ଚିକିତ୍ସା ପାଇଁ ନୱାଜ ସରିଫଙ୍କୁ ଜାମିନ୍

ଲାହୋର(ଏଜେନ୍ସି): ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ବୁଧବାରଠାରୁ ଆସନ୍ତା ୩ମାସ ପାଇଁ ଜାମିନ୍ ଅନୁୂମତି ମିଳିଛି । ସମ୍ପ୍ରତି ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ନୱାଜଙ୍କ ଚିକିତ୍ସା ପାଇଁ ତାଙ୍କ ଓକିଲ ପାକିସ୍ତାନ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ଆଜି ଏହି ଆବେଦନ ଉପରେ ଶୁଣାଣି କରି ଦିନକପୂର୍ବେ ପାକ୍ ସୁପ୍ରିମକୋର୍ଟ ତାଙ୍କୁ ୩ ମାସର ଜାମିନ୍ ମଞ୍ଜୁର କରିଥିଲେ । ଫଳରେ ୬୯ବର୍ଷିୟ ନୱାଜ ସରିଫଙ୍କୁ ଆଜି ଲାହୋରର କୋଟ ଲାଖପାଟ ଜେଲରୁ ମୁକ୍ତ କରାଯାଇଛି । ଦୁର୍ନୀତି ଅଭିଯୋଗରେ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡ ହୋଇଥିବାବେଳେ ଗତ ବର୍ଷ ଡିସେମ୍ବରରୁ ସେ ଜେଲରେ ଥିଲେ । ପ୍ରକାଶ ଯେ, ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମ୍ଏଲ୍-ଏନ୍) ପ୍ରତିଷ୍ଠାତା ନୱାଜ ସରିଫ ସପ୍ତାହକ ମଧ୍ୟରେ ୪ଥର ହୃଦ୍ଘାତର ଶିକାର ହୋଇଛନ୍ତି । ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆସିଫ ସୟିଦ ଖୋସାଙ୍କ ନେତୃତ୍ୱରେ ଗଠିତ ୩ଜଣିଆ ଖଣ୍ଡପୀଠ ମଙ୍ଗଳବାର ନୱାଜ ସରିଫଙ୍କ ଚିକିତ୍ସା ପାଇଁ ୩ମାସର ଜାମିନ ପ୍ରଦାନ କରିଥିଲେ । ତେବେ ଚିକିତ୍ସା ପାଇଁ ତାଙ୍କୁ ଦେଶ ବାହାରକୁ ଯିବାକୁ ଅନୁମତି ମିଳିନାହିଁ । ବୁଧବାର ସରିଫ୍ ଜେଲ୍ରୁ ବାହାରକୁ ଆସିବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସମ୍ଭବ ଉତ୍ସୁକତା ଦେଖିବାକୁ ମିଳିଥିଲା । ଆଜି ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ ତାଙ୍କ ବାସଭବନ ପର୍ଯ୍ୟନ୍ତ ନିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ