ଚାଷୀ ହନ୍ତସନ୍ତ ; ସମିତିକୁ ମିଳୁନାହିଁ ସାର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟେ।ଧନ ଲେଙ୍କା): ଖୋଲା ମାର୍କେଟରେ ବହୁଳ ପରିମାଣରେ ସାର ବିକ୍ରୟ ହେଉଥିବାବେଳେ ସମିତି ମାନଙ୍କରେ କିନ୍ତୁ ସାର ମହଜୁଦ ନଥିବା ଜଣାଯାଇଛି । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ଅଧିନ ୧୦ଗୋଟି ସମବାୟ ସମିତିରେ ଏବେ ସାରର ଘୋର ଅଭାବ ଦେଖାଦେଇଛି । ଜିଲ୍ଲା ମାର୍କଫେଡ ପକ୍ଷରୁ ସାର ଯୋଗାଣରେ ବିଳମ୍ବ ହେଉଥିବା ଜଣାପଡିଛି । ଏପଟେ ଚାଷୀମାନେ ସମିତିରୁ ଠିକ ସମୟରେ ସାର ପାଇ ପାରୁନଥିବାବେଳେ ଏବେ ଖୋଲା ମାର୍କେଟରୁ ଚଢା ଦରରେ ସାର କ୍ରୟ କରୁଥିବା ଜଣାପଡିଛି । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପ୍ରତ୍ୟେକ ସମିତିରେ ହଜାରେରୁ ବାରଶହ ଚାଷୀ ଥିବାବେଳେ ସମିତିକୁ ସାର ଆସିଛି ମାତ୍ର ୧୦୦ରୁ ଦେଢଶହ ବସ୍ତା । ବ୍ଲକ ଅଞ୍ଚଳରେ ଥିବା ସ୍ୱୀକୃତିପ୍ରାପ୍ତ ଖୁଚୁରା କେନ୍ଦ୍ର ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ସାର ଥିବାବେଳେ ସମିତି ଗୁଡିକୁ କାହିଁକି ଏତେ କମ ଗୁଡାଏ ସାର ପ୍ରଦାନ କରାଯାଉଛି ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସମ୍ପର୍କରେ ମାର୍କଫେଡ ସହିତ ଯୋଗାଯୋଗ କରାଯିବାରୁ ସେମାନେ ଆବଶ୍ୟକ କରୁଥିବା ସାର ସରକାର ଠିକଭାବେ ଯୋଗାଉନଥିବାରୁ ସମିତି ଗୁଡିକରେ ଏଭଳି ଅସୁବିଧା ଦେଖାଦେଇଛି । ମାର୍କଫେଡ ୧୦ରୁ ୧୨ହଜାର ମେଟ୍ରିକ ଟନ ସାର ପାଇଁ ପ୍ରସ୍ତାବ ଦେଇଥିବାବେଳେ ମିଳିଛି ମାତ୍ର ୨ରୁ୩ହଜାର ମେଟ୍ରିକ ଟନ । ସେତିକି ସାରକୁ ଜିଲ୍ଲାର ୧୦୮ଗୋଟି ସମିତି ମଧ୍ୟରେ ବଣ୍ଟାଯାଇଥିବାବେଳେ ଏବେ ସାରର ଅଭାବ ପରିଲକ୍ଷିତ ହେଉଛି । ଏପଟେ ଜିଲ୍ଲା ହୋଲସେଲରଙ୍କ ନିକଟରେ ବହୁଳ ପରିମାଣରେ ସାର ମହଜୁଦ ଥିବାବେଳେ ଖୁଚୁରା ବିକ୍ରେତାଙ୍କ ପାଖରେ ମଧ୍ୟ ସମ୍ପୂର୍ଣ୍ଣ ସାର ରହୁଛି । ଉକ୍ତ ହିସାବ ଦିଲ୍ଲୀରେ ଦେଖାଯାଉଥିବାବେଳେ ଜିଲ୍ଲାରେ ଆବଶ୍ୟକୀୟ ପରିମାଣର ସାର ମହଜୁଦ ଥିବା ଉଚ୍ଚପଦସ୍ଥ ଅଧିକାରୀ ମାନେ ଅନଲାଇନ ମାଧ୍ୟମରେ ଜାଣି ପାରୁଛନ୍ତି । କିନ୍ତୁ ପ୍ରକୃତପକ୍ଷେ ଚାଷୀଙ୍କ ଆବଶ୍ୟକତା ଦୃଷ୍ଟିରୁ ସମିତି ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇବାକୁ ସରକାର ଘୋଷଣା କରିଥିଲେ ସୁଦ୍ଧା ବ୍ୟବସ୍ଥା କିନ୍ତୁ ଫେଲ ମାରିଛି । ଏହା ଉପରେ ଦୃଷ୍ଟି ନଦେଲେ କୃଷକ ମାନେ ଖୋଲା ମାର୍କେଟରୁ ସାର କିଣି ଶୋଷଣର ଶିକାର ହେବେ ଏଥିରେ ସନ୍ଦେହ ନାହିଁ ।