ଚାଷଜମିକୁ ଜଳସେଚିନ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକର ବାଲିବରେଇ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମକୁ ଜଳସେଚନର ସୁବ୍ୟବସ୍ଥା କରାଇବା ପାଇଁ ପଞ୍ଚାୟତବାସୀଙ୍କ ପକ୍ଷରୁ କେନ୍ଦ୍ରଜଳଶକ୍ତି ଓ ଆଦିବାସ୍ୟ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁଯାଇ ବାଲିବରେଇ ଗ୍ରାମପଞ୍ଚାୟତ ସୀମାରେ ବିଦ୍ୟାଧରପୁର ବ୍ୟାରେଜ ଅବସ୍ଥିତ । ଏହାର ଲେପ୍ଟ ଓ ରାଇଟ କେନାଲ ମଧ୍ୟ ଦେଇ ଭଦ୍ରକ, ବାଳେଶ୍ୱର ଓ କେନ୍ଦୁଝର ଜିଲ୍ଲାର ଦୂରଦୁରାନ୍ତରେ ଥିବା ଚାଷଜମି ଜଳସେଚିତ ହେଉଛି । ଏବେ ବୈତରଣୀ ନଦୀ ସଂଯୋଗୀ କରଣର କେନାଲଟି ମଧ୍ୟ ଆସି ବିଦ୍ୟାଧରପୁର ସାଳନ୍ଦୀ ବ୍ୟାରେଜରେ ମିଶୁଛି । ଏସବୁ ଜଳସେଚନ ପ୍ରକଳ୍ପରେ ବାଲିବରେଇ ପଞ୍ଚାୟତର ବାଲିବରେଇ ଓ ବିଦ୍ୟାଧରପୁର ମୌଜାର ଅଧିବାସୀମାନେ ଚାରି ଚାରିଥର ଚାଷଜମି ହରାଇ ଏବେ କ୍ଷୁଦ୍ରଚାଷୀ ଓ ନାମମାତ୍ର ଚାଷୀ ପାଲଟିଗଲେଣି । କେନାଲ ଗୁଡିକର ଉତ୍ପତିସ୍ଥଳ ବାଲିବରେଇ ପଞ୍ଚାୟତ ହୋଇଥିବାରୁ ଏବଂ କେନାଲ ଗୁଡିକ କେନାଲ ଠାରୁ ନିମ୍ନ ସ୍ଥାନରେ ରହିଥିବାରୁ ଏଠାକାର ଚାଷୀମାନେ ୫୦ବର୍ଷ ହେଲା ଜଳସେଚନ ସୁବିଧାରୁ ବଞ୍ଚିତ ହୋଇ ରହିଆସିଛନ୍ତି । ଫଳରେ ଚଳିତବର୍ଷ ବିଳମ୍ବିତ ମୌସୁମୀ ବାଲିବରେଇ ପଞ୍ଚାୟତ ସମେତ ଆଖପାଖ ୪/୫ଟି ପଞ୍ଚାୟତର ଶହଶହ ହେକ୍ଟର ଚାଷଜମି ପଡିଆ ପଡିଛି । ଏ ଅଞ୍ଚଳର ଚାଷଜମିକୁ ଜଳସେଚନର ସୁବିଧା ଉପଲବ୍ଧ କରାଇବା ପାଇଁ ବାରମ୍ବାର ଦାବି ଓ ଆନ୍ଦୋଳନ ହେବାପରେ ଜଳସେଚନ ବିଭାଗ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଜଳସେଚନର ବ୍ୟବସ୍ଥା କରାଇବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ୫ବର୍ଷ ଅତିବାହିତ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିକାର କରାଗଲା ନାହିଁ । ଏଣୁ ବାଲିବରେଇ ପଞ୍ଚାୟତର ଚାଷଜମିକୁ ଜଳଯୋଗାଣ ପାଇଁ ମେଗା ଲିପ୍ଟ ପ୍ରୋଜେକ୍ଟ ଦ୍ୱାରା ଜଳସେଚନର ବ୍ୟବସ୍ଥା କରାଯାଉ ବୋଲି ବୈଷ୍ଣବ ଚରଣ ପୁହାଣ, ଦୁର୍ଗାପ୍ରସାଦ ଆୟଚ, ଭଗବାନ ପ୍ରସାଦ ବେହେରା, ତ୍ରୀଲୋଚନ ପଣ୍ଡା, ଅନ୍ତର୍ଯ୍ୟାମୀ ରାଉତ, ଅଭୟ କୁମାର ବିଶ୍ୱାଳ, ରସାନନ୍ଦ ପହି, ଜଗନ୍ନାଥ ପୁହାଣ, ସ୍ମୃତି ରଞ୍ଜନ ଜେନା, ବେଣୁଧର ପୁହାଣ, ଆନନ୍ଦ ଚନ୍ଦ୍ର ଧଳ, ଆନନ୍ଦ ବାରିକ, ସନ୍ଦିପ ସାହୁ, ହରେକୃଷ୍ଣ ପହି, ନିରାକାର ପହି, ବୈକୁଣ୍ଠନାଥ ରାଉତ, ଗୌରାଙ୍ଗ ଚରଣ ପହି, ପ୍ରଫୁଲ ଚନ୍ଦ୍ର ପୁହାଣ, ଚିନ୍ତାମଣି ପାତ୍ର, ପ୍ରେମାନନ୍ଦ ନାୟକ, କୈଳାଶ ପୁହାଣ, ପୁରୁଷୋତ୍ତମ ଜେନା, ଲମ୍ବୋଦର ରାଉତ, ଅଭୟ କୁମାର ଜେନା, ସତ୍ୟଜିତ ବେହେରା ସମେତ ଶତାଧିକ ଗ୍ରାମବାସୀ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ସହିତ କେନାଲ ଓ ଚାଷଜମିର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ