ଚିକିତ୍ସା ଅବହେଳାରୁ ନାବାଳକଙ୍କ ମୃତ୍ୟୁ : ଶବ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

କଟକ, (ଓ୍ବାଇଏନଏସ): ଚିକିତ୍ସା ଅବହେଳାରୁ ୧୬ ବର୍ଷର ନାବାଳକଙ୍କ ମୃତ୍ୟୁ । ପରିବାରଲୋକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆକ୍ରୋଶ । ହସ୍ପିଟାଲ ଘେରିଲେ, ହୋହାଲ୍ଲା କଲେ । ଶୁକ୍ରବାର ରାତିରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ସମସ୍ତଙ୍କୁ ବୁଝାସୁଝା କରି ମାହୋଲକୁ ଶାନ୍ତ କରିଥିଲା । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବା ସିଟି ହସ୍ପିଟାଲରେ । ସୂଚନାଯୋଗ୍ୟ ଯେ, ଝାଡ଼ାବାନ୍ତି ହେବାରୁ ପୁରୀଘାଟ ଅଞ୍ଚଳର ଅନିଆ ଦାସ ନାମକ ୧୬ ବର୍ଷର ନାବାଳକକୁ ଶୁକ୍ରବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବା ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ମଧ୍ୟ ଚାଲିଥିଲା । ହେଲେ ସେହିଦିନ ସନ୍ଧ୍ୟା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସସିବି ମେଡିକାଲ ନେବା ପାଇଁ ପରିବାର ଲୋକେ ନେହୁରା ହେଲେ । କୌଣସି ଅଭିଜ୍ଞ ଡାକ୍ତର ନଥିବାରୁ ରାତିରେ ପିଲାକୁ ଏସସିବି ମେଡିକାଲ ନେବା ପାଇଁ ଆଉ ଜଣେ ଡାକ୍ତର ପରାମର୍ଶ ଦେଲେ । ହେଲେ ମେଡିକାଲ ପରିସରରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସ ସେ ପିଲାକୁ ଏସସିବି ମେଡିକାଲ ନେଲା ନାହିଁ । ଭିଆଇପିଙ୍କ ପାଇଁ ସେ ଆମ୍ବୁଲାନ୍ସ ଅଛି ବୋଲି କହି ରୋଗୀଙ୍କ ପରିବାରକୁ ମନା କରିଦିଆଗଲା । ଶେଷରେ ପିଲାଟିର ଜୀବନ ଚାଲିଗଲା । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ମୃତକଙ୍କ ସମ୍ପର୍କୀୟ । ଏମିତିକି ଶବ ରଖି କିଛି ସମୟ ନଦୀବନ୍ଧ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା ମାନେ । ଅନ୍ୟପଟେ ମୃତ ନାବାଳକଙ୍କ ଆଜି ଏସସିବି ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ସେପଟେ ଏହି ଘଟଣା ନେଇ ତଦନ୍ତ ଚାଲିଛି । ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜୋନ ୨ ଏସିପି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ