବଂ ଟ୍ରେନ ଗାର୍ଡ ରେବତୀ ସିଂହ ପରିଚାଳନା କରିଥିଲେ ଓ ମହିଳା ଟ୍ରେନ କର୍ମଚାରୀମାନଙ୍କ ପାଇଁ ପଲାସା ଠାରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ପଲାସା ଷ୍ଟେସନଠାରେ ରନିଙ୍ଗ ରୁମର ବ୍ୟବସ୍ଥା କରାଯାଇଥିଲା। ମହିଳା ଟ୍ରେନ କର୍ମଚାରୀ ମାନଙ୍କ ବିଶ୍ରାମ ନେବା ପାଇଁ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ଷ୍ଟେସନଠାରେ ରନିଙ୍ଗ ରୁମର ବ୍ୟବସ୍ଥା ମଧ୍ୟ କରାଯାଇଛି ।


