ଚାଷୀ ପଞ୍ଜୀକରଣ ପ୍ରଶିକ୍ଷଣ ଶିବିର ଅଗଷ୍ଟ ୩୧ ସୁଦ୍ଧା ପଞ୍ଜୀକରଣ ଶେଷ କରିବାକୁ ପରାମର୍ଶ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଚାଷୀ ପଞ୍ଜୀକରଣ ସଂପର୍କୀତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦୨୦-୨୧ ଖରିଫ ବର୍ଷ ପାଇଁ ନୂତନ ଚାଷୀ ପଞ୍ଜୀକରଣ ଓ ଗତବର୍ଷ ପଞ୍ଜୀକରଣ କରିଥିବା ଚାଷୀ ମାନଙ୍କର ନବୀକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଚାଷୀ ପଞ୍ଜୀକରଣ ଓ ନବୀକରଣ କାର୍ଯ୍ୟ ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା ଶେଷ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଭାଗ ଚାଷୀ ମାନେ ଜମି ମାଲିକଙ୍କ ଠାରୁ ସମ୍ମତି ପତ୍ର ଆଣିବା ସହିତ ଜମି ପଟ୍ଟା, ଆଧାର କାର୍ଡର ଜେରେକ୍ସ ଓ ମୋବାଇଲ ନମ୍ବର ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଥିବା ସୂଚନା ଦିଆଯାଇଥିଲା । ଚାଷୀ ମାନେ ପଞ୍ଜୀକରଣ କରିବା ସମୟରେ ଧାନ ବିକ୍ରିର ସମ୍ଭାବ୍ୟ ତାରିଖ ଉଲ୍ଲେଖ କରିବାକୁ ପରାମର୍ଶ ଦିଆଯାଇଥିଲା । ଶିବିରରେ ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୀତାଂଶୁ ଶେଖର ସାହୁ, ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରା, ପିପାସ୍ର ଡିଇଓ ସମରଜିତ୍ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ୧୦ଟି ସେବା ସମବାୟ ସମିତିର ସଂପାଦକ, ଡାଟା ଏଣ୍ଟ୍ରି ଅପରେଟର, ରାମପୁର, ରାମକୃଷ୍ଣପୁର, ରାମଚନ୍ଦ୍ରପୁର, ଛୟାଳସିଂ ଆଦି ପଞ୍ଚାୟତର ମହିଳା ମହାସଂଘର ସଂପାଦକ, ଡାଟା ଏଣ୍ଟ୍ରି ଅପରେଟର ମାନେ ଯୋଗ ଦେଇଥିଲେ । ଶିବିର ପରିଚାଳନାରେ ମିଶନଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ଚିରଞ୍ଜୀବ୍ ଦାସ ସହଯୋଗ କରିଥିଲେ ।