ଚାଷୀଙ୍କ ଚାଷ କାର୍ଯ୍ୟ ଆକଳନ କରି ରଖିବା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପାଗ କୋହଲା ରହିଥିଲା । ଗତକାଲି ଠାରୁ ଜିଲ୍ଲାରେ ବର୍ଷା ହୋଇଛି । ଏଥି ପୂର୍ବରୁ ଜିଲ୍ଲା ସ୍ତରରେ ଏକ ପ୍ରସ୍ତୁତି ବୈଠକ ଆଗତ କରି କୃଷିଜାତ ଦ୍ରବ୍ଯର ସୁରକ୍ଷା ନିମନ୍ତେ କୃଷି ବିଭାଗ ପକ୍ଷରୁ ସତର୍କ ସୂଚନା ସଚେତନତା କରାଯାଇଥିଲା ।ଯେଉଁ ଚାଷୀ ମାନଙ୍କର ଧାନ କଟାଯାଇଛି ତାହା ବିଲରେ ଜମା ନ ରଖି ଉପଯୁକ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରି ରଖିବାକୁ ପରାମର୍ଶ ଦିଆଯାଇଥିଲା । ତଥାପି କେତେକ ସ୍ଥଳରେ ଚାଷ କାର୍ଯ୍ୟ କ୍ଷୟକ୍ଷତି ହୋଇଥିବା ସମ୍ଭାବନା କରି ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ବୁଧବାର ଆଭାସୀ ବୈଠକ ମାଧ୍ୟମରେ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ କ୍ଷୟକ୍ଷତିର ଆକଳନ ଯାଂଚ୍ କରି ପୂର୍ବରୁ ରିପୋର୍ଟ ପ୍ରସ୍ତୁତ କରି ରଖିବାକୁ କହିଛନ୍ତି । ଏତଦବାଦେ କମ୍ ବର୍ଷା ଯୋଗୁଁ ମଧ୍ୟ ଜିଲ୍ଲାର କେତେକ ସ୍ଥାନରେ ଚାଷ କାର୍ଯ୍ୟର କ୍ଷୟକ୍ଷତି ଘଟିଛି । ଏହି ସମସ୍ତ ତଥ୍ୟ ଆକଳନ କରି ଜିଲ୍ଲାକୁ ରିପୋର୍ଟ ପ୍ରଦାନ କରିବା ସକାଶେ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଭରଣା କରିବା ନିମନ୍ତେ ନିର୍ଦ୍ଦେଶ ପାଇବା ପରେ ଏହି ସମସ୍ତ ତଥ୍ୟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୫ଟି ଅନ୍ତର୍ଗତ ଜିଲ୍ଲାରେ ଚାଲିଥିବା ଆମ କଲେଜର ସ୍ମାର୍ଟ କ୍ଲାସ, ଶୌଚାଳୟ,ପାଠାଗାର ଇତ୍ୟାଦିର କାର୍ଯ୍ୟ ଫେବୃୟାରୀ ମାସ ସୁଦ୍ଧା ଶେଷ କରିବାକୁ କୁହାଯାଇଛି । ଯେଉଁ ଯେଉଁ ମହା ବିଦ୍ୟାଳୟ ଗୁଡିକରେ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯିବ ତାହାର ଟେଣ୍ଡର ପ୍ରକ୍ରିୟା ଶେଷ କରି କାର୍ଯ୍ୟ ଯେମିତି ଉତ୍ତମ ମାନର ହେବ ତାହା ମଧ୍ୟ ତଦାରଖ କରିବାକୁ କୁହାଯାଇଛି । ମୋ ସ୍କୁଲ କାର୍ଯ୍ୟକ୍ରମର ୪ର୍ଥ ପର୍ଯ୍ୟାୟ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉପଜିଲ୍ଲାପାଳଗଣ ସମୀକ୍ଷା କରିବାକୁ ଜଣାଇ ଦିଆଯାଇଛି । ଆଗତ ଆଭାସୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁଙ୍କ ସମେତ ତିନି ଗୋଟି ଉପଖଣ୍ଡର ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ସମ୍ପୃକ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ