ଚିତଉ ପିଠା
ଚିତ୍ତ ଚୋରି କରେ
ଚିତଉ ପିଠା,
ଆଗେ ଲାଗିକର
ଦିଅଁ ଦେବତା ।
ଗେଣ୍ଡା କୋଚିଆଙ୍କୁ
ଖଣ୍ଡିଏ ଦେବ,
ଗୋଡ କାଟିବାକୁ
ମନା କରିବ ।
କୃଷିର ପର୍ବ ଏ
କଷଣ ପାଇଁ,
କୃଷକ ଘରଣୀ
ଚିତଉ ନେଇ ।
ଗେଣ୍ଡା ମୁଖେ ଦିଏ
ଆପତ୍ତି କହି,
ପତି ପୁତ୍ର ଗୋଡ
କାଟିବ ନାହିଁ ।
ଆଗକୁ ବିପତ୍ତି
ଦିଅ ଦୂରେଇ,
କୃଷି କାର୍ଯ୍ଯ ଯାଉ
ସହଜ ହୋଇ ।
ସହଜ କର ହେ
ଶଙ୍କରଷଣ
ପ୍ରଭୁ ହଳାୟୁଧ
ହର କଷଣ ।
ରେବତୀ ରମଣ
ଘେନ ଗୁହାରୀ,
ଜଳଚରେ ଦିଅ
ଆଦେଶ କରି ।
ଆଜି ଚିତାଲାଗି
ଅମାବାସ୍ୟାରେ,
ଚିତା ଘେନ ଆହେ
ବଡଠାକୁରେ ।
ହଜି ନାହିଁ ଚିତା
ଓଲାଗି ଥିଲୁ,
ସ୍ନାନ ରଥ ଯାତ
ବାହୁଡା କଲୁ ।
ଆଜି ଶୁଭ ତିଥି
ଚିତା ଲାଗିବ,
ଶ୍ରୀଅଙ୍ଗ ଶ୍ରୀମୁଖ
ତ୍ବରା ଦିଶିବ ।
ଚିତାକୁ ମଥାରେ
ଧାରଣ କରି
ଚିତ୍ତ ଚୋରି କର
ହେ ହଳଧାରୀ
ଜଳ ସ୍ଥଳେ ଦୁଃଖ
ହରଣ କରି
ଭରଣ ଭରଣ
ଶସ୍ଯରେ ଭରି ।
ଅତି ଅଳପରେ
ଚିତଉ ପିଠା,
ଚାଉଳ ନଡ଼ିଆ
ବିରି ବ୍ଯବସ୍ଥା ।
ଏତିକିରେ ପିଠା
ଅତି ସହଜ,
ସ୍ଥଳ ଜଳଚର
ଖାଇବେ ଆଜ ।
ଆଗେ ଖୋଇ ନିଜେ
ପଛେ ଖାଇବ,
ଖୋଇବା ଲୋକର
ମଙ୍ଗଳ ହେବ ।
ଅତି ମହତ ଏ
ଚିତଉ ବାର୍ତ୍ତା
ଚିତ୍ତ ଚୋରିକରି
ହରଇ ଚିନ୍ତା ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ