ଚାଷୀ ଆତ୍ମହତ୍ୟା ରୋକିବାରେ ସରକାର ବିଫଳ ହୋଇଛନ୍ତି
ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):କ୍ରମାଗତ ଚାଷୀ ଆତ୍ମହତ୍ୟା ରୋକିବାରେ ରାଜ୍ୟ ସରକାର ଚରମ ବିଫଳ ହୋଇଛନ୍ତି। କେବଳ ବିଫଳ ହୋଇନାହାନ୍ତି, ଏ ଚାଷୀ ଆତ୍ମହତ୍ୟା ପାଇଁ ଆମ ରାଜ୍ୟ ସରକାର ଶତପ୍ରତିଶତ ଦାୟୀ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି। ଶ୍ରୀ ନନ୍ଦ କହିଛନ୍ତି, ରାଜ୍ୟରେ ଏକ ପ୍ରଚାରମୁଖୀ ସରକାର ଚାଲିଛି। ନବୀନଙ୍କ ଶାସନ ଆରମ୍ଭରୁ ପ୍ରତି ବର୍ଷ ହଜାର ହଜାର ଏକର ଜମିକୁ ଜଳ ସେଚନ କରାଯିବ ବୋଲି କୁହାଯାଉଥିଲେ ହେଁ ଅଧିକାଂଶ ଜମି ଏବେ ବି ଅଣ ଜଳସେଚିତ। ମରୁଡି ଅଞ୍ଚଳ ଓ ଶୁଖା ଜମିରେ ଏବେ ବି ବଲାଙ୍ଗୀର ଏକ ନମ୍ବର ରହିଛି। ସେହିଭଳି ରିଲିଫ୍ କୋର୍ଡରେ ଚାଷୀଙ୍କ କ୍ଷତି ଭରଣା ପାଇଁ ବରାଦ ଅର୍ଥ ସମୁଦ୍ରକୁ ଶଙ୍ଖେ ଭଳି। କିନ୍ତୁ କର୍ମଚାରୀଙ୍କ ଦରମା, ପେନସନ୍ ଓ ରାସ୍ତାଘାଟରେ ସରକାର ହଜାର ହଜାର କୋଟି ବ୍ୟୟ କରୁଥିବା ବେଳେ ଚାଷୀଙ୍କୁ ଜଳସେଚନ, ଚାଷ ପାଇଁ ଆର୍ଥିକ ପ୍ରୋତ୍ସାହନ ଓ ଧାନ ଦର୍ ଉପରେ ବୋନସ୍ରେ ସରକାର ଟଙ୍କାଟିଏ ବି ଖର୍ଚ୍ଚ କରୁନାହାନ୍ତି। ବିଗତ ଦିନରେ ଚାଷୀ ଆତ୍ମହତ୍ୟା ସମୟରେ ସରକାରଙ୍କ ଭାବମୂର୍ତ୍ତି ରକ୍ଷା କରିବା ପାଇଁ ବିଭିନ୍ନ ନକଲି କୃଷିବିତ୍ତ, ସମାଜସେବୀ ଚାଷୀମାନେ ଅଣ ଧାନ ଫସଲ ଉତ୍ପାଦନ କରିବାକୁ ଆହ୍ବାନ ଦେଇଥିଲେ। ହେଲେ, ପରବର୍ତ୍ତୀ ସମୟରେ ପ୍ରକୃତରେ କେଉଁ ଅଣ ଧାନ ଫସଲ ଉତ୍ପାଦନ କଲେ ଚାଷୀଙ୍କ ମୁଣ୍ଡ ପିଛା ଆୟ ବଢ଼ିବ ଓ ଚାଷୀମାନେ ଆତ୍ମହତ୍ୟା ଭଳି ଅଭାବନୀୟ ନିଷ୍ପତିର ଶୀକାର ହେବେ ନାହିଁ ସେ ନିଷ୍ପତି କଲେ ନାହିଁ। ଯାହା ଫଳରେ ରଣପୁର, ଧର୍ମଶାଳା ଓ ବଲାଙ୍ଗୀର ଚାଷୀ ଆତ୍ମହତ୍ୟା ପରେ ପୂର୍ନବା୍ର ବଲାଙ୍ଗୀର ଟିଟିଲାଗଡ଼ର ବିନେକେଲା ଗ୍ରାମର ଚମରୁ ବାଗ୍ ଆତ୍ମହତ୍ୟା କରିଛନ୍ତି। ଆଗରୁ ଚାଷରେ କ୍ଷତି ସହି ଓ ଋଣ ଗ୍ରସ୍ତ ଥିବା ଶ୍ରୀ ବାଗ୍ ଋଣ କେମିତି ଶୁଝିବେ ଚିନ୍ତାରେ ରହୁଥିଲେ। ସୂଚନା ଯୋଗ୍ୟ ଯେ, ତାଙ୍କ ନାମ ମଣ୍ଡିରେ ପଞ୍ଜିକୃତ ହୋଇନଥିବାରୁ ସେ ସରକାରୀ ଧାନ ଦର୍ ପାଇବେନି ବୋଲି ସ୍ଥିର ଥିଲେ। ତାଙ୍କର ଋଣ ଶୁଝିବାର ବିକଳ୍ପ ନଥିବାରୁ ସେ ଅନନ୍ୟୋପାୟ ଆତ୍ମହତ୍ୟା କରିଛନ୍ତି। ମିଛ ବିକାଶର ଡିଣ୍ଡିମ ପିଟି ଆତ୍ମହରା ହେଉଥିବା ବିଜେଡ଼ି ନେତୃବୃନ୍ଦ ଚାଷୀ ଆତ୍ମହତ୍ୟାର ଏହି ପାପକୁ ମୁଣ୍ଡରେ ମୁଣ୍ଡେଇବାକୁ ଶ୍ରୀ ନନ୍ଦ ଆହ୍ବାନ ଜଣାଇଛନ୍ତି। ସେ କହିଛନ୍ତି ଯେ, ରାଇଜ ପାପ ରଜା ମୁଣ୍ଡରେ। ଏହି ନ୍ୟାୟରେ ଏହି ଆତ୍ମହତ୍ୟା କରିଥିବା ସମସ୍ତ ଚାଷୀଙ୍କ ମୃତ୍ୟୁ ପାଇଁ ନୀବନ ପଟ୍ଟନାୟକ ଦାୟୀ। ତୁରନ୍ତ ଏହି ଆତ୍ମହତ୍ୟାର ନିରପେକ୍ଷ ତଦନ୍ତ କରାଯିବା ସହ ଏହି ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ଶ୍ରୀ ନନ୍ଦ ଦାବୀ କରିଛନ୍ତି।