ଚାଷ କାମର ବଦଳୁଛି ଢାଞ୍ଚା ଶୁଭୁନି ହୁଳହୁଳି ଓ ହଳିଆ ଗୀତ

ଆସିକା, (ଯୁଗାବ୍ଦ ନ୍ୟୁଜ):ଚାଷ କତର କି ଆନନ୍ଦ ତାହାର ସିଏ ପରା ଯୋଗାଉଛି ଦୁନିଆକୁ ଆହର । ଏହି କାର୍ଯ୍ୟ ପାଇଁ ଚାଷୀ ସଭିଙ୍କ ପାଖରେ ଆଦର ପାଉଥିଲା । ଦିନ ଥିଲା ଗ୍ରାମାଞ୍ଚଳ ଲୋକେ ଅନ୍ୟ କାର୍ଯ୍ୟ ଅପେକ୍ଷା ଚାଷ କାର୍ଯ୍ୟ କରିବା ପାଇଁ ଆଗଭର ହେଉଥିଲେ । ବିଭିନ୍ନ କାରଣରୁ ଧିରେ ଧିରେ ଏବେ ଚାଷ କାମ ବନ୍ଦ ହେବାକୁ ବସିଛି । ପୂର୍ବରୁ ଚାଷ କରୁଥିବା ପ୍ରଣାଳୀ ବଦଳାଇ ନୂତନ ପଦ୍ଧତିରେ ଚାଷ କରି ଅଧିକ ଉପାର୍ଜନ ପାଇଁ ଉଦ୍ୟମ ଆରମ୍ଭ ହେଉଥିବା ବେଳେ ଏହା ଏବେ ପୋଥି ବାଇଗଣ ପାଲଟିଯିବ ଏହି ଆଶଙ୍କା ପ୍ରକାଶ ପାଉଛି । ଆସିକା ଅଞ୍ଚଳର ଚାଷୀ ମୁଖ୍ୟତଃ ଖରିଫ ଓ ରବି ଋତୁରେ ଧାନ ଚାଷ କରିଥାନ୍ତି । ଏବେ ଚାଷ କାମ ବାଟବଣା ହେଉଥିବା ବେଳେ ଚାଷର ଉପାୟ ବଦଳିବାରେ ଲାଗିଛି । ହଳରେ ଏବେ ଆଉ ପ୍ରାୟ କେହି ଚାଷ କରୁନଥିବା ବେଳେ ଚାଷ ହୁଳହୁଳି, ହଳିଆ ଗୀତ ପୂର୍ବଭଳି ଆଉ ରୁଆ, ବୁଣା ବେଳେ ଶୁଣିବାକୁ ମୁଳୁନାହିଁ । ପୂର୍ବରୁ ଚାଷୀ ଜମିରେ ଚାଷ ପାଇଁ ହଳ, ଲଙ୍ଗଳ ବ୍ୟବହାର କରୁଥିଲେ । ଏବେ ଚାଷ ପାଇଁ ଟ୍ରାକ୍ଟର, ପାୱର ଟିଲର୍ ବ୍ୟବହାର ହେଉଛି । ମାନ ମାସ ଧରି ଚାଲୁଥିବା ଚାଷ କାମ ଏବେ କମ୍ ଦିନରେ ଶେଷ ହେଉଛି । ପ୍ରତିଗାଁରେ ପୂର୍ବେ ଘରେ ଘରେ ଜମି ଚାଷ ପାଇଁ ବଳଦ, ପୋଢ ପାଳନ କରାଯାଉଥିଲା । ଏପରିକି କିଛି ଧନୀ ଚାଷୀ ମଧ୍ୟ ଗାଈ ବଳଦଙ୍କ ପାଇଁ ହଳିଆ ମଧ୍ୟ ରଖୁଥିଲେ । ଘର ଆଗରେ ଗୁହାଳ ଦେଖିବାକୁ ମିଳୁଥିଲା । ହଳପାଇଁ ଚାଷୀ କୁସୁମ, ଫାଶୀ, ବାବୁଲ, ଗୁହାରିଆ ପ୍ରଭୃତି କାଠର ଲଙ୍ଗଳ, ଢାମଣ, ଇଷ ତଥା ଅନ୍ୟାନ୍ୟ ଉପକରଣ ରଖାଯାଉଥିଲା । କିଛି ଚାଷୀ ମାମୁଁଭଣଜା ବଳଦକୁ ଏକାଠି କରି ହଳ କାର୍ଯ୍ୟରେ ଲଗାଉଥିଲେ । ପ୍ରତିବର୍ଷ ପ୍ରଥମ ବର୍ଷା ପରେ ଚାଷୀମାନେ ବଳଦ ବିକାକିଣା କରିବା ସହିତ ଅନ୍ୟଗ୍ରାମରୁ ବଳଦ କିଣି ଆଣୁଥିଲେ । ମହାଲକ୍ଷ୍ମୀ ସ୍ନାନ ଦିନ ଭୋର ସମୟରେ ତଳିଘଣା ପରେ ପୂଜାର୍ଚ୍ଚନା କରି ରୁଆ କାର୍ଯ୍ୟ ଆରମ୍ଭକରୁଥିଲା । ହଳ ଧରି ବିଭିନ୍ନ ଢଙ୍ଗରେ ମଧୁର କଣ୍ଠରେ ଗୀତ ଗାଇ ହଳ କରୁଥିବା ଦେଖାଯାଉଥିଲା । ମହିଳାମାନେ ହୁଳହୁଳି ସହ ମିଳିତ ଭାବେ ଗୀତ ଗାଉଥିଲେ । ଦୂରରୁ ଗୀତ ଶୁଭିଲେ ଚାଷ କାମ ଚାଲିଥିବା ସଙ୍କେତ ମୁଳୁଥିଲା । ଗୋଟିଏ ଜମିରେ ମହିଳା ଗୀତ ଗାଇବା ଆରମ୍ଭ କଲେ ଅନ୍ୟ ଜମିର ମହିଳା ତାହା ଅନୁସରଣ କରୁଥିଲେ । ରାମ ଯେ ଲଇଖଣ ଗଲେ ମୃଗମାରି ଓ ଅନ୍ୟ ଗୀତ ଆଉ ଶୁଣାଯାଉନାହି । ବିଭିନ୍ନ କାରଣରୁ ଏବେ ହଳ ରଖିବା ବନ୍ଦ ହୋଇଯାଉଥିବା ବେଳେ ଗ୍ରାମାଞ୍ଚଳରେ ପଶୁସମ୍ପଦ ବିଶେଷ ଭାବେ ହ୍ରାସ ପାଇଛି । ଚାଷ ଜମିରେ ଘର ନିର୍ମାଣ ସହ ବର୍ଷ ବର୍ଷ ଧରି ଜମି ପଡିଆ ରଖାଯାଉଛି । ଉର୍ବର ଜମି ମଧ୍ୟ ଏଥିରୁ ବାଦ ପଡୁନି । ପୂର୍ବରୁ ଶ୍ରମିକଙ୍କୁ ବର୍ଷିକିଆ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦିଆଯାଇ ଧାନ, ମାଣ୍ଡିଆ, ସୁଆଁ ପ୍ରଭୃତି ମୂଲ ଭାବେ ଦିଆଯାଉଥିଲା । ଶସ୍ୟ ମାପିବା ପାଇଁ ନଉତି, ଅଡା ଆଦି ବ୍ୟବହାର କରାଯାଉଥିବା ବେଳେ ଏବେ ସବୁ ଟଙ୍କାରେ ହେଉଛି । ଟ୍ରାକ୍ଟରରେ ଜମି ଚାଷ ହେଉଛି । ସମୟ କ୍ରମେ ଅନେକ ପରିବର୍ତ୍ତନ ଘଟିଛି । ଚାଷ କାମର ଶୈଳୀ ପରିବର୍ତ୍ତନ ଯୋଗୁଁ ହଳ, ହୁଳହୁଳି, ହଳିଆ ଗୀତ ଏବେ ହଜିଯିବାକୁ ବସିଲାଣି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ