ଚାଷୀଙ୍କ ଦୀର୍ଘବର୍ଷର ଦାବି ପୁରଣ କଲେ ସରକାର, ଉଠାଜଳସେଚନ ପ୍ରକଳ୍ପ ଅନୁମୋଦନ ପରେ ଚାଷୀଙ୍କ ମଧ୍ୟରେ ଖୁସୀର ଲହରି

ହାଟଡ଼ିହି, (ବିକାଶ ବିଶ୍ୱାଳ):ଚାଷୀଙ୍କ ଦୀର୍ଘ ଦିନର ଦାବି ପୁରଣ ହେବାକୁ ଯାଉଛି । ହାଟଡିହି ବ୍ଲକର ହଦଗଡ ଠାରେ ସାଳନ୍ଦୀ ଡ୍ୟାମ ଓ ବିଦ୍ୟାଧରପୁର ବ୍ୟାରେଜ, ବିରାଟ ବିରାଟ କେନାଲ ଥିଲେ ବି ନିକଟରେ ଥିବା ସୋସୋ, ବାଲିବରେଇ, ବାଙ୍ଗୋର, ପଢ଼ିଆରିପଲ୍ଲୀ, ହଦଗଡ, ଧନୁର୍ଜୟପୁର, କେ ବାଲିପାଳ ଆଦି ପଞ୍ଚାୟତର ଚାଷ ଜମି ଗୁଡିକ ଜଳସେଚନର ସୁବିଧା ନଥିବାରୁ ପଡିଆ ପଡୁଥିଲା । କେବଳ ବର୍ଷାକୁ ଚାହିଁ ଚାହିଁ ଚାଷୀମାନେ ଯାହା ଚାଷବାଷ କରୁଥିଲେ । ଏପରିକି ଗତ କିଛିବର୍ଷ ହେଲା ଏହିସବୁ ପଞ୍ଚାୟତରେ ଚାଷୀମାନେ ମରୁଡିର ସମ୍ମୁଖୀନ ହୋଇ ଆସୁଥିବାରୁ ବାରମ୍ବାର କ୍ଷତିଗ୍ରସ୍ଥ ହୋଇ ଚାଷ କାର୍ଯ୍ୟକୁ ଏକ ପ୍ରକାର ଭୁଲିଗଲେଣି । ଏବେ ବି ଶହଶହ ହେକ୍ଟର ଚାଷଜମି ପଡିଆ ପଡିଛି । କେନାଲ ତଳେ ଥିବାବେଳେ ଚାଷଜମି ସବୁ ବହୁ ଉଚ୍ଚରେ ଥିବାରୁ କେନାଲ ପାଣି ସାଧାରଣତ ଚାଷଜମିକୁ ମାଡି ପାରେନି । ଦ୍ୱୀପତଳ ଅନ୍ଧାର ଭଳି ଏଠାରୁ ପାଣି ଯାଇ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ହଜାର ହଜାର ହେକ୍ଟର ଚାଷଜମି ଜଳସେଚିତ ହେଉଥିବାବେଳେ ଏଠାକାର ଚାଷୀମାନେ ଜଳସେଚନ ଅଭାବରୁ ମରୁଡିର ଶୀକାର ହେଉଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହା ହେଉ ସରକାର ଏବେ ଚାଷୀଙ୍କ ଦୀର୍ଘଦିନର ଦାବିକୁ ଶୁଣିଛନ୍ତି । ଦୁଇଦିନ ତଳେ ଏଥିଲାଗି ରାଜ୍ୟ କ୍ୟାବିନେଟରେ ପ୍ରକଳ୍ପ ସବୁ ମଞ୍ଜୁର ହୋଇଛି । ଚାଷ ଜମି ମାନଙ୍କୁ ଜଳସେଚନ ପାଇଁ ରାଜ୍ୟ କ୍ୟାବିନେଟ ୨୩୭୩କୋଟି ୫୪ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ସବୁ ଅଞ୍ଚଳରେ କୃଷିକୁ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ମାଳ ମାଳ ପ୍ରକଳ୍ପର ବର୍ଷା କରିଛନ୍ତି । ସେଥିମଧ୍ୟରୁ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବାମପଟ ମୁଖ୍ୟ କେନାଲ, ବିଦ୍ୟାଧରପୁର ଆନିକଟ, ହଦଗଡ ଜଳଭଣ୍ଡାର, ଆନନ୍ଦପୁର ଆନିକଟ ଓ ବୈତରଣୀ ନଦୀରୁ ଜଳଉତ୍ତୋଳନ କରାଯାଇ ୧୭ହଜାର ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା କରାଯିବ । ଏଥିପାଇଁ ରାଜ୍ୟ ସରକାର ୬୩୯କୋଟି ୪୯ଲକ୍ଷ ଟଙ୍କା ଯୋଗାଇ ଦେଇ ୧୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣର ଦାୟିତ୍ୱ ନେଇଛନ୍ତି । ଏହି ପ୍ରକଳ୍ପରେ ମାଇକ୍ରୋ ଜଳସେଚନ ସୁବିଧା ଉପଯୋଗ କରି ଚାଷୀମାନେ ପାରମ୍ପରିକ ଧାନ ଫସଲ ବଦଳରେ ଅର୍ଥକାରୀ ଚାଷ ମଧ୍ୟ କରିପାରିବେ । ହାଟଡିହି ବ୍ଲକର ସୋସୋ ପ୍ରକଳ୍ପ ପାଇଁ ୩୩.୩୫କୋଟି, ବାଲିବରେଇ ପ୍ରକଳ୍ପ ପାଇଁ ୧୯.୨୩କୋଟି, ପଢ଼ିଆରିପଲ୍ଲୀ ପ୍ରକଳ୍ପ ପାଇଁ ୭୫.୩୦ କୋଟି, ରାଇଘାଟି ପ୍ରକଳ୍ପ ପାଇଁ ୨୩.୦୪ କୋଟି, ଦଲକି ପ୍ରକଳ୍ପ ପାଇଁ ୨୨.୨୨କୋଟି, ଆନନ୍ଦପୁର ଓ ଘସିପୁରା ବ୍ଲକର ବାଙ୍ଖିଡି ପ୍ରକଳ୍ପ ପାଇଁ ୪୫.୧୧କୋଟି, କୋଡପଡା ପ୍ରକଳ୍ପ ପାଇଁ ୩୯.୧୭କୋଟି, ପୁରୁଣାଘାଟି ପ୍ରକଳ୍ପ ପାଇଁ ୬୨.୨୪କୋଟି, କୋଳିମାଟି ପ୍ରକଳ୍ପ ପାଇଁ ୩୧.୭୩କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । କିପରି ଉକ୍ତ ପ୍ରକଳ୍ପ ଗୁଡିକ ତୁରନ୍ତ ନିର୍ମାଣ କରାଯାଇ ଚାଷୀଙ୍କ ଜମିକୁ ଜଳସେଚନର ବ୍ୟବସ୍ଥା କରାଯିବ ସେନେଇ ଚାଷୀମାନେ ଚାତକ ପରି ଚାହିଁ ରହିଥିବା କହିଛନ୍ତି । ଏ ସମ୍ପର୍କରେ ବାଲି ବରେଇ ଚାଷୀ କ୍ରୀୟାନୁଷ୍ଠାନ କମିଟିର ପୁର୍ବତନ ସଭାପତି ବୈଷ୍ଣବ ପୁହାଣ, ଶିକ୍ଷାବିତ ଅନ୍ତର୍ଯ୍ୟାମୀ ରାଉତ, ଶତୃଘ୍ନ ପାତ୍ର, ଗୋପାଳ ପଟ୍ଟନାୟକ, ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ଜିତେନ୍ଦ୍ର ବେହେରା, ଅଭୟ ବିଶ୍ୱାଳ, ଗୌରାଙ୍ଗ ରାଉତ, ନିରଞ୍ଜନ ରାଉତ, ତ୍ରୀଲୋଚନ ପହି, ନରହରି ରାଉତ ପ୍ରମୁଖ କହିଛନ୍ତି ଯେ ଯାହା ହେଉ ଦୀର୍ଘ ୩୦/୪୦ବର୍ଷ ହେଲା ଆମେ ଯେଉଁ ଦାବି କରିଆସୁଥିଲୁ ତାହାକୁ ସରକାର ଏବେ ଶୁଣିଛନ୍ତି । ଆମ ଅଞ୍ଚଳର ଜମିସବୁ ଏବେ ଶସ୍ୟ ଶ୍ୟାମଳା ହେବ । ଆମ ଅଞ୍ଚଳର ଖଣିଖାଦାନ ସବୁ ବନ୍ଦ ହୋଇଯାଇଥିବା ବେଳେ କେବଳ ଚାଷ ହିଁ ଆମର ସାହା ଭରଷା ପାଲଟିବ ବୋଲି କହିଥିଲେ । ସେହିପରି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡା, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର ନାୟକ, ସରପଞ୍ଚ ହରପ୍ରୀୟା ଦଣ୍ଡପାଟ, ସରପଞ୍ଚ ଅଜିତ ରାଉତ, ପୁର୍ବତନ ସରପଞ୍ଚ ନିରୁପମା ପାତ୍ର, ରାଜେନ୍ଦ୍ର ପାତ୍ର,ପୁର୍ବତନ ସରପଞ୍ଚ ପ୍ରତିଭା ରାଉତ, ସୋସୋ ସରପଞ୍ଚ ରାଜ କିଶୋର ଦାସ, ବାଙ୍ଗୋର ସରପଞ୍ଚ ଅଙ୍କିତା ପଢ଼ିଆରୀ, ଚିନ୍ତାମଣୀ ପାତ୍ର, ପୁର୍ବତନ ସରପଞ୍ଚ ସୁପ୍ରଭା ରାଉତ, ହଦଗଡ ସରପଞ୍ଚ ନିରୁପମା ନନ୍ଦି, ପୁର୍ବତନ ସରପଞ୍ଚ ମଦନ ମୋହନ ନନ୍ଦି ପ୍ରମୁଖ ରାଜ୍ୟ ସରକାର ଓ ଫାଇଭ ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ