ଚାଷୀଙ୍କୁ ମିଳୁନି ବିହନ , ପ୍ରଭାବସାଳି ବ୍ୟକ୍ତିଙ୍କୁ ଅନୁକମ୍ପା ଦେଖାଉଛି କୃଷି ବିଭାଗ
କୁକୁଡାଖଣ୍ଡି, (ଯୁଗାବ୍ଦ ନ୍ୟୁଜ) : କଥାରେ ଅଛି କୃଷକ ହେଉଛି ଦେଶର ମେରୁଦଣ୍ଡ,କୃଷି ବଞ୍ଚିଲେ ଦେଶର ଭବିଷ୍ୟତ ଉଜ୍ୱଳ ହେବ । ରାଜ୍ୟ ଓ କେନ୍ଦ୍ର ସରକାର କୃଷକ ସମାଜକୁ ଶଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି । କୃଷକଙ୍କ ମନ ଜିଣିବା ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ହାତକୁ ନେଇ ବାହାବା ନେଉଥିବାବେଳେ କେନ୍ଦ୍ର ସରକାର କେନ୍ଦ୍ର ସରକାର କିସାନ ବୀମା ଯୋଜନା କରି କୃଷକ ସମାଜର ନିକଟତର ହେଉଛନ୍ତି । ଅନ୍ୟକ୍ଷେତ୍ରରେ ବିଭିନ୍ନ କିସମର ବିହନ ସାଙ୍ଗକୁ ରାସାୟନିକ ସାର ଏବଂ ଫସଲ ନିମନ୍ତେ ବିଭିନ୍ନ ପ୍ରକାରର ଔଷଧ ମାଗଣାରେ ପ୍ରଦାନ କରନ୍ତି । କିନ୍ତୁ ପ୍ରକୃତ ଚାଷୀ ପାଖରେ ତାହା ପହଞ୍ଚିବା ପୂର୍ବରୁ ଅଧାରାସ୍ତାରେ ତାହା ବାଟମାରନା ହେଉଥିବା ବହୁ କ୍ଷେତ୍ରରେ ନଜିର ରହିଛି ଯାହାକୁ ନେଇ ପ୍ରତି ବିଧାନସଭାରେ ମଧ୍ୟ ଝଡ଼ ସୃଷ୍ଟି ହେଉଛି । କିନ୍ତୁ କୃଷକ ମାନଙ୍କ ସ୍ତିତିରେ କୌଣସି ପରିବର୍ତ୍ତନ ହେଉନାହିଁ । ରାଜ୍ୟ ସରକାର କୃଷି ବିଭାଗକୁ ଦୁର୍ନୀତି ମୁକ୍ତ କରିବା ପାଇଁ ‘ମୋ ସରକାର’ରେ ସାମିଲ କଲେଣି କିନ୍ତୁ ବିଭାଗୀୟ ଅଧିକାରୀଙ୍କୁ ସତେ ଯେପରି ଛାଟତ ଦୂରର କଥା ବାସ୍ନାବି ବାଜିନି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ପରିସରରେ ଥିବା କୃଷି କାର୍ଯ୍ୟାଳୟରେ । ବର୍ଷ ବର୍ଷ ଧରି ରାଜନୈତିକ ପ୍ରଭାବସାଳି ବ୍ୟକ୍ତିଙ୍କ ହାତବାରିସି ସାଜି ଚାଷୀଙ୍କ ପାଇଁ ଉଧିଷ୍ଟ ବିହନକୁ ଅଣଚାଷୀ, ଜମିହୀନ ସମେତ ନିର୍ବାଚିତ ପ୍ରତିନିଧି ଓ ରାଜନେତାଙ୍କ ମଧ୍ୟରେ ଭାଗବାଣ୍ଟି ହରିଲୁଟ କରୁଥିବା ଅଭିଯୋଗ କରୁଛନ୍ତି ଚାଷୀକୂଳ। ବ୍ଲକରେ ସର୍ବମୋଟ ୨୨ଗୋଟି ସେବାସମବାୟ ସମିତି ଥିବାବେଳେ କେବଳ ବାଇଗଣବାଡ଼ି ଓ କୁମାରପୁର ସେବାସମବାୟ ସମିତିକୁ ବିହନ ବିକ୍ରୟ ପାଇଁ ଅନୁମତି ଦେଇଛି କୃଷି ବିଭାଗ । ଅଭିଯୋଗ ଉଠୁଛି ଉକ୍ତ ଦୁଇଟି ସବାସମବାୟ ସମିତିର ସଭାପତିଙ୍କୁ ହାତବାରିସୀ କରି କର୍ମଚାରୀ ମାନେ ବିହନ ବିକ୍ରୟ ନାମରେ ଢ଼େର ଅର୍ଥ ବାଟମାରନା କରୁଛନ୍ତି । ଅନ୍ୟପକ୍ଷରେ ଚିନାବାଦାମ ବିହନକୁ ଛାଡିଦେଲେ ସୂର୍ଯ୍ୟମୁଖି ବିହନ ସାଙ୍ଗକୁ ମୁଗ, ବିରି ଓ ରାଶି ଚାଷ ନିମନ୍ତେ ବିହନ ଚାଷୀଙ୍କୁ ମାଗଣାରେ ପ୍ରଦାନ କରାଯିବାର ନିୟମ ରହିଛି । ଏବଂ ଚିନାବାଦାମ ମଧ୍ୟ ଚାଷୀ ଯେତେ ପରିମାଣର କିଣିବ ତାହାର ଦୁଇଗୁଣା ତାକୁ ମାଗଣାରେ ଦିଆଯିବ । କିନ୍ତୁ ଏହି ବିହନ ପ୍ରକୃତ ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ଥିବାବେଳେ ଅସାଧୁ ରାଜନେତାଙ୍କ ମଧ୍ୟରେ ବଣ୍ଟନ କରାଯିବା ଫଳରେ ପ୍ରାୟ ଶତକଡା ଅସିଆ ପ୍ରତିଶତ ବିହନ ବିଗତ ବର୍ଷରେ ଖୋଲାବଜାରରେ ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ କୂଳ । ବିଭିନ୍ନ ଚାଷୀଙ୍କ ନାମ ପଞ୍ଜିକୃତ ଖାତାରେ ଲେଖି ସେମାନଙ୍କ ଜାଲ ଦସ୍ତଖତ ପକାଇ ବିହନ ଉଠାଇବା ସାଙ୍ଗକୁ ବଜାରରେ ବିକ୍ରି କରି ମୋଟା ଅଙ୍କର ଅର୍ଥ ବାଇଗଣବାଡି ଓ କୁମାରପୁର ସେବା ସମବାୟ ସମିତି ଆତ୍ମସାତ କରୁଥିବା ବହୁବାର ଅଭିଯୋଗ ହେଉଛି । ଅନ୍ୟପକ୍ଷେ ଚାଷୀଙ୍କୁ ବିହନ ପ୍ରଦାନ ପରେ କୃଷି ବିଭାଗ କର୍ମଚାରୀ ଚାଷ କ୍ଷେତ ବୁଲି ଦେଖିବାର ନିୟମ ଥିଲେ ମଧ୍ୟ କୌଣସି ଅଧିକାରୀ ନିୟମିତ କ୍ଷେତ ପରିଦର୍ଶନ କରୁନାହାନ୍ତି । ଖୋଦ କୃଷି ଅଧିକାରୀ ଅଜିତ ମହାପାତ୍ର ସ୍ୱୀକାର କରିଛନ୍ତି ଗତବର୍ଷ ସେ ମାତ୍ର ଗୋଡ଼ଏ ପ୍ରତିଶତ ଚାଷଜମି ବୁଲି ଦେଖିଛନ୍ତି । ଆଦିବାସୀ ଅଧୁସିତ କଙ୍କିଆ ଅଞ୍ଚଳରେ କୌଣସି କୃଷି ଅଧିକାରୀଙ୍କ ପାଦ ପଡୁନଥିବାବେଳେ ଆଦିବାସୀ ଅଞ୍ଚଳ ଦାୟିତ୍ୱରେ ଥିବା କର୍ମଚାରୀ ବ୍ଲକର ଆଗଧାଡିର ଶାସକ ଦଳ ନେତାଙ୍କୁ ହାତବାରିସୀ କରି ନିଜ ଦାୟିତ୍ୱ ଠିକ ରୂପେ ତୁଲାଉ ନଥିବା ଅଞ୍ଚଳବାସିନ୍ଦା ଅଭିଯୋଗ କରିଛନ୍ତି । ଧାଡିରୁଆ ଚାଷ କରୁଥିବା କିଛି ଚାଷୀ ସରକାରୀ ଅର୍ଥ ମିଳିବା ପରେ ବିଭାଗୀୟ କର୍ମଚାରୀଙ୍କୁ ହାତଗୁଞ୍ଜା ନଦେଲେ ଧଡ଼ିରୁଆ ବାବଦୀୟ ପଇସା ମିଳୁନଥିବା ସିଧାସଳଖ ଗଣମାଧ୍ୟମକୁ କହିଛନ୍ତି । ଯାହାଫଳରେ ସରକାରୀ ସୁବିଧା ବ୍ଲକ ସ୍ତରରେ କର୍ମଚାରୀ ମାନେ ବାଟବଣା କରୁଥିବାରୁ ପ୍ରକୃତ ଚାଷୀ ପାଖରେ ସୁବିଧା ପହଞ୍ଚି ପାରୁନି । ଏ ବାବଦରେ କୃଷି ଅଧିକାରୀ ଶ୍ରୀ ମହାପାତ୍ର ମୋ ପାଖରେ ଖୋଲାବଜାରରେ ବିକ୍ରି ହେଉଥିବା ନେଇ କୌଣସି ଖବର ନାହିଁ ସବୁ ସୁବିଧା ଚାଷୀଙ୍କ ନିକଟରେ ପହଞ୍ଚୁ ପାଟି ଥମ ଥମ କରି କହିଛନ୍ତି ।


