ଚିତା ବାଘର ମୃତ ଦେହ ଠାବ ଫଟୋ ଭାଇରାଲ୍

ଦିଗପହଣ୍ଡି ((ଯୁଗାବ୍ଦ ନ୍ୟୁଜ୍):ଦିଗପହଣ୍ଡି ବ୍ଳକ ଅଧିନସ୍ଥ କଇଠଖଣ୍ଡି ଗ୍ରାମ ସ୍ଥିତ ଘୋଡାହାଡ କେନାଲରେ ସୋମବାର ସକାଳୁ ଏକ ବିରଳ ପ୍ରଜାତି ବାଘର ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଉକ୍ତ ମୃତ ଦେହଟି କେନାଲ କଡରେ ଲାଗିବା ପରେ ଗ୍ରାମବାସୀଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଚିହ୍ନ ଏବଂ ବର୍ଣ୍ଣକୁ ଗ୍ରାମବାସୀ ଦେଖି ଚିତାବାଘ ବୋଲି ସନ୍ଦେହ କରୁଥିବା ବେଳେ ଦୀର୍ଘ ସମୟ ଧରି ପାଣିରେ ବୁଡି ମୃତ ଦେହ ଭାସି ଭାସି ଆସିଥିବା ଅନୁମାନ କରାଯାଉଛି । ଗ୍ରାମବାସୀ ଏହାର ଫଟୋ ଉତ୍ତୋଳନ କରିବା ପରେ ବନବିଭାଗକୁ ଖବର କରିଥିଲେ । ହେଲେ ପରବର୍ତ୍ତୀ ସମୟରେ କୌଣସି ପ୍ରକାର ଭୟାଶଙ୍କା କରି ପୁନଶ୍ଚ କେନାଲ ଜଳ ସ୍ରୋତରେ ମୃତ ଦେହଟିକୁ ଭସାଇଦେଇଥିଲେ । ଖବରପାଇ ବନବିଭାଗ କର୍ମଚାରୀ ମାନେ କେନାଲ ପାଶ୍ୱର୍ରେ ଦୀର୍ଘ ସମୟ ଧରି ପାଟ୍ରୋଲିଂ କରିଥିଲେ ହେଁ ମୃତ ଦେହକୁ ଖୋଜି ପାଇପାରିନଥିବା ଜାଣିବାକୁ ମିଳିଛି । ଫଟୋକୁ ଦେଖି ବନବିଭାଗ ପକ୍ଷରୁ ବଣ ଭୁଆ ବୋଲି ଦାବୀ କରାଯାଉଥିବା ବେଳେ ଉକ୍ତ ମୃତ ଦେହଟିର ଲମ୍ବ ଓ ଉଚ୍ଛତାରୁ ଲୋକେ ଚିତା ବାଘ ବୋଲି ସନ୍ଦେହ କରୁଥିବା କହିଛନ୍ତି । ଖବର ଲେଖିବା ସୁଦ୍ଧା ମୃତ ଦେହ ଖୋଜା ଜାରି ରହିଛି ।\nପ୍ରକାଶ ଯେ, ଚାଙ୍ଗୁଡିଦେଇ, ଗାଇଡା ଏବଂ ଲଖାରୀ ଅଞ୍ଚଳରେ ଚିତା ବାଘର ଉପସ୍ଥିତି ରହିଥିବା ବନବିଭାଗ ପାଖରେ ଖବର ରହିଛି । ଏନଟିସିଏ( ନ୍ୟାସନାଲ୍ ଟାଇଗର୍ କଞ୍ଜରଭେଟିଭ୍ ଅଥରିଟି) ସୂଚନା ପ୍ରକାରେ ଗଞ୍ଜାମ ଗଜପତି ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ମହାବଳ ଏବଂ ଚିତା ବାଘ ଆଦିର ଉପସ୍ଥିତି ରହିଛି । ଏଥିପାଇଁ ସ୍ୱତନ୍ତ୍ର ପ୍ରଜେକ୍ଟ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ୟାଘ୍ର ସଂରକ୍ଷଣ ସମିତି ମାନ କରାଯାଇଛି । ବନବିଭାଗର ତଦାରଖ କ୍ରମେ ଗ୍ରାମବାସୀଙ୍କୁ ସଚେତନତା ସୃଷ୍ଟି କରି ବ୍ୟାଘ୍ର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ନିୟମ ରହିଛି । ସେହିପରି ବନବିଭାଗର ଫରେଷ୍ଟର୍ ଏବଂ ଫରେଷ୍ଟ ଗାର୍ଡ, ୱାଚର୍, ପାରା ଷ୍ଟାଫ୍ ଆଦି ମାନଙ୍କୁ ବ୍ୟାଘ୍ର ଏବଂ ହାତୀ ଭଳି ବିଭିନ୍ନ ବିରଳ ପ୍ରଜାତି ପଶୁ ପକ୍ଷୀଙ୍କ ଉପସ୍ଥିତି ଅଞ୍ଚଳରେ ସେମାନଙ୍କୁ ସୁରକ୍ଷା ପାଇଁ ଦୈନିକ ପାଦ ଚଲା ପାଟ୍ରୋଲିଂ ଜିପିଏସ୍ ମାଧ୍ୟମରେ କରିବାକୁ ନିୟମ ରହିଛି । ହେଲେ ସମସ୍ତ କର୍ମଚାରୀ ପାଳି କରି ଜିପିଏସ୍କୁ ଧରି ପାଟ୍ରୋଲିଂ ଔପଚାରିକତା ଦୃଷ୍ଟିରୁ କରିଦେଉଥିବା ଜାଣିବାକୁ ମିଳିଛି । ବିଗତ ବାଘ ଗଣନା ସମୟରେ ବନବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଥିବା ପିଟ୍ (ବାଲି ବିଛା ସ୍ଥାନ)ରେ ସେଠାରେ ସଂଗୃହିତ ପାଦ ଚିହ୍ନ ଏବଂ ମଳରୁ ଗାଇଡା ଏବଂ ନୂଆପଡା ସେକ୍ସନରେ ଚିତା ବାଘର ଉପସ୍ଥିତି ରହିଥିବା ଜାଣିବାକୁ ମିଳିଛି । ନିକଟରେ ବନବିଭାଗର ବରିଷ୍ଠ ଅଧିକାରୀ ଡିଏଫ୍ଓ ଆଶିଷ କୁମାର ବେହେରାଙ୍କୁ ଭିଜିଲାନ୍ସ ଦ୍ୱାରା ଗିରଫ କରାଯିବା ପରେ ତାଙ୍କୁ ବିଭିନ୍ନ ଅସାଧୁ କାର୍ଯ୍ୟରେ ସହେଯାଗ କରିଥିବା ଦିଗପହଣ୍ଡି ରେଞ୍ଜର୍ ପରମାନନ୍ଦ ପାଣିଗ୍ରାହୀଙ୍କ ଆୟ ବର୍ହିଃଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେବା ଆଦି ଠାରୁ ଦିଗପହଣ୍ଡି ବନାଞ୍ଚଳରେ ବନବିଭାଗର କାର୍ଯ୍ୟ ସବୁ ତଦାରଖ କରିବା ପାଇଁ ସଠିକ୍ ଅଧିକାରୀ ଜଣା ନିୟୋଜିତ ହେଉନଥିବା ଜାଣିବାକୁ ମିଳିଛି । ବିଭିନ୍ନ କାରଣରୁ କର୍ମଚାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରହୁନଥିବାରୁ ଦିଗପହଣ୍ଡି ବନାଞ୍ଚଳରେ ବିରଳ ପ୍ରଜାତିର ପଶୁ ପକ୍ଷୀ ଆଦି ସୁରକ୍ଷିତ ନଥିବା ସହିତ ଜଙ୍ଗଲ ସୃଷ୍ଟି କାର୍ଯ୍ୟକ୍ରମ ଆଦି ତ୍ୱରାନ୍ନିତ ହେଉନଥିବା ପିଏଫ୍ଏ ସ୍ୱେତ୍ସାସେବୀ ସମୀରକାନ୍ତ ତ୍ରିପାଠୀ, ଶୁଭମ୍ କୁମାର ସାହୁ, କୃଷ୍ଣଚନ୍ଦ୍ର ପାତ୍ର, ଶ୍ରୀକାନ୍ତ ସାହୁ, ତାରା ପ୍ରସାଦ ଦାସ, ସୁଶାନ୍ତ ମହାଙ୍କୁଡ, ଅଜୟ କୁମାର ନାୟକ ପ୍ରମୁଖ ପ୍ରତିକ୍ରିୟାରେ ଜଣାଇଛନ୍ତି । ବନବିଭାଗ କର୍ମଚାରୀ ଏବଂ ଅଧିକାରୀ ମାନେ ନିୟମିତ ପରିଦର୍ଶନରେ ଆସି ବିଭିନ୍ନ କାର୍ଯ୍ୟର ସିଧାସଳଖ ତଦାରଖ କରୁନଥିବା ଯୋଗୁଁ ମନଇଚ୍ଛା କାର୍ଯ୍ୟକ୍ରମ ଚାଲୁ ରହିଛି ଯଦ୍ୱାରା ଚୋରା କାଠ ବେପାରୀ ଏବଂ ଜଙ୍ଗଲ ଶିକାରୀ ମାନଙ୍କୁ ସୁହାଉଥିବା ଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି । ସୋମବାର ସକାଳେ ମିଳିଥିବା ଚିତା ବାଘ ମୃତ ଦେହ ଘଟଣା ଏବଂ ପରେ ଗ୍ରାମବାସୀଙ୍କ ଦ୍ୱାରା କେନାଲରେ ଭସାଇଦେବା ଘଟଣାରୁ ବେଶ୍ ବାରି ହୋଇଯାଉଛି ଦିଗପହଣ୍ଡି ବନାଞ୍ଚଳରେ ବିରଳ ପ୍ରଜାତି ଯନ୍ତୁ କେତେ ସୁରକ୍ଷିତ ଅଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ