ଚାଷୀ ଟଙ୍କା ନପାଇବା ପ୍ରସଙ୍ଗକୁ ନେଇ ରାଇଘର ବ୍ଲକରେ ବିଜେଡ଼ି ବନ୍ଦ ଡାକରା
ନବରଙ୍ଗପୁର(ୱାଇଏନଏସ): ରାଇଘର ଲ୍ୟାମ୍ପ ଧାନ ମଣ୍ଡିରେ ଧାନ ଦେଇ ଦୀର୍ଘ ୫ ମାସ ହେଲା ଚାଷୀ ସେମାନଙ୍କ ଟଙ୍କା ପାଇ ନାହାଁନ୍ତି। ଏହି ପରିପ୍ରେକ୍ଷୀ ରେ ଚାଷୀଙ୍କୁ ସମର୍ଥନ ଜଣାଇ ଆଜି ବିଜେଡି ପକ୍ଷରୁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା।ଏହି ବନ୍ଦ ସମୟରେ ଜରୁରୀ କାଳୀନ ସେବାକୁ ଯେପରିକି ଔଷଧ ଦୋକାନ, କ୍ଷୀର ଗାଡି, ଆମ୍ବୁଲାନ୍ସ କୁ ବାଦ ଦେବା ସହ ବ୍ଲକର ସମସ୍ତ ଦୋକାନ ବଜାର, ଗାଡି ମୋଟର ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।ଏହି ବନ୍ଦ ଫଳରେ ଓଡିଶା ଓ ଛତିଶଗଡ଼ ସହ ଏହି ବ୍ଲକରୁ ଅନ୍ୟ ବ୍ଲକକୁ ଗାଡି ଚଳାଚଳ ବନ୍ଦ ରହିଥିଲା। ବିଜେଡି କର୍ମୀମାନେ ରାଇଘର ବ୍ଲକ ମୁଖ୍ୟରାସ୍ତା ଠାରେ ଥିବା ହନୁମାନ ମନ୍ଦିର ଛକ ଠାରେ ଗାଡି ମୋଟର ଅଟକାଇ ପ୍ରତିବାଦ କରିଥିଲେ। ଚାଷୀମାନେ ସରକାର ବିରୋଧୀ ନାରା ଦେବା ସହ ତୁରନ୍ତ ଟଙ୍କା ଦେବାପାଇଁ ଦାବି କରିଥିଲେ । ଚାଷୀମାନେ ପୂର୍ବରୁ ସମସ୍ୟାର ସମାଧାନ ପାଇଁ ଦୁଇଥର ଲ୍ୟାମ୍ପ କାର୍ଯ୍ୟାଳୟ ଘେରାଉ କରିଥିଲେ ହେଲେ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ କେବଳ ପ୍ରତିଶୃତି ହିଁ ମିଳିଥିଲା। ସେଭଳି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ମଧ୍ୟ ଜିଲ୍ଲା ଯୋଗାଣ ଅଫିସ ଘେରାଉ କରାଯାଇଥିଲା ଏଜ ସେଠାରେ ୨୦ ଦିନ ମଧ୍ୟରେ ଚାଷୀଙ୍କୁ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା କିନ୍ତୁ ଏଯାଏଁ ଚାଷୀଙ୍କୁ ଟଙ୍କା ମିଳିପାରି ନାହିଁ । ଏହାପରେ ପୁଣି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଭୁବନେଶ୍ୱର ଠାରେ ଚାଷୀମାନଙ୍କୁ ନେଇ ଆହୋରାତ୍ର ଆନ୍ଦୋଳନ ଜାରି ରହିଛି । ଲ୍ୟାମ୍ପ ଓ ଜିଲ୍ଲା ଯୋଗାଣ ବିଭାଗର ସମନ୍ୱୟ ଅଭାବ ଯୋଗୁଁ ରାଇଘର ବ୍ଲକର ୩୪୪ ଜଣ ଚାଷୀ ୧୪,୨୦୦ କୁଇଣ୍ଟାଲ ଧାନ ମଣ୍ଡିରେ ବିକ୍ରି କରିଥିଲେ । ଯାହାର ମୂଲ୍ୟ ପ୍ରାୟ ୪କୋଟି ୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ହବ ଯାହା ଚାଷୀମାନେ ଏଯାଏଁ ପାଇ ନାହାଁନ୍ତି । ଚାଷୀଙ୍କ ଏହି ଦାବିକୁ ସମର୍ଥନ ଜଣାଇ ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ସହ କଳା ଦିବସ ପାଳନ କରାଯାଇଛି । ଏହି ବନ୍ଦ ରେ ପୂର୍ବତନ ବିଧାୟକ ସୁବାସ ଗଣ୍ଡ , ନବିନା ନାୟକ,ବ୍ଲକ ଚେୟାରମ୍ୟାନ ଗୁପ୍ତ ପ୍ରସାଦ ଝଙ୍କାର ଉପେନ୍ଦ୍ର ଗଣ୍ଡ, ଚିତ୍ତରଞ୍ଜନ ଗଣ୍ଡଙ୍କ ସମେତ ଅନେକ ବିଜେଡି ନେତା ଏବଂ ଶତାଧିକ ଚାଷୀ ସାମିଲ ହୋଇଥିଲେ ।