ଚିକିତ୍ସାରେ ଅବହେଳା ହେତୁ ରୋଗୀର ମୃତ୍ୟୁ ଘଟିଥିବା ଅଭିଯୋଗ
ଯୋଡ଼ା, (ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାରେ ଲୋକନାଥ ପ୍ରଧାନ ନାମ ଜୈନେକ ବ୍ୟକ୍ତିଙ୍କ ଚିକିତ୍ସାରେ ବିଳମ୍ବ ହେବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତରଖାନା ଯାଇ ଘଟଣାସ୍ଥଳରୁ ସୂଚନା ନେବାରୁ ଜଣାପଡିଛି ଯେ, ଏସ.ଏନ. ସିଂ ନାମକ ଏକ ଠିକା କମ୍ପାନୀରେ କାର୍ଯ୍ୟ କରୁଥିବା ଲୋକନାଥ ପ୍ରଧାନ(୪୫) ଙ୍କର ମଙ୍ଗଳବାର ଦିନ ୧୧ ଘଟିକା ବେଳେ ଦେହ ଖରାପ ହୋଇଯାଇଥିଲା । ତୁରନ୍ତ ତାଙ୍କୁ ଟାଟା କମ୍ପାନୀ ଡାକ୍ତରଖାନାର ଆଇସିୟୁରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ଜୀବନ ରକ୍ଷକ ଇଂଜେକସନ୍ ଯାହାର ଦାମ୍, ପ୍ରାୟ ୪୪ହଜାର ଟଙ୍କା ଦିଆଯାଇଥିଲା , ହେଲେ ତାଙ୍କର ଅପରାହ୍ନ ସମୟରେ ମୃତ୍ୟୁ ହୋଇଯାଇଥିଲା । ଏନେଇ ମୃତ ଲୋକନାଥ ପ୍ରଧାନଙ୍କ ସହିତ ଥିବା ମାନସ ରଂଜନ ସାହୁ ଅଭିଯୋଗ କରି କହିଛନ୍ତି ଯେ, ଲୋକନାଥଙ୍କୁ ପ୍ରଥମେ ଭୁବନେଶ୍ୱର ନେଇଯିବା ପାଇଁ କୁହାଯାଇଥିଲେ ହେଁ, ଟାଟାଷ୍ଟିଲ ଡାକ୍ତର ତାଙ୍କୁ ଜାମସେଦପୁରସ୍ଥିତ ଟିଏମଏଚ ନେବା ପାଇଁ କହିଥିଲେ । ଏଥିରେ ବିଳମ୍ବ ହୋଇଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେଣେ ଡାକ୍ତର ବସନ୍ତ କୁମାର ପାଳ କହିଛନ୍ତି ଯେ, ମୃତ ଲୋକନାଥ ପ୍ରଧାନଙ୍କର ଡାଇବେଟିକ୍ ଓ ବ୍ଲଡ ପ୍ରେସର ଥିଲା । ଏହା ହୃଦଘାତ ଜନିତ ମୃତ୍ୟୁ । ଜୀବନ ବଂଚାଇବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ , ତାଙ୍କର ଡାକ୍ତରଖାନାରେ ପୁଣି ଥରେ ହୃଦଘାତ ହୋଇଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ଚିକିତ୍ସା ବେଳେ ହିଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ରେଫରାଲ ଚିଠି ମଧ୍ୟ କରାଯାଇଥିଲା । ଏଣୁ ଚିକିତ୍ସାରେ କୌଣସି ବିଳମ୍ବ ହୋଇନହାହିଁ । ଘଟଣାସ୍ଥଳରେ ଯୋଡା ପୋଲିସ ପହଞ୍ଚି ତଦନ୍ତ କରୁଛି ।