ଚାଷୀଙ୍କ ସ୍ୱାର୍ଥରେ ଡ଼ିସେମ୍ବର ୮ ବନ୍ଦ ପାଳନକୁ ସମର୍ଥନ ପାଇଁ ନିବେଦନ : ଶେଷଦେବ ନନ୍ଦ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍କୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଦିଆଯାଇଥିବା ସର୍ବଭାରତୀୟ ଧାରଣାର ଡ଼ାକରା ଅନୁଯାୟୀ ଡ଼ିସେମ୍ବର ୮ ଭାରତ ବନ୍ଦକୁ ସମସ୍ତ ବ୍ୟବସାୟୀ, ପରିବହନ ସଂଘ ଓ ସକଳ ବର୍ଗର ଲୋକେ ସମର୍ଥନ କରିବା ସହ ବନ୍ଦ ପାଳନରେ ସାମିଲ ହେବା ପାଇଁ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏକ ପ୍ରେସ୍ ବିବୃତ୍ତିରେ ନିବେଦନ କରିଛନ୍ତି । ଶ୍ରୀ ନନ୍ଦ କହିଛନ୍ତି ଯେ, ଦିନେ କୃଷି ସଙ୍କଟ ଯୋଗୁ ଦେଶରେ ଖାଦ୍ୟାଭାବ ଦେଖା ଦେଇଥିଲା ଓ ଆମେ ଆମେରିକାର ଖଣ୍ଡି ଗହମ ଖାଉଥିଲୁ । କିନ୍ତୁ ଅନ୍ନଦାତାଙ୍କ ଅକ୍ଲାନ୍ତ ପରିଶ୍ରମରେ ଆଜି ଖାଦ୍ୟାଭାବ ଦୂର ହୋଇଛି । ଦେଶକୁ ଖାଦ୍ୟ ସଙ୍କଟରୁ ଉଦ୍ଧାର କରିଥିବା ଚାଷୀକୁଳ ବିରୁଦ୍ଧରେ କଳା କାନୁନ୍ ଆଣି ଚାଷୀକୁଳ ସହ ବିଶ୍ୱାସଘାତକତା କରାଯାଉଛି । ଦୀର୍ଘଦିନ ଆନ୍ଦୋଳନ ସତ୍ତ୍ୱେ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଚାଷୀମାନଙ୍କର ଦାବୀ ଶୁଣୁନଥିବାରୁ ବନ୍ଦ ପାଳନର ଆବଶ୍ୟକତା ପଡ଼ିଛି । ଏହି ଚାଷୀ ବିରୋଧୀ କଳା ଆଇନ୍ ବିରୁଦ୍ଧରେ ଦିଲ୍ଲୀରେ ଚାଲିଥିବା ସଂଘର୍ଷକୁ ସାରା ପୃଥିବୀରୁ ଓ ଦେଶରୁ ବିଭିନ୍ନ ବର୍ଗରୁ ସମର୍ଥନ ମିଳିଲା ବେଳେ ନୈତିକତା ଦୃଷ୍ଟିରୁ ଚାଷୀମାନଙ୍କର ଏହି ନ୍ୟାୟପୂର୍ଣ୍ଣ ଆନ୍ଦୋଳନକୁ ରାଜ୍ୟବାସୀ ଦଳମତ, ଜାତିଧର୍ମ ନିର୍ବିଶେଷରେ ଉପରକୁ ଉଠି ସମର୍ଥନ କରିବାକୁ ଶ୍ରୀ ନନ୍ଦ ନିବେଦନ କରିଛନ୍ତି ।


