ଚିତ୍ତରଞ୍ଜନଙ୍କୁ କବିକନ୍ୟା ସ୍ମୃତି ପୁରସ୍କାର
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ତଥା ହାଟଡିହି ବ୍ଲକ ଡଅଁର ଗ୍ରାମର ଚର୍ଚ୍ଚିତ ଯୁବକବି ଚିତ୍ତରଞ୍ଜନ ନାୟକଙ୍କୁ ‘କବିକନ୍ୟା ସ୍ମୃତି ପୁରସ୍କାର’ ପ୍ରଦାନ କରାଯାଇଛି । ନିଜର ଅନନ୍ୟ କବି ପ୍ରତିଭାର ନିଦର୍ଶନ ପୁର୍ବକ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଭୁବନେଶ୍ୱର ରେଡକ୍ରସ ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଓଡିଶାର ପୁର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଇ, ବିଶିଷ୍ଟ କବି ତଥା ପ୍ରଶାସକ ଧନଞ୍ଜୟ ସ୍ୱାଇଁ, ବରିଷ୍ଠ କବି ଅନ୍ନପୁର୍ଣ୍ଣା ମହାନ୍ତି, କବି ତଥା ଅନୁଷ୍ଠାନର ଅଧ୍ୟକ୍ଷ ରମେଶ ପତି, ଅନୁଷ୍ଠାନର ସମ୍ପାଦକ ତଥା ବରିଷ୍ଠ ସାହିତ୍ୟିକ ଅୟସକାନ୍ତ ପ୍ରମୁଖ ଅତିଥିଭାବେ ଯୋଗଦେଇ ଚିତ୍ତରଞ୍ଜନଙ୍କୁ ମାନପତ୍ର, ଉପଢ଼ୌକନ ଓ ଅର୍ଥରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏଠାରେ ସୁଚନାଯୋଗ୍ୟ ଯେ ଜଣେ ଆଗଧାଡିର ନାରୀକବି ଓଁ ଇଶ୍ୱରୀ କବିକନ୍ୟାଙ୍କ ଅକାଳ ବିୟୋଗପରେ ତାଙ୍କର ଅମ୍ଳାନ ସ୍ମୃତିରେ ପ୍ରତିବର୍ଷ ଓଡିଶାର ଜଣେ ଜଣେ ପ୍ରଭାବଶାଳୀ ଓ ଚର୍ଚ୍ଚିତ ଯୁବକବିଙ୍କୁ ଏହି ପୁରସ୍କାର ଦିଆଯାଇ ଆସୁଅଛି । ସୁଚନା ଥାଉକି ଯୁବକବି ଚିତ୍ତରଞ୍ଜନ ନାୟକ ଉଭୟ ଇଂରାଜି ଓ ଓଡିଆରେ ଉକ୍ରୃଷ୍ଟ ମାନର କବିତା ଲେଖି ପୁର୍ବରୁ ଫକିରମୋହନ ସାହିତ୍ୟ ପୁରସ୍କାର, କଳିଙ୍ଗ ଯୁବ ପୁରସ୍କାର, ସଚିବାଳୟ ଲେଖକ ପରିଷଦ ପୁରସ୍କାର ଓ ସୃଜନ ଇଣ୍ଡିଆ ଯୁବକବି ସମ୍ମାନ ଭଳି ଅନେକ ପୁରସ୍କାର ପାଇଛନ୍ତି । ଶ୍ରୀ ନାୟକଙ୍କ “ମାଟି ଛୁଇଁ ନଥିବା ସୂର୍ଯ୍ୟୋଦୟ” ଏକ କବିତା ସଂକଳନ ପ୍ରକାଶ ପାଇ ପାଠକୀୟ ଆଦୃତି ପାଇବାରେ ସକ୍ଷମ ହୋଇଛି । ଏହି ପୁରସ୍କାର ପାଇବାପରେ ତାଙ୍କୁ ହାଟଡିହି ସାହିତ୍ୟଘର , ସର୍ଭ ଫର ପିପୁଲସ ସଂଗଠନ, ଲେଖକ ସମବାୟ ସମିତି ଆନନ୍ଦପୁର, ମିଳନୀ ସାହିତ୍ୟ ସଂସଦ କେନ୍ଦୁଝର, ଘଟଗାଁ ସାହିତ୍ୟଘର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ସଦସ୍ୟ କବି ବିମଳ କୁମାର ଜେନା ଶୁଭେଚ୍ଛା ଜଣାଇଛନ୍ତି ।