ଚିତାଲାଗି ଅମାବାସ୍ୟା ରେ ଲଲାଟ ଭୂଷଣ ଯାତ୍ରା
ନିମାପଡା, ( ସନ୍ତୋଷ ଦାଶ ) :ପୁରୁଷୋତ୍ତମ କ୍ଷେତ୍ର ପୁରୀ ଶ୍ରୀ ମନ୍ଦିର ରେ ଚତୁର୍ଦ୍ଧା ବିଗ୍ରହ ଙ୍କ ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ହେଉଛି ଦୋଳ ଯାତ୍ରା, ସ୍ନାନ ଯାତ୍ରା, ଦମନକ ଚତୁର୍ଦ୍ଦଶୀ, ଅକ୍ଷୟ ତୃତୀୟା,ଦେବ ଶୟନ, ଦକ୍ଷିଣାୟନ, ଉତ୍ତରାୟଣ, ଗୁଣ୍ଡିଚା ଯାତ୍ରା ବା ରଥ ଯାତ୍ରା (ଘୋଷ ଯାତ୍ରା), ପାଶ୍ଵ ପରିବର୍ତ୍ତନ, ଦେବୋତଥାପନ, ଓଢଣ ଷଷ୍ଠୀ, ଓ ପୁଷ୍ୟାଭିଷେକ। ଏହା ବ୍ୟତୀତ ଶ୍ରୀ ମନ୍ଦିର ରେ ଶ୍ରୀ ଜିୟୁ ମାନଙ୍କ ର ବହୁ ଉପଯାତ୍ରା ବି ପାଳିତ ହୋଇଥାଏ । ତା ମଧ୍ୟରୁ ଶ୍ରାବଣ ମାସ ଅମାବାସ୍ୟା ଦିନ ପାଳିତ ହୋଇଥାଏ ଚିତାଲାଗି ଅମାବାସ୍ୟା ବା ଲଲାଟ ଭୂଷଣ ଯାତ୍ରା। ଏହି ଅମାବାସ୍ୟା ତିଥି ରେ ଶ୍ରୀ ବିଗ୍ରହ ମାନଙ୍କ ମସ୍ତକ ରେ ସୁବର୍ଣ୍ଣ ଚିତା ଲଗାଯାଉଥିବାରୁ ଏହା ଚିତାଲାଗି ଅମାବାସ୍ୟା ନାମରେ ନାମିତ । ଶ୍ରାବଣ ଅମାବାସ୍ୟା ଦିନ ପ୍ରାତଃ ସମୟ ର ପୂଜା ପରେ ବିଶ୍ୱାବସୁ ସେବକ ମାନେ ମହାପ୍ରଭୂ ଙ୍କୁ ଚିତା ଲାଗି କରିବା ପରମ୍ପରା ବାମଦେବ ସଂହିତା ରେ ଉଲ୍ଲେଖ ରହିଛି । ଏହି ଦିନ ଚିତଉ ପିଠା, ମିଠା, ନାନାଦି ବ୍ୟଞ୍ଜନ, କ୍ଷୀରି ପ୍ରଭୃତି ଶ୍ରୀ ଜିୟୁ ମାନଙ୍କୁ ଭୋଗ ଲାଗି ହେବା ପରେ ସୁବର୍ଣ୍ଣ ଚିତା ଲାଗି କରିବାର ବିଧି ରହିଛି । କୁହାଯାଏ ଯେ, ଏହିଦିନ ସାଗର ମନ୍ଥନ ସମୟ ରେ ଯେଉଁ ସବୁ ରତ୍ନ, ଐରାବତ ହାତୀ, ମୂଲ୍ୟବାନ ହୀରା,ମଣି, ମାଣିକ୍ୟ ସବୁ ମିଳିଥିଲା ତାହା ସବୁକୁ ବିଷ୍ଣୁ ନାରାୟଣ ଗ୍ରହଣ କରିଥିଲେ । ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଗୋବର୍ଦ୍ଧନ ପୀଠର ଆଦି ଶଙ୍କରାଚାର୍ଯ୍ୟ ଙ୍କ ସମୟ ରୁ ଏହି ଚିତାଲାଗି ପର୍ବ ଶ୍ରୀ ମନ୍ଦିର ରେ ପାଳିତ ହୋଇ ଆସୁଛି । ଯଯାତିକେଶରୀ ଙ୍କ ସମୟ ରେ ଆଦି ଶଙ୍କରାଚାର୍ଯ୍ୟ ଙ୍କ ପରାମର୍ଶ କ୍ରମେ ସେ ସୁବର୍ଣ୍ଣପୁର ରୁ ପାତାଳି ଅବସ୍ଥା ରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଆଣି ଏଠାରେ ଶଙ୍ଖନାଭି ମଣ୍ଡଳ ରେ ପ୍ରତିଷ୍ଠା କରାଇ ତାଙ୍କୁ ଏହି ଅମାବାସ୍ୟା ତିଥି ରେ ରତ୍ନ ସିଂହାସନ ରେ ସ୍ଥାପନା କରିଥିଲେ । ଠାକୁର ମାନଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା କରିବା ସହିତ ଅଭିଷେକ କରାଇଥିଲେ ଓ ସୁବର୍ଣ୍ଣ ହୀରା ଖଚିତ ରତ୍ନମାନ ମସ୍ତକ ରେ ପରିଧାନ କରାଇଥିଲେ। ସେହିଦିନ ଠାରୁ ଏହି ଉତ୍ସବ ଚିତାଲାଗି ଉତ୍ସବ ଭାବେ ପାଳିତ ହୋଇଆସୁଛି । ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କର ମସ୍ତକ ରେ ଶ୍ୱେତ ହୀରା ଚିତା, ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ମସ୍ତକ ରେ ନୀଳ ମର୍କତ ମଣି ଚିତା, ମା ସୁଭଦ୍ରା ଙ୍କ ମସ୍ତକ ରେ ନାଲି ମାଣିକ୍ୟଚିତା ଲାଗିହୋଇଥାଏ । ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀ ବିଗ୍ରହ ମାନେ ସ୍ନାନ ଯାତ୍ରା ପରେ ସ୍ନାନ ବେଦୀ ରୁ ଅଣସର ପିଣ୍ଡି କୁ ଫେରିବା ପରେ ଦଇତାପତି ସେବକ ମାନେ ଠାକୁର ମାନେ ଲଗାଇଥିବା ସୁବର୍ଣ୍ଣ ରତ୍ନ ଖଚିତ ଚିତା ଗୁଡ଼ିକୁ ବାହାର କରିଦେଇଥାନ୍ତି । ଶ୍ରୀ ଗୁଣ୍ଡିଚା ଯାତ୍ରା ବା ରଥ ଯାତ୍ରା ଦିନ ଠାକୁର ମାନଙ୍କ ମସ୍ତକ ରେ ଏହି ଚିତା ର ପ୍ରତୀକାତ୍ମକ ଭାବେ ସୋଲ ଓ ରଙ୍ଗୀନ ଜରି ରେ ନିର୍ମିତ ଚିତା କୁ ପିନ୍ଧାଇ ଦିଆଯାଇଥାଏ । ଜ୍ୟେଷ୍ଠ ପୂର୍ଣ୍ଣିମା ଠାରୁ ଶ୍ରାବଣ ଅମାବାସ୍ୟା ପର୍ଯ୍ୟନ୍ତ ଶ୍ରୀ ଜିୟୁ ମାନେ ସୋଲ ଚିତା ପରିଧାନ କରିଥାନ୍ତି । ଚିତାଲାଗି ଅମାବାସ୍ୟା ଦିନ ଠାକୁର ମାନଙ୍କ ମସ୍ତକ ରୁ ସୋଲ ଚିତା କଢ଼ାଯାଇ ବିଧି ପୂର୍ବକ ସୁବର୍ଣ୍ଣ ରତ୍ନ ଖଚିତ ଚିତା ଲାଗି କରାଯାଇଥାଏ । ଦଇତା ପତି ସେବକ ମାନେ ଶ୍ରୀ ବିଗ୍ରହ ମାନଙ୍କୁ ରତ୍ନ ଖଚିତ ଚିତା ଲାଗି କରିଥାନ୍ତି । ଶ୍ରୀ ଜଗନ୍ନାଥ ଙ୍କ ବ୍ରହ୍ମଜ୍ୟୋତି ହୀରା ଯାହା ଧଳା ରଙ୍ଗର, ଶ୍ରୀ ବଳଭଦ୍ର ଙ୍କ ର ନୀଳା (ନୀଳ ରଙ୍ଗର) ଓ ଦେବୀ ସୁଭଦ୍ରା ଙ୍କ ମାଣିକ୍ୟ (ଲାଲ ରଙ୍ଗର) ଚିତା ଲାଗି କରାଯାଇଥାଏ। ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି ହେବା ପରେ ଠାକୁର ମାନଙ୍କୁ ଚିତଉ ପିଠା ଭୋଗ ଲାଗି କରାଯାଇ ଥାଏ । ପ୍ରାୟ ୪ ଘଣ୍ଟା ସମୟ ଲାଗିଥାଏ ଏ ସବୁ ପୂଜା ନୀତି ପାଇଁ। ଏଣୁ ସେଦିନ ଶ୍ରୀ ମନ୍ଦିର ରେ ଏହି ସମୟତକ ସର୍ବସାଧାରଣ ଙ୍କ ପାଇଁ ଦର୍ଶନ ବନ୍ଦ ରହିଥାଏ। ଠାକୁର ମାନଙ୍କୁ ବନ୍ଦାପନା କରାଯିବ ପରେ ସର୍ବ ସାଧାରଣ ଙ୍କ ଦର୍ଶନପାଇଁ ମନ୍ଦିର ଦ୍ଵାରଖୋଲାଯାଏ । ସଂସ୍କୃତ ରେ ଏକ ଶ୍ଳୋକ ଅଛି ଯେ, ଶ୍ରାବଣେ କୃଷ୍ଣ ପକ୍ଷେ ତୁ ଦର୍ଶନ ପ୍ରାନ୍ତେ ଶୁଭ ଦିନେ, ଲଲାଟ ଭୁଷଣଂ ଯାତ୍ରା଼ଂ ଜଗନ୍ନାଥସ୍ୟ କାରୟେତ । ଜୟ ଜଗନ୍ନାଥ।


