ଚାଷୀଙ୍କ ଧାନ କିଣିବା ଦାବି ନେଇ ରାସ୍ତା ଅବରୋଧ

ଛତ୍ରପୁର : କରୋନା ଭୂତାଣୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଲକ୍ ଡାଉନ କୁ ପାଳନ କରିବା ନିମନ୍ତେ ଗଂଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀ ଓ ପୁଲିସ କର୍ମଚାରୀ ମାନେ ଅହରହ କାର୍ଯ୍ୟ କରୁଛନ୍ତି । ଏହାସହିତ ବିଭିନ୍ନ କଟକଣା ଜାରି କରାଯାଇଛି ।ସମସ୍ତେ ନିଜ ନିଜ ଘରେ ରହିବା ନିମନ୍ତେ କୁହାଯାଇଛି । ଆବଶ୍ୟକ ନଥିଲେ ଅଯଥାରେ ଘର ବାହାରକୁ ନଆସିବାକୁ କୁହଯାଇଛି । ଯେଉଁ ମାନେ ଏଥିରେ ଖିଲାପ କଲେ ସେମାନଙ୍କ ବିରୁଦ୍ଧ କଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ଜିଲ୍ଲାପ୍ରଶାସନ ବଡବଡ ଅଧିକାରୀ ମାନେ କରୋନା କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ ଚାଷୀମାନଙ୍କ କଥା ବୁଝିବା ନିମନ୍ତେ ଯୋଗାଣ ଓ ସମବାୟ ଅଧିକାରୀ ମାନଙ୍କ ଗୁରୁତ୍ୱ ଦେଉନଥିବା ଅଧିକାଂଶ ଚାଷୀମାନେ ଅଭିଯୋଗ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ଧାନ କିଣା ବନ୍ଦ ରହିଛି । ଯାହା ଫଳରେ ବହୁ ଚାଷୀମାନେ ଧାନ ବିକ୍ରି ନକରି ନିଜ ବିଲ କିମ୍ବା ଘର ସମ୍ମୁଖରେ ରଖିଥିବା ଦେଖିବାକୁ ମିଳିଛି । ଏହା ସହ ଯେଉଁ ମାନେ ଟୋକେନ୍ ପାଇଛନ୍ତି ସେମାନଙ୍କ ଟୋକେନ୍ ର ଅବଧି ଶେଷ ହୋଇଥିବା ଜଣାପଡ଼ିଛି । ସେହି ଚାଷୀ ମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଧାନ ବିକ୍ରି କରିନପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଜିଲ୍ଲାରେ ପ୍ରାୟ ୧୦ହଜାର ଉର୍ଦ୍ଧ୍ୱ ଚାଷୀଙ୍କ ଧାନ କିଣାଯାଇନାହିଁ । ସେହିପରି ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଡ଼ ମାଧପୁର ପଂଚାୟତର ବଡ଼ମାଧପୁର ଗ୍ରାମର ବହୁ ଚାଷୀ ମାନଙ୍କ ଧାନ ବିଲରେ ପଡ଼ି ରହିଛି । ସେମାନଙ୍କ ଧାନ କିଣାଯାଇନାହିଁ । ସେମାନଙ୍କୁ ଟୋକେନ୍ ମିଳିଥିଲେ ସୁଦ୍ଧା ସୋସାଇଟି ପକ୍ଷରୁ ସେମାନଙ୍କ ଧାନ କିଣାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହା ସହ ମାର୍ଚ୍ଚ ୨୬ ତାରିଖରୁ ଧାନ କିଣା ବନ୍ଦ ହୋଇଯିବା ପରେ ଚାଷୀ ମାନେ ବହୁ ହଇରାଣ ହରକତରେ ଧାନ ସବୁ ବିଲରେ ପକାଇ ଜଗି ବସିଛନ୍ତି । ସେମାନଙ୍କର ଧାନ ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର କିଣାଯିବା ଦାବି ନେଇ ମଙ୍ଗଳବାର ଗ୍ରାମର ୨୦ରୁ ଉର୍ଦ୍ଧ୍ୱ ଚାଷୀ ମାନେ ସେମାନଙ୍କର ଧାନ ବସ୍ତା ଗ୍ରାମର ମୁଖ୍ୟ ରାସ୍ତାରେ ପକାଇ ଛତ୍ରପୁର ତାରାତାରିଣୀ ମୁଖ୍ୟ ରାସ୍ତାକୁ ବନ୍ଦ କରି ଦେଇଛନ୍ତି । ଯାହା ଫଳରେ ବହୁ ମାଲ୍ ବୋଝେଇ ଯାନବାହାନ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଏହାର ସୂଚନା ପାଇ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ସେମାନଙ୍କୁ ଫୋନ୍ ଯୋଗେ କହିଥିଲେ ଯେ ଲକ୍ ଡ଼ାଉନ୍ ପରେ ତୁମର ଧାନ କିଣାଯିବ ତେଣୁ ଆପଣମାନେ ମୁଖ୍ୟ ରାସ୍ତାରୁ ଧାନ ବସ୍ତା କାଡ଼ି ରାସ୍ତା ଅବରୋଧ ହଟାଇ ନିଜ ନିଜ ଘରେ ରୁହନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଚାଷୀ ମାନେ ଦିନ ଗୋଟାଏରୁ ରାସ୍ତାରୋକରୁ ହଟି ନିଜ ନିଜ ଘରକୁ ଯାଇଥିଲେ । ଗଂଜାମ ଜିଲ୍ଲାରେ ରହିଯାଇଥିବା ଚାଷୀମାନଙ୍କ ଧାନ କିଣିବା ନିମନ୍ତେ ଋଷିକୂଲ୍ୟା ରୟତ ମହାସଭା ର ଉପଦେଷ୍ଟା ପ୍ରଫୁଲ ସାମନ୍ତରା ଓ ସମ୍ପାଦକ ସିମାଞ୍ଚଳ ନାହାକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ