ଚିତାଲାଗି ଅମାବାସ୍ୟା
ଶ୍ରୀ ବିଗ୍ରହ ମାନଙ୍କ ମସ୍ତକରେ ହୁଏ ଚିତା ଲାଗି ଆଉ ଘରେଘରେ ହୁଏ ଗେଣ୍ଡା ପୂଜା
ସନ୍ତୋଷ କୁମାର ଦାଶ
ଆମ ଓଡ଼ିଆ ସଂସ୍କୃତି ରେ ରହିଛି ବାର ମାସରେ ତେର ପର୍ବ ପର୍ବାଣୀ। ଶ୍ରାବଣ ମାସ ର ଅମାବାସ୍ୟା ପର୍ବ ସେଥିମଧ୍ୟରୁ ଅନ୍ୟତମ। ଏହି ଅମା ବାସ୍ୟା କୁ ଚିତାଲାଗି ଅମାବାସ୍ୟା ଓ ଚିତଉ ଅମାବାସ୍ୟା ମଧ୍ଯ କୁହାଯାଇ ଥାଏ। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ସମସ୍ତ କୃଷକ ପରିବାର ରେ ଏହି ପର୍ବ ଖୁବ୍ ଧୁମ୍ ଧାମରେ ପାଳିତ ହୋଇଆସୁଛି।ଏହି ସମୟ କୁ ଚାଷୀ ମାନେ ନିଜ ନିଜ ବିଲ ରେ ଚାଷ କାର୍ଯ୍ୟ ଜୋର ସୋର ରେ ଆରମ୍ଭ କରିଥାନ୍ତି। ଏହି ସମୟରେ ଧାନ ବିଲ ମାନଙ୍କ ରେ ବର୍ଷା ଜଳ ଜମା ହୋଇଥାଏ। ସେହି ଜଳ ରେ ଗେଣ୍ଡା ମାନଙ୍କର ଆତଯାତ ହେଉଥିବାରୁ ଚାଷୀ ମାନଙ୍କ ଗୋଡ଼ ଗେଣ୍ଡା ମାନଙ୍କ ଉପରେ ପଡ଼ିଥାଏ ଆଉ ଗେଣ୍ଡା ମାନେ ଚାଷୀ ମାନଙ୍କ ଗୋଡ଼ କୁ କାମୁଡି ଖଣ୍ଡିଆ କରି ଦେଇ ଥାନ୍ତି। ଫଳରେ ଚାଷୀ ମାନେ ଆହାତ ହୋଇ ଆଉ ଚାଷ କାର୍ଯ୍ୟ କରି ପାରିନଥାନ୍ତି। ଏଣୁ ପ୍ରତି ଚାଷୀ ପରିବାର ରେ ଚିତଉ ପିଠା ତିଆରି କରାଯାଇ ଗେଣ୍ଡା ମାନଙ୍କୁ ଏହି ଦିନ ପୂଜା କରାଯିବା ସହିତ ଚିତଉ ପିଠା ଖାଇବାକୁ ଦେଇ କୁହାଯାଏ ଯେ, ହେ ଗେଣ୍ଡେଇଶୁଣି, ତୁମେ ପିଠା ଭୋଗ ଖାଇ ସନ୍ତୁଷ୍ଟ ହୁଅ ଆଉ ଚାଷୀ ମାନଙ୍କ ଗୋଡ଼ କୁ କାମୁଡ଼ ନାହିଁ। ବିଶ୍ଵାସ ରହିଛି ବିଲ, ପୋଖରୀ ରେ ଗେଣ୍ଡା ମାନଙ୍କୁ ଚିତଉ ପିଠା ଭୋଗ ଅର୍ପଣ କଲେ ଗେଣ୍ଡା ମାନେ ଆଉ ଚାଷୀ ମାନଙ୍କର କୌଣସି ଅନିଷ୍ଠ କରିନଥାନ୍ତି। ଚାଷୀ ମାନେ ନିର୍ଭୟ ରେ ନିଜ ବିଲ ରେ ଚାଷ କାର୍ଯ୍ୟ କୁ ଆଗେଇ ନେ଼ଇଥାନ୍ତି। ଏଣୁ ଏହି ପର୍ବ ସାରା ରାଜ୍ୟରେ ଚାଷୀ ମାନଙ୍କ ପର୍ବ ଭାବେ ପାଳିତ ହୋଇ ଆସୁଛି। ଅପର ପକ୍ଷରେ ଯାତ୍ରା ଭାଗବତ ସ୍ମୁତି ଗ୍ରନ୍ଥ ରେ ବର୍ଣ୍ଣିତ ହୋଇଛି ଯେ, ପୁରୀ ଶ୍ରୀ ମନ୍ଦିର ରେ ଚିତା ଲାଗି ଅମାବାସ୍ୟା ଏକ ପର୍ବ ଭାବେ ପାଳିତ ହୋଇ ଥାଏ। ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହ ଙ୍କ ଲଲାଟ ରୁ ରତ୍ନ ଖଚିତ ଚିତା ସବୁ ଉଲାଗି କରାଯାଇ ସୋଲ ର ଚିତା ଲାଗି ହୋଇଥାଏ। ସେହି ରତ୍ନ ଖଚିତ ଚିତା ସବୁ ଏହି ଶ୍ରାବଣ ମାସ ଅମାବାସ୍ୟା ଦିନ ଶ୍ରୀ ବିଗ୍ରହ ମାନଙ୍କୁ ରତ୍ନ ସିଂହାସନ ଉପରେ ଲାଗି କରା ଯାଉଥିବାରୁ ଏହି ଦିନ ଟିକୁ ଚିତା ଲାଗି ଅମାବାସ୍ୟା ବୋଲି କୁହାଯାଇ ଥାଏ। ଦଇତାପତି ସେବକ ମାନେ ଶ୍ରୀ ବିଗ୍ରହ ମାନଙ୍କୁ ରତ୍ନ ଖଚିତ ଚିତା ସବୁ ଲାଗି କରିଥାନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଚିତା ରେ ଧଳା ରଙ୍ଗର ବ୍ରହ୍ମଜ୍ୟୋତି ହୀରା ଖଚିତ ହୋଇ ଥିବା ବେଳେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ଚିତା ରେ ନୀଳ ରଙ୍ଗର ନୀଳା ଓ ଦେବୀ ସୁଭଦ୍ରା ଙ୍କ ଚିତା ରେ ଲାଲ ରଙ୍ଗର ମାଣିକ୍ୟ ଖଚିତ ହୋଇଥାଏ। ରତ୍ନ ଖଚିତ ଚିତା ସବୁ ଲାଗି ହେବା ପରେ ଶ୍ରୀ ବିଗ୍ରହ ମାନଙ୍କୁ ଚିତଉ ପିଠା ଭୋଗ ଲାଗି କରାଯାଇଥାଏ। ଏହି ସବୁ ନୀତି ଅନୁଷ୍ଠିତ ହେବାକୁ ପ୍ରାୟ ୪/୫ ଘଣ୍ଟା ସମୟ ଲାଗୁଥିବାରୁ ସେ ସମୟ ତକ ଶ୍ରୀ ମନ୍ଦିର ବନ୍ଦ ରଖା ଯାଇଥାଏ।ଶ୍ରୀ ଜୀଉ ମାନଙ୍କୁ ବନ୍ଦାପନା କରା ଯିବା ପରେ ମନ୍ଦିର ଦ୍ଵାର ଫିଟିଥାଏ। ଶ୍ରାବଣ ମାସ ର ଅମାବାସ୍ୟା କୁ ଚିତଉ ଅମାବାସ୍ୟା ଓ ଚିତା ଲାଗି ଅମାବାସ୍ୟା ଭାବେ ପାଳନ କରାଯାଇ ଆସୁଛି କାହିଁ କେତେ କାଳରୁ।
ଜୟ ଜଗନ୍ନାଥ ସ୍ଵାମୀ।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮