ଚିକିତ୍ସା ପାଇଁ ହାତ ବଢାଇଲା ‘ସେବା ସଙ୍ଗଠନ’
ପୋଲସରା(ମନୋଜ କୁମାର ଘଡେଇ) ପୋଲସରା ବଜାରରେ ଦୀର୍ଘ ଏକ ସପ୍ତାହ ଧରି ଏକ ଷଣ୍ଡ ଅସହ୍ୟ ଯନ୍ତ୍ରଣା ଏବଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ପୋଲସରା ସ୍ଥିତ “ସେବା” ସଙ୍ଗଠନ ପକ୍ଷରୁ ସମସ୍ତ ସଦସ୍ୟଙ୍କ ଉଦ୍ୟମ ବଳରେ ଆହତ ଷଣ୍ଡକୁ ଉଦ୍ଧାର କରି ଚିକିତ୍ସା କରାଯାଇଛି । ଉକ୍ତ ଷଣ୍ଡଟି ବହୁ ଦିନ ହେଲା କୈ।ଣସି କାରଣରୁ ଗୋଡ଼ର ଏକ ଗଭୀର କ୍ଷତ ହୋଇଥିବା ବେଳେ ସେହି ଗୋଡରୁ ଅନବରତ ରକ୍ତ ବାହାରୁ ଥିଲା । ଏପରିକି ଷଣ୍ଡର କ୍ଷତ ସ୍ଥାନଟି ସଂପୂର୍ଣ୍ଣ ବଡ଼ ଘା ସଦୃଶ୍ୟ ସୃଷ୍ଟି ହୋଇଥିବା ବେଳେ ସେହି ସ୍ଥାନଟି ପୋକ ଯୁକ୍ତ ହୋଇ ପଡ଼ିଥିଲା । ଯାହା ଫଳରେ ଷଣ୍ଡଟି ଏକ ସପ୍ତାହ ଧରି ମୁଖ୍ୟ ବସଷ୍ଟାଣ୍ଡ ଛକ ଉପରେ ଅନାହାରେ ମୃତ୍ୟୁ କୁ ଅପେକ୍ଷା କରି ପଡ଼ି ରହିଥିଲା । ଷଣ୍ଡର ଏପରି ଅବସ୍ଥାର ଗୁରୁତ୍ୱ କୁ ହୃଦଙ୍ଗମ କରି ପୋଲସରା ସେବା ସଙ୍ଗଠନର ସଦସ୍ୟ ମନୋଜ କୁମାର ଘଡେଇ , ଶ୍ରମିକ ସାମୁଖ୍ୟ ଗଂଜାମ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ବେହେରା , ନଗର ଯୁବ ବିଜେଡି ସଭାପତି ଗୋପାଳ କୃଷ୍ଣ ସାହୁ , ଆସିକା କୋପରେଟିଭ ବ୍ୟାଙ୍କ ଡାଇରେକ୍ଟର ରତ୍ନାକର ସାହୁ , ରଞ୍ଜନ ପାଣିଗ୍ରାହୀ , ଓମ୍ ପ୍ରକାଶ ପ୍ରଧାନ , ସତ୍ୟବାନ ପ୍ରଧାନ ପ୍ରମୁଖ ସଦସ୍ୟଙ୍କ ସହଯୋଗ ଓ ଉଦ୍ୟମ ବଳରେ ଉକ୍ତ ଆହତ ଷଣ୍ଡର ସଂପୂର୍ଣ୍ଣ ଚିକିତ୍ସା କରାଯାଇଥିଲା ।