ଚିନ୍ତା ବଢାଉଛି ନାଉଗାଁ-ଡାବର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ-ଡାବର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି । ଏହି ରାସ୍ତାଟିକୁ ବିଭାଗ ପକ୍ଷରୁ ପୁନଃ ନିର୍ମାଣ ଓ ସଂପ୍ରସାରଣ କାର୍ଯ୍ୟ କରାଯାଉଛି । ରାସ୍ତା କାର୍ଯ୍ୟ ଶେଷ ବିଳମ୍ବ ହେଉଥିବା ହେତୁ ଜନସାଧାରଣଙ୍କ ଚିନ୍ତା ବଢାଇ ଦେଇଛି । ସୂଚନାଫଳକ ତଥ୍ୟ ଅନୁସାରେ ରାସ୍ତା ନିର୍ମାଣର କାର୍ଯ୍ୟାରାମ୍ଭ ୨୦୨୨ ଡିସେମ୍ବର ୧୭ ତାରିଖ ରହିଥିବା ବେଳେ କାର୍ଯ୍ୟ ଶେଷ ୨୦୨୩ ନଭେମ୍ବର ୧୬ ତାରିଖ ରହିଛି । ତଥ୍ୟ ଅନୁସାରେ ରାସ୍ତା କାର୍ଯ୍ୟର ଶେଷ ବର୍ଷେ ହେବ ଅବଧି ସରିଥିବା ବେଳେ ଏପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସରୁନାହିଁ । ନିଯୁକ୍ତ ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଥିବା ବେଳେ ଜନସାଧାରଣ ଯିବା ଆସିବା ପାଇଁ ନାହିଁ ନଥବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଠିକାଦାର ରାସ୍ତାରେ ମେଟାଲ ପକାଇ ସାମାନ୍ୟ ଡଷ୍ଟ ଛିଂଚି ଚୁପ ହୋଇ ବସିଥିବା ବେଳେ ପ୍ରତ୍ୟହ ରାସ୍ତାରେ ଯିବା ଆସିବା ବେଳେ ଦୁର୍ଘଟଣା ଘଟୁଛି । ରାସ୍ତାରେ ବିଛା ଯାଇଥିବା ଡଷ୍ଟକୁ ଠିକ ଭାବେ ରୋଲିଂ କରାଯାଇ ନଥିବା ବେଳେ ଗତ ଲଘୁଚାପ ବର୍ଷାରେ ପଡିଥିବା ଡଷ୍ଟ ଅନେକାଂଶ ରେ ଧୋଇ ହୋଇଗଲାଣି । ଯାହାଫଳରେ ମେଂଟାଲ ସବୁ ବାହାରକୁ ବାହାରିଛି । ମେଂଟାଲ ବାହାରିବା ଦ୍ୱାରା ଯାନ ବାହାନ ତ ଦୁରର କଥା ପଦଚାରୀମାନେ ଖାଲି ପାଦରେ ଯିବା ଆସିବା କରି ପାରୁନାହାନ୍ତି । ଅପରପକ୍ଷେ ପଡିଥିବା ଡଷ୍ଟରେ ପ୍ରତ୍ୟହ ପାଣି ପଡୁ ନଥିବାରୁ ଯାନବାହାନ ଯିବା ସମୟରେ ଧୂଳି ଉଡି ସମସ୍ୟା ସୃଷ୍ଟି କରୁଛି । ଏପରିକି ଏହି ଧୂଳିରେ ଶ୍ୱାସ ରୋଗୀମାନେ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତା ପ୍ରସଙ୍ଗରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ମଧ୍ୟ ବିଭାଗ ପକ୍ଷରୁ ଠିକାଦାରଙ୍କ ପ୍ରତି କୌଣସି ପଦକ୍ଷେପ ନିଆଯାଉଥିବାରୁ ବିଭାଗ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ୍ଳକର ଆଦର୍ଶ ବିଦ୍ୟାଳୟଟି ଦହିପାଳସ୍ଥିତ ବେଲକନ୍ଦା ନିକଟରେ ଅବସ୍ଥିତ । ଏହି ରାସ୍ତା ଦେଇ କୋରୁଅ, ଡେରିକି, ତିରୁଣା, ଡାବର, ଓଷକଣା ଆଦି ପଂଚାୟତର ପିଲା ସାଇକେଲ ଦ୍ୱାରା ବିଦ୍ୟାଳୟକୁ ଯିବା ଆସିବା କରିଥାନ୍ତି । ରାସ୍ତାରେ ମେଟାଲ ବିଛେଇ ହୋଇ ପଡିବା ଦ୍ୱାରା ପିଲାମାନଙ୍କ ବିଦ୍ୟାଳୟକୁ ଯିବା ଏକ ପ୍ରକାର ଠପ ହୋଇଗଲାଣି । ସେହିପରି ନାଉଗାଁ ବଜାର, କାନୁନଗୋସାହି, ଗୋଠଦା, ଦହିପାଳ ଆଦି ଗ୍ରାମରେ ନିର୍ମିତ ହୋଇଥିବା କଂକ୍ରିଟ ରାସ୍ତା ମାସ କେତେଟା ମଧ୍ୟରେ ରାସ୍ତା ଉପରୁ ସିମେଂଟ ଉଠିଯାଇଥିବା ବେଳେ ରାସ୍ତାରୁ ଗୋଡି ବାହାରଥିବା ଦେଖିବାକୁ ମିଳିଛି । ନିମ୍ନମାନର କାର୍ଯ୍ୟ ଯୋଗୁ କଂକ୍ରିଟ ରାସ୍ତା ଖାଲ ହୋଇ ପଡୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଗୋଟିଏ ପାଶ୍ୱର୍ରେ ରାସ୍ତା କାର୍ଯ୍ୟ ନସରୁଣୁ ଅନ୍ୟ ପାଶ୍ୱର୍ରେ ନିର୍ମିତ ରାସ୍ତାରେ ଖାଲ ସୃଷ୍ଟି ହେବା ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବିଷୟରେ ବିଭାଗୀୟ ସହକାରୀ ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କୁ ପଚାରିବାରେ ଗାଡି ସବୁ ଷ୍ଟ୍ରାଇକ୍ ଥିବାରୁ ରାସ୍ତା କାର୍ଯ୍ୟ ପାଇଁ ଆବଶ୍ୟକୀୟ ସାମଗ୍ରୀ ଆସିପାରୁ ନଥିଲା । ଷ୍ଟ୍ରାଇକ୍ ସ୍ଥଗତି ହେବା ପରେ ଠିକାଦାରଙ୍କ ସହ ଆଲୋଚନା ସରିଛି ଖୁବଶୀଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ