ଚାଷୀ ଭୋଟରେ ଚାଷୀ ସରକାର ପାଇଁ ରଶ୍ମି ରଂଜନଙ୍କ ଆହ୍ବାନ

ତିର୍ତ୍ତୋଲ, (ଯୁଗାବ୍ଦ ନ୍ୟୁଜ):ଚାଷୀ ଭୋଟରେ ଚାଷୀ ବିରୋଧୀଙ୍କୁ ପରାସ୍ତ କର । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକରେ ଯୋଗଦେଇ ଏହି ଆହ୍ବାନ ଦେଇଛନ୍ତି ନବନିର୍ମାଣ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ। ରାଜ୍ୟ ସହସଂଯୋଜକ ରଶ୍ମି ରଂଜନ ସ୍ବାଇଁଙ୍କ ଆହ୍ବାନ କ୍ରମେ ଆୟୋଜିତ ଏହି ସମାବେଶକୁ ଉଦବୋଧନ ଦେଇ ଶ୍ରୀ ନନ୍ଦ କହିଥିଲେ ଯେ, ଏ ଦେଶ ଏକ ଚାଷୀ ପ୍ରଧାନ ଦେଶ ଓ ଚାଷୀ ପ୍ରଧାନ ରାଜ୍ୟ । ହେଲେ, ଚାଷୀ ପ୍ରଧାନ ରାଜ୍ୟରେ ଓ ଚାଷୀ ପ୍ରଧାନ ଦେଶରେ ଚାଷୀଙ୍କୁ ଚରମ ଅବହେଳାର ଶୀକାର ହେବାକୁ ପଡ଼ୁଛି। ବନ୍ୟା, ବାତ୍ୟା, ମରୁଡ଼ି, ବିପର୍ଯ୍ୟୟ ଚାଷୀଙ୍କ ଅଣ୍ଟାକୁ ଯେତିକି ଭାଙ୍ଗୁ ନାହିଁ, ତାଠାରୁ ବେଶୀ ଅସହ୍ୟ ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ମନଭାବ । ରାଜ୍ୟ ଓ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଯେତିକି ଗୁରୁତ୍ବ ଦିଅନ୍ତି ଚାଷୀଙ୍କୁ ସମାନ ଅନୁପାତରେ ଅବହେଳା କରନ୍ତି। ସମସ୍ତେ ସେମାନଙ୍କର ଉତ୍ପାଦ ପାଇଁ ଉଚିତ୍ ମୂଲ୍ୟ ନେଲା ବେଳେ ଚାଷୀକୁ ସରକାର ଦିଅନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ। ଏହି ସର୍ବନିମ୍ନ ସହାୟକ ବଦଳରେ ଉଚିତ୍ ମୂଲ୍ୟ ପାଇଁ ଚାଷୀ ସରକାର ଗଢ଼ା ହେବ। ସରକାରୀ ବ୍ୟବସ୍ଥାକୁ କଠୋର ସମାଲୋଚନା କରି ସହସଂଯୋଜକ ରଶ୍ମିରଂଜନ ସ୍ବାଇଁ କହିଲେ ଯେ, ମୁଣ୍ଡକୁ ଚାହିଁ ଟୋପି ବଦଳରେ, ଟୋପିକୁ ଚାହିଁ ମୁଣ୍ଡର ଶାସନ ଚାଲିଛି। ରଜା, ଜମିଦାରଙ୍କ ଶାସନ ପରେ ଗଣତନ୍ତ୍ର ଶାସନରେ ଚାଷୀ ଆତ୍ମହତ୍ୟା କରୁଛି। ଏଭଳି ସରକାରକୁ କେବେ ବି ବରଦାସ୍ତ କରାଯିବ ନାହିଁ। ଏହା ବିରୁଦ୍ଧରେ ଆମକୁ ଚାଷୀ ସଂଗଠନର ପ୍ରାର୍ଥୀ ରବୀନ୍ଦ୍ର ସେଠୀଙ୍କୁ ଜିତେଇବାକୁ ସେ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ରାଜ୍ୟ କମିଟି ସଭ୍ୟ ଦେବୀ ପ୍ରସାଦ ମହାରଣା ବୈପ୍ଲବିକ ସଂଗୀତ ଗାନ କରିବା ସହ ବକ୍ତବ୍ୟ ରଖିଥିଲେ। ପ୍ରାର୍ଥୀ ରବିନ୍ଦ୍ର ସେଠୀ ମୁଁ ରାଜନୀତିରୁ ରୋଜଗାର ନୁହେଁ, ପରିବର୍ତ୍ତନ ପାଇଁ ଓହ୍ଲାଇଛି ବୋଲି କହିଥିଲେ। ଆଜିର ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ବ୍ଲକ୍ ସଂଯୋଜକ ମଙ୍ଗୁଳି ରାଉତ, ରଘୁନାଥପୁର ସଂଯୋଜକ ସରତ ମହାପାତ୍ର, ବିରିଡ଼ି ସଂଯୋଜକ ଆଲୋକ ସ୍ବାଇଁ ଓ ବହୁ ବରିଷ୍ଠ ସଂଗଠକ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ