ଚାଷୀଙ୍କୁ ଉପହାସ!
ନୂତନ ବର୍ଷ ୨୦୨୫ର ପ୍ରଥମ କ୍ୟାବିନେଟ ନିଷ୍ପତି ଭାବେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ)ର ବ୍ୟୟ ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ୬୯,୫୧୫ କୋଟି ଟଙ୍କାକୁ ବୃଦ୍ଧି କରିବା ନିଷ୍ପତି ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ସୁଖଦ ଖବର ବା ମୋଦୀ ସରକାରଙ୍କର ନୂଆବର୍ଷର ଭେଟି ହୋଇଥିବାବେଳେ ଆମ ରାଜ୍ୟରେ ଅଦିନିଆ ବର୍ଷାରେ ଉଜୁଡି ଯାଇଥିବା ଧାନ ଫସଲର କ୍ଷତିପୂରଣ ରାଶି ଦେବା ପାଇଁ ବୀମା କମ୍ପାନୀଗୁଡିକ ଯେଉଁସବୁ ସର୍ତ ରଖିଛନ୍ତି, ତାହା ଚାଷୀଙ୍କ ମୁଣ୍ଡରେ ବ୍ରଜ ସଦୃଶ୍ୟ ହୋଇଛି ବୋଲି କହିଲେ ହୁଏତ ଅତିରଂଜିତ ହୋଇନପାରେ ଏହା ନିସନ୍ଦେହ ଯେ, ଫସଲ କ୍ଷୟକ୍ଷତି ପାଇଁ ଚାଷୀଙ୍କୁ କ୍ଷତିପୂରଣ ଦେବା ନେଇ ଏକ ମହତ ଉଦ୍ଦେଶ୍ୟ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିଲାଗି ସରକାର ବୀମା କମ୍ପାନୀଗୁଡିକ ପ୍ରିମିୟମ ରାଶି ଜମା କରୁଛନ୍ତି । କିନ୍ତୁ ବୀମା କମ୍ପାନୀଗୁଡିକ ଫସଲ ବୀମା କମ୍ପାନୀଗୁଡିକ କ୍ଷତିପୂରଣ ଦେବାଲାଗି ଏବେ ଯେଭଳି ସର୍ତାରୋପ କରିଛନ୍ତି, ତାହା କେବଳ ଚାଷୀଙ୍କୁ ଚିନ୍ତାରେ ପକାଇ ନାହିଁ, କ୍ଷତିପୂରଣ ମିଳିବା ଆଶାକୁ ମଉଳାଇ ଦେଇଛି ବୋଲି କୁହାଯାଇପାରେ । ଏହା ନିସନ୍ଦେହ ଯେ, ଅଦିନିଆ ବର୍ଷାରେ ରାଜ୍ୟର ୨୩ଟି ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ବିଲରେ କଟାହୋଇଥିବା ଧାନ ଏବଂ କଟା ହୋଇନଥିବା ପାଚିଲା ଧାନ ଉଭୟ ଦୀର୍ଘ ଚାରିଦିନ ଧରି ପାଣିରେ ବୁଡି ରହିବା ଯୋଗୁଁ ଉଭୟ ଧାନ ସଢି ଗଜା ହୋଇଯାଇଛି । ଯାହା ବିଲରୁ ଅମଳ କରିବା ଏକ ପ୍ରକାର ଅସମ୍ଭବ । ଧାନ କେରା ଧରିବା ମାତ୍ରେ ଧାନ ଝଡି ଯାଉଛି । ଯାହାକୁ ଆଦାୟ କରିବା ସମ୍ପୂର୍ଣ୍ଣ ଅସମ୍ଭବ । ଆହୁରି ମଧ୍ୟ ଯେଉଁ ଧାନ ପାଣି ଭିତରୁ ଛାଣି ଚାଷୀ ଘରକୁ ଆଣିଛି । ତାହା ଆଉ ଖାଦ୍ୟ ଉପଯୋଗୀ ନୁହେଁ ବୋଲି କୁହାଯାଏ । ଆହୁରି ମଧ୍ୟ ବର୍ଷାରେ ବିଲ ଭିତରେ ବର୍ଷକର ଖାଦ୍ୟ ଉଜୁଡିଯିବା ଦେଖି ଇତିମଧ୍ୟରେ ରାଜ୍ୟରେ ଚାଷୀ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଆଗକୁ ଆହୁରି ଅନେକ ଚାଷୀ ଜୀବନ ହାରିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ବୀମା କମ୍ପାନୀଗୁଡିକର ସର୍ତକୁ ନେଇ ଚାଷୀର ହୋସ୍ ଉଡିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବୀମା କମ୍ପାନୀଗୁଡିକ କେବଳ କଟା ହୋଇ ବିଲରେ ପଡିଥିବା ଧାନ ନଷ୍ଟ ପାଇଁ କ୍ଷତିପୂରଣ ଦେବ । ଅନ୍ୟସ୍ଥାନକୁ ଧାନ ବୋହି ନେଇଥିଲେ କିମ୍ବା ପାଣିରୁ ଛାଣିଥିଲେ କ୍ଷତିପୂରଣ ବା ବୀମା ରାଶି ମିଳିବ ନାହିଁ । କଟାନହୋଇ ପାଚିଲା ଧାନ ପାଣିରେ ସଢି ଯାଇଥିଲେ ମଧ୍ୟ କ୍ଷତିପୂରଣ ମିଳିବ ନାହିଁ ଯାହା ଜଣାପଡୁଛି, ରାଜ୍ୟରେ ବୋଧହୁଏ ଜଣେ ହେଲେ ଚାଷୀ ଫସଲ ବୀମା ରାଶି ପାଇବେ ନାହିଁ । ଏହା ଯଦି ସତ୍ୟ ହୁଏ ତେବେ ସରକାର କେବଳ ବୀମା କମ୍ପାନୀଗୁଡିକୁ ପୋଷିବା ସାର ହେଉଛି ବୋଲି କୁହାଯାଇପାରିବ । ଉଲ୍ଲେଖଯୋଗ୍ୟ ଯେ, ଗତ ପାଂଚ ବର୍ଷ ମଧ୍ୟରେ ଓଡିଶାରୁ ୭,୮୬,୬୩୨ ଲକ୍ଷ ଟଙ୍କା ବୀମା କମ୍ପାନୀ ପ୍ରିମିୟମ ପାଇଥିବାବେଳେ କ୍ଷତିପୂରଣ ବାବଦରେ ଚାଷୀଙ୍କୁ ମାତ୍ର ୩,୪୬,୦୮୩ ଲକ୍ଷ ଟଙ୍କା ପ୍ରଦାନ କରିଛି । ଏଥିରୁ ବୀମା କମ୍ପାନୀଗୁଡିକ କିପରି ଫାଇଦା ଉଠାଉଛନ୍ତି, ତାହା ସହଜରେ ଅନୁମେୟ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଫସଲ କ୍ଷୟକ୍ଷତି ଆକଳନ ନେଇ ବର୍ଷା ଦିନ ଠାରୁ ରାଜ୍ୟ ସରକାର ବିଭିନ୍ନ ସମୟରେ ବାରମ୍ବାର ଘୋଷଣା କରି ଆସୁଥିଲେ ମଧ୍ୟ ଇତି ମଧ୍ୟରେ ସପ୍ତାହେ ବିତିଯାଇଥିଲେ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ କରାଯାଇନାହିଁ । ଦୁଇଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ନେଇ ବିଭାଗୀୟ ମନ୍ତ୍ରୀ ଘୋଷଣା କରିଥିବା ସତ୍ୱେ ତାହା ପାଣିର ଗାର ସଦୃଶ ହୋଇଥିବା ମନେହୁଏ । ଯେଉଁଠି କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇବାରେ ବିଳମ୍ବ ଘଟୁଛି, ସେଠାରେ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କ୍ଷତିପୂରଣ ସହାୟତା ଘୋଷଣାରେ ମଧ୍ୟ ବିଳମ୍ବ ହେବା ସ୍ୱାଭାବିକ । ଗୋଟିଏ ପଟେ ଫସଲ କ୍ଷତି ଅନ୍ୟ ପଟେ ସହାୟତା ପାଇବାରେ ବିଳମ୍ବ ଚାଷୀଙ୍କୁ ବିଚଳିତ କରିଦେଇଛି, ଯାହାର ପରିଣତି ସ୍ୱରୁପ ଚାଷୀ ଆତ୍ମହତ୍ୟା ଅଭିଯୋଗ ବଢିଚାଲିଛି । କେବଳ ଏତିକି ନୁହେଁ, ଚାଷୀର ବିଲ ମୁଣ୍ଡକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ, ବିରୋଧି ଦଳ ନେତା, ଏପରିକି ଅଫିସରଙ୍କ ସୁଅ ଛୁଟିଥିଲେ ମଧ୍ୟ ତାହା କେବଳ ଚାଷୀଙ୍କ ପାଇଁ ଉପହାସ ହୋଇନାହିଁ, ଲୋକ ଦେଖାଣିଆରେ ପରିଣତ ହୋଇଛି ବୋଲି କୁହାଯାଇପାରେ । କେବଳ ବିଲରେ ନୁହେଁ, ମଣ୍ଡିରେ ମଧ୍ୟ ଧାନ ବର୍ଷାରେ ସଢି ଗଜା ହୋଇଯାଇଥିବା ଅଭିଯୋଗ ହୁଏ । ଯେଉଁଥିପାଇଁ କି ବିଭିନ୍ନ ସ୍ଥାନରେ ଚାଷୀ ଧାରଣା ଦେଇ, ରାସ୍ତାରୋକ କରି ପ୍ରତିବାଦ ଜଣାଉଥିବା ଗଣମାଧ୍ୟମରେ ପ୍ରମୁଖ ଖବର ପାଲଟିଛି । ଧାନର କ୍ୱିଂଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ ନେଇ ସରକାର ଡିଣ୍ଡିମ ପିଟୁଥିବାବେଳେ ବାସ୍ତବରେ ଦୁନିଆକୁ ଆହାର ଯୋଗାଉଥିବା ଚାଷୀ ଏବେ ଉପହାସର ପାତ୍ର ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,

 
             
						 
						 
						 
						 
						 
						
