ଚାଷୀମାନଙ୍କୁ ଉଦ୍ୟୋଗପତି କରି ଗଢିତୋଳ ଜିଲ୍ଲାପାଳ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଚାଷୀମାନଙ୍କୁ ସଂପୃକ୍ତ ବିଭାଗ ଗୁଡିକ ଆନୁସଙ୍ଗୀକ ସହାୟତା କରନ୍ତୁ । ଚାଷୀ ସାଧାରଣ ସ୍ତରରୁ ଉନ୍ନତୀ ହୋଇ ଉଦ୍ୟୋଗପତି ହେଉ । ସେହି ହାରରେ ଚାଷୀକୁ ଦିଗ୍ ଦର୍ଶନ ଦେବାପାଇଁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରବି ଚାଷ ନୀତି ନିର୍ଦ୍ଧାରଣ କମିଟି ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ , ମୃତ୍ତିକା ତ୍ପରୀକ୍ଷା ସୂଚନା କାର୍ଡ ର କଳେବର ବଦଳାଯାଉ । ସେଥିରେ ମାଟିର ସାଧାରଣ ସ୍ଥିତି ସହିତ ନମୂନା ପରୀକ୍ଷାର ଫଳାଫଳ ଏବଂ ଚାଷୀ ଉପଦେଶ ବର୍ଣ୍ଣିତ ରହୁ । ପ୍ରତ୍ୟେକ ଚାଷୀର ଜମିରୁ ବର୍ତ୍ତମାନ ଆୟ ଅନୁଧ୍ୟାନ କରାଯାଉ । କେଉଁ ପ୍ରକାର ପରିବର୍ତ୍ତିତ ଚାଷ କଲେ ଆୟ ଦ୍ୱିଗୁଣିତ ହୋଇପାରିବ ତାର ପରାମର୍ଶ ଦିଆଯାଉ । ପାରମ୍ପରିକ ନୀତି ନିର୍ଦ୍ଧାରଣକୁ ଜିଲ୍ଲାପାଳ ଅଗ୍ରାହ୍ୟ କରିବା ସହିତ ଚାଷରେ କର୍ମଚାରୀ ମାନଙ୍କ ଦକ୍ଷତା ସଂଯୋଗ କରିବାପାଇଁ କହିଥିଲେ । ଧାନଚାଷ ପରେ ଜମିରେ ପନିପରିବା, ତୈଳବୀଜ କିମ୍ବା ଫୁଲଚାଷ କରିବା ପାଇଁ ପରାମର୍ଶ ଦିଆଯିବ । କୃଷି ବିଭାଗ, ଉଦ୍ୟାନ ବିଭାଗ ,ମତ୍ସ୍ୟ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ଜଳସେଚନ ବିଭାଗ ଓ ବ୍ୟାଙ୍କ କର୍ମଚାରୀ ସାମୁହିକ ଭାବରେ ଚାଷୀଙ୍କୁ ପରାମର୍ଶ ଦେବେ । ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀକୁ ଏଥିରେ ସାମିଲ କରାଯିବ । ଏଥିପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ଦଶଜଣ ଚାଷୀଙ୍କୁ ଚିହ୍ନଟ କରାଯାଇ, ପରାମର୍ଶ ଦିଆଯିବା ସହିତ ସେମାନଙ୍କ କ୍ଷେତକୁ ପ୍ରଦର୍ଶନୀ କ୍ଷେତ୍ର କରାଯିବ । ଏମାନଙ୍କ ସଫଳତା ଦ୍ୱାରା ଅନ୍ୟ ଚାଷୀ ଙ୍କୁ ଅନୁପ୍ରାଣୀତ କରାଯିବ । ଚାଷୀଙ୍କୁ ଉତ୍ତମ ମାନର ବିହନ ରିହାତି ଦରରେ ପ୍ରଦାନ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରିହାତି ହାରରେ କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ ସହାୟତାକୁ ସରଳୀକରଣ କରାଯିବ । ଏଥିପାଇଁ ଜିଲ୍ଲାପାଳ କୃଷି ବିଭାଗକୁ ପତ୍ର ଲେଖିବେ । ଜିଲ୍ଲା ବାହାରୁ କିମ୍ବା ରାଜ୍ୟ ବାହାରୁ ସଫଳ ଚାଷୀମାନଙ୍କୁ ଆମନ୍ତ୍ରୀତ କରାଯାଇ ସେମାନଙ୍କ ର ଚାଷ କୈାଶଳ ବିଷୟରେ ଗଂଜାମ ଜିଲ୍ଲାର ଚାଷୀଙ୍କୁ ଅବଗତ କରାଯିବ । ଜିଲ୍ଲାରେ ଯେଉଁ ମାନେ ସଫଳ ଚାଷୀ ଅଛନ୍ତି ବିଭିନ୍ନ ସଭାସମିତି ମାନଙ୍କରେ ସେମାନଙ୍କ ସଫଳତାକୁ ଲୋକ ଲୋଚନକୁ ଅଣାଯିବ । ଜୈବିକ ଚାଷ ଉପରେ ଜିଲ୍ଲାପାଳ ଅଗ୍ରାଧିକାର ଦେଇଛନ୍ତି । ସୈାରଚାଳିତ ପାଣିପମ୍ପର ବ୍ୟବହାର ବ୍ୟାପକ କରାଯିବ । ଏଥିପାଇଁ କୃଷି ବିଭାଗ କର୍ମଚାରୀଙ୍କୁ ଗାଁ ଗାଁ ବୁଲି ଦରଖାସ୍ତ ସଂଗ୍ରହ କରିବାପାଇଁ ଜିଲ୍ଲାପାଳ କହିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ କାଶିନାଥ ଖୁଣ୍ଟିଆ, ଆତ୍ମାର ରାଜ୍ୟ ସଂଯୋଜକ ବସନ୍ତ କୁମାର ସର , ଜାତୀୟ ଖାଦ୍ୟ ନିରାପତ୍ତା ମିଶନର ଉପ ପ୍ରକଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ରାଓ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।