ଚା’ ସହ ଏ ସବୁ ମନା
ପ୍ରାୟ ଅଧିକାଂଶ ଲୋକ ଦିନର ଆରମ୍ଭ କପେ ଚା’ କିମ୍ବା କଫିରୁ କରିଥାନ୍ତି । କିଛି ଲୋକ ଚା’ ସହିତ ସ୍ନାକ୍ସ କିମ୍ବା କିଛି ଶୁଖିଲା ଖାଦ୍ୟ ମଧ୍ୟ ଖାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଏପରି କିଛି ଜିନିଷ ଅଛି, ଯାହାକୁ ଆମେ ଯଦି ଚା’ ସହ ଖାଇବା ତେବେ ଶରୀରର ଅନେକ କ୍ଷତି ହୋଇଥାଏ । ଏପରିକି ଆପଣଙ୍କୁ ଅଯଥା ଶାରୀରିକ କଷ୍ଟ ମଧ୍ୟ ଭୋଗିବାକୁ ପଡ଼ିଥାଏ । ସକାଳେ ଆପଣ ଚା’ ପିଇବାବେଳେ ତା’ସହ ଅଣ୍ଡା, ପନିର କିମ୍ବା ଅନ୍ୟ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । କାରଣ ଚା’ରେ ଥିବା ଟେନିନ ଓ ପ୍ରୋଟିନ ଏକାଠି ହେଲେ ଶରୀରର କ୍ଷତି ଘଟାଇଥାଏ । କେବେ ହେଲେ ଖାଇବା ପୂର୍ବରୁ କିମ୍ବା ପରେ ତୁରନ୍ତ ଚା’ ପିଇବେ ନାହିଁ । ଏହା ଶରୀରର ଅନେକ କ୍ଷତି କରିଥାଏ । ଏହା ଏସିଡିଟି, ଅଲ୍ସର୍, ଆପେଣ୍ଡିସାଇଟ୍ସ ଭଳି ସମସ୍ୟା ହେବାର ଆଶଙ୍କା ଥାଏ । ସବୁବେଳେ ଖାଇବାର ୧ ଘଣ୍ଟା ପୂର୍ବରୁ ଓ ୧ ଘଣ୍ଟା ପରେ ଚା’ ପିଇବା ଉଚିତ । ଅଧିକାଂଶ ଲୋକ ଚା’ରେ କଫି ପାଉଡର ମିଶାଇ ପିଇଥା’ନ୍ତି । ଏଭଳି ଆଦୌ କରନ୍ତୁ ନାହିଁ । କାରଣ ଚା’ ସହ କଫିରେ ଥିବା କୈଫିନ ମିଶିଲେ ପେଟରେ ଏସିଡିଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।ଆଇରନ୍ଯୁକ୍ତ ଖାଦ୍ୟ ଶରୀର ପାଇଁ ଭଲ । କିନ୍ତୁ କେବେହେଲେ ଏହାକୁ ଚା’ ସହ ଏକାଠି ଖାଆନ୍ତୁ ନାହିଁ । କାରଣ ଏପରି କଲେ ଶରୀରରେ ରକ୍ତହୀନତା ସହ ଆହୁରି ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ଭୁଲରେ ବି ମାଛ, ମାଂସ କିମ୍ବା କୌଣସି ପ୍ରକାର ଆମିଷ ଖାଦ୍ୟ ସହ ଚା’ ପିଅନ୍ତୁ ନାହିଁ । କାରଣ ଏହା ଆମ ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରେ । ଫଳରେ ପେଟରେ ଯନ୍ତ୍ରଣା ସହ ଶରୀରରେ ପାଚନ ସମ୍ବନ୍ଧୀୟ ଓ ରକ୍ତହୀନତା ପରି ସମସ୍ୟା ଦେଖାଦେଇଥାଏ ।


