ଚାଷୀ କ୍ଷେତ୍ର ପରିଦର୍ଶନ କଲେ ବରିଷ୍ଠ କୃଷି ବିଶେଷଜ୍ଞ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଚାଷ ହୋଇଥିବା ଖରିଫ ଧାନ କ୍ଷେତରେ ପୋକ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ୨୩ଗୋଟି ପଞ୍ଚାୟତର ଚାଷୀମାନେ ଏବେ ଚିନ୍ତାରେ। ଧାନର ବର୍ତ୍ତମାନ ଥୋଡ଼ ସମୟ ଆସିଥିବା ବେଳେ ଚାଷ ଜମିରେ ମାଟିଆ ଗୁଣ୍ଡି, ଧଳା ପଠିଆ, ଗୁଣ୍ଡିପୋକ ଦେଖାଯାଇଛି। ଏହାଛଡା ପତ୍ର ପୋଡା ଓ କାଣ୍ଡବିନ୍ଧା ମଧ୍ୟ ବ୍ୟାପିବାରେ ଲାଗିଛି। ତେଣୁ ଆଜି କେନ୍ଦ୍ରୀୟ ସମ୍ବନିତ କୀଟ ପରିଚାଳନା କେନ୍ଦ୍ର ଭଦ୍ରକର ମୁଖ୍ୟ ବୈଜ୍ଞାନିକ ଡକ୍ଟର ରାଜେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଅଧିକାରୀ ମାନେ ତେସିଙ୍ଗା, ପାଟୁଳି, ନେରଡ଼ା ପଞ୍ଚାୟତର ପ୍ରଭାବିତ ଚାଷ ଜମିକୁ ପରିଦର୍ଶନ କରିଛନ୍ତି। କ୍ଷେତ୍ର ପରିଦର୍ଶନ ବେଳେ ଅଧିକାରୀ ମାନେ ଚାଷୀ ମାନଙ୍କ ସହିତ ବିଭିନ୍ନ ଆଲୋଚନା କରିଥିବା ବେଳେ ପ୍ରତିକାର ପାଇଁ ପରାମର୍ଶ ଦେଇଛନ୍ତି। ଏଥିରେ ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର ସହଯୋଗୀ ନିର୍ଦେଶକ ଉମାଶଙ୍କର ନାୟକ, ଗୋଷ୍ଠୀ କୃଷି ଅଧିକାରିଣୀ ସୁଦୀପ୍ତା ପଣ୍ଡା, ସିଆରପିଏମସି କ୍ଷେତ୍ର ଅଧିକାରୀ ଅରିନ୍ଦମ ବାନାର୍ଜୀ, ଗ୍ରାମ୍ୟ କୃଷି କର୍ମଚାରୀ ଆଶିଷ କୁମାର ରାଉତ, ଗୀତାଞ୍ଜଳି ପତି, ମମତା ମଞ୍ଜରୀ ସେଠୀ ପ୍ରମୁଖ ଚାଷ ଜମି ପରିଦର୍ଶନ କରିଛନ୍ତି। ସମ୍ପ୍ରତି ପୋକ ଉପଦ୍ରବକୁ ଆଖିଆଗରେ ରଖି ଦୈନନ୍ଦିନ କ୍ଷେତ୍ର ପରିଦର୍ଶନ କରି ତଥ୍ୟ ଦେବାକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଧର ଦାସ ବ୍ଲକ ସ୍ତରୀୟ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି।