ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଏତଲା କପି ଦେଉନି ପୋଲିସ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜନୈକ ଚାଷୀଙ୍କୁ ସାବଳରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତକୁ ଖସାଇବା ପାଇଁ ଯୋଜନା ଚାଲିଛି । କାରଣ ଆକ୍ରମଣରେ ଶିକାର ପରିବାରକୁ ଏତଲା କପି ଦେଉନି ପୋଲିସ । ଅଭିଯୁକ୍ତକୁ ଖସାଇବା ପାଇଁ ଏପରି ଯୋଜନା କରାଯାଉଥିବା ପିଡିତ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । କାରଣ ଏତଲା କପି ଦେଲେ କେଉଁ ଦଫା ଲାଗିଛି ତାହା ଜଣାପଡିଯିବ । ଏହାଦ୍ୱାରା ପୋଲିସର ଅସଲ ମୁଖା ଖୋଲିଯିବ । ତେଣୁ ଏତଲା କପିକୁ ଚାପି ଦେଇ ଅଭିଯୁକ୍ତକୁ କୋହଳ ଦଫା ଲଗାଇ ୪୧ ସିଆରପିସିରେ ଜାମିନ ଦେବା ପୋଲିସ ପାଇଁ ସହଜ ହେବ । ସୂଚନା ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର ଗ୍ରାମପଞ୍ଚାୟତର ଭାଣ୍ଡିଲୋ ଗ୍ରାମର ଚାଷୀ ଶାରଦା ପ୍ରସନ୍ନ ଜେନା ଗତ ୨୬ ତାରିଖରେ ନିଜ ଜମିକୁ ଚାଷ କାର୍ଯ୍ୟ ଦେଖିବା ପାଇଁ ଯାଇଥିଲେ । ସେହି ସମୟରେ ତାଙ୍କ ଜମିକୁ ଲାଗିଥିବା ଅନ୍ୟ ଏକ ଜମିର ମାଲିକ ପ୍ରଫୁଲ୍ଲ କୁମାର ଦାସ ତାଙ୍କ ହିଡ଼କୁ ଟ୍ରାକ୍ଟର ଯୋଗେ ଖୋଳି ଦେଇଥିଲେ । ସେ ଏହାର ପ୍ରତିବାଦ କରିବାରୁ ପ୍ରଫୁଲ୍ଲଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଏହାପରେ ଶାରଦା ଘରକୁ ପଳାଇଥିଲେ । ପରେ ଶାରଦା ଭାଣ୍ଡିଲୋ ଛକରେ ଏକ ଚା ଦୋକାନରେ ଛିଡା ହୋଇଥିବା ବେଳେ ପ୍ରଫୁଲ୍ଲର ଭାଇ ପ୍ରଦୀପ ଓ ନାରାୟଣ ଶାରଦାକୁ ଜୀବନରେ ମାରିଦେବା ଉଦେଶ୍ୟରେ ଏକ ସାବଳରେ ଆକ୍ରମଣ କରିଥିଲେ । ଏଥିରେ ଶାରଦାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏବେବି ଡାକ୍ତରଖାନାରେ ସେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି ।


