ଚିକିତ୍ସାରେ ଅବହେଳା ଯୋଗୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ୩୭ ବର୍ଷୀୟ ଯୁବକଙ୍କ ମୃତ୍ୟୃୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଦେଖାଯାଇଥିଲା ଉତ୍ତେଜନା ମୂଳକ ପରିସ୍ଥିତି। କାର୍ଯ୍ୟାନୁଷ୍ଠାନ ଦାବିରେ ବହୁ ଯୁବଗୋଷ୍ଠୀ ଏକତ୍ରିତ ହୋଇ ରାସ୍ତାରୋକ କରିବା ସହିତ ଧାରଣା ଦେଇଥିଲେ। ଦୀର୍ଘ ୩ ଘଣ୍ଟା ଧରି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଜାତୀୟ ରାଜପଥ ୫୯ରେ ରାସ୍ତାରୋକ ଯୋଗୁଁ ଦୀର୍ଘ ତିନି ଘଣ୍ଟା ପର୍ଯ୍ୟନ୍ତ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇଥିଲା।ଘଟଣାରୁ ପ୍ରକାଶ ଯେ, ବାଲିଗୁଡ଼ା ନୂଆସାହିର ଜଣେ ଯୁବକ ବିଜୟ କୁମାର ସାହୁଙ୍କର ଗତ କିଛିଦିନ ହେଲା ଦେହ ଅସୁସ୍ଥ ଥିଲା। ଚିକିତ୍ସା ନିମନ୍ତେ ସେ ଗତ ଦୁଇଦିନ ତଳେ ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ପୁଣି ସେ ଘରକୁ ଫେରିଥିଲେ। ଆଜି ସକାଳେ ପୁଣି ଅସୁସ୍ଥ ଲାଗିବାରୁ ସେ ତାଙ୍କ ବନ୍ଧୁଙ୍କୁ ଡାକି ମେଡିକାଲକୁ ଯିବାକୁ କହିଥିଲେ। କିନ୍ତୁ ଘରୁ ମେଡିକାଲକୁ ଯିବା ପାଇଁ ବାହାରିବା ସମୟରେ ତାଙ୍କ ଘର ବାରଣ୍ଡାରେ ପଡିଗଲେ। ଏହାପରେ ତାଙ୍କ ବନ୍ଧୁ ଓ ପରିବାର ଲୋକେ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ତାଙ୍କୁ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ସେ ମୃତ ବୋଲି ଘୋଷଣା କରିଥିଲେ। ଏହି ଖବର ନିମିଷକ ମଧ୍ୟରେ ସମଗ୍ର ବାଲିଗୁଡ଼ା ଅଞ୍ଚଳରେ ବ୍ୟାପି ଯାଇଥିଲା। ସ୍ୱର୍ଗତ ବିଜୟ ଜଣେ ମେଳାପି ଓ ଜଣେ ସ୍ୱେଚ୍ଛାସେବୀ ଭାବେ ବେଶ୍‍ ପରିଚିତ ଥିବା ବେଳେ ବାଲିଗୁଡ଼ା ଅଞ୍ଚଳର ଯୁବ ଗୋଷ୍ଠୀଙ୍କର ସେ ଅତି ପ୍ରିୟଭାଜନ ପାଲଟିଥିଲେ। ମୃତ୍ୟୁ ଖବର ପରେ ସ୍ଥାନୀୟ ଯୁବଗୋଷ୍ଠୀ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ସେମାନେ ଚିକିତ୍ସାଳୟ ପରିସରକୁ ଯାଇ ଡାକ୍ତରଙ୍କ ଚିକିତ୍ସା ଅବହେଳା କାରଣରୁ ବିଜୟଙ୍କ ମୃତ୍ୟୁ ହୋଇଛି ଓ ଆଗରୁ ମୃତ ଯୁବକ କହିବା ପରେ ବି କାହିଁକି ତାଙ୍କର କରୋନା ପରୀକ୍ଷା କରାଗଲା ନାହିଁ ଆଦି ବିଷୟ କହିବା ସହ ଡାକ୍ତରଙ୍କ ସହ ବଚସା ହୋଇଥିଲା। ଏହାପରେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥ ୫୯ ଉପରେ ବସି ରାସ୍ତାରୋକ କରିଥିଲେ। ଚିକିତ୍ସା ସମୟରେ ଅବହେଳା କରିଥିବା ଡାକ୍ତରଙ୍କୁ ବହିଷ୍କାର କରାଯାଉ ଓ ଗିରଫ କରାଯାଉ, ଖାଲିଥିବା ଡାକ୍ତର ପଦବୀ ତୁରନ୍ତ ପୁରଣ କରାଯାଉ ତଥା ମୃତ ଯୁବକଙ୍କ ପରିବାରକୁ କ୍ଷତିପୁରଣ ଦେବା ସହ ଥଇଥାନର ବ୍ୟବସ୍ଥା କରାଯାଉ ଆଦି ଦାବିକରି ରାସ୍ତାରୋକ କରିଥିଲେ। ଖବର ପାଇ ଚିକିତ୍ସାଳୟ ପରିସରକୁ ସ୍ଥାନୀୟ ଉପଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ର ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ଉପଖଣ୍ଡ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ବିଜୟ କୁମାର ସୁର ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତ ପରିବାର ଓ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ ରାସ୍ତାରୋକରୁ ହଟିବା ପାଇଁ ବୁଝାସୁଝା କରିଥିଲେ। ଦାବୀ ପ୍ରକାରେ, ମୃତକଙ୍କ ସ୍ତ୍ରୀଙ୍କୁ ଚାକିରୀ ଦେବାକୁ ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ। ଏହାପରେ ରାସ୍ତାରୋକ ହଟିଥିଲା। ତେବେ ବିଜୟଙ୍କ ମୃତ୍ୟୁକୁ ନେଇ ବାଲିଗୁଡ଼ା ସମେତ ସମଗ୍ର କନ୍ଧମାଳ ଜିଲାରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ