ଚିଫ ୱାଡର ନିଲମ୍ବିତ, ୧୫ଘଣ୍ଟାପରେ ବସ୍ତିରୁ ଧରାପଡିଲେ ଚମ୍ପଟ ମାରିଥିବା କଏଦୀ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଉପକାରଗାରରୁ ଜଣେ ବିଚାରାଧୀନ କଏଦୀ ଗତକାଲି ବିଳମ୍ବିତ ରାତିରେ ଚମ୍ପଟ ମାରିଥିବା ଘଟଣା ଚାଂଚଲ୍ୟ ଖେଳାଉଦେଇଥିବା ବେଳେ ଦୀର୍ଘ୧୫ଘଣ୍ଟା ପରେ ଆଜି ବସ୍ତିରୁ ଜେଲ କର୍ମଚାରୀ ମାନେ ଚମ୍ପଟ ମାରିଥିବା କଏଦୀ କୁ କାବୁକରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି (ସୋମବାର) ବିଳମ୍ବିତ ରାତିରେ କବିରାଜ ବେହେରା (୩୨)ନାମକ ଜଣେ ବିଚରାଧୀନ କଏଦୀ ଛତ୍ରପୁର ଉପକାରାଗାରରୁ ଚମ୍ପଟ ମାରିଥିଲା । କବିରାଜଙ୍କ ଘର ପୁରୁଷୋତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମ ବୋଲି ଜଣାପଡ଼ିଛି । ସେ ଏକ ଦୁଷ୍କର୍ମ ମାମଲାରେ ଗତ ବର୍ଷ ଡ଼ିସେମ୍ବର ୭ ତାରିଖ ଛତ୍ରପୁର ଥାନା ପୁଲିସ ଦ୍ୱାରା ଗିରଫ ହୋଇ ଉପକାରାଗାରରେ ବନ୍ଦୀ ଥିଲେ । ଏବେ ସେ ଚମ୍ପଟ ମାରିବାରେ ସକ୍ଷମ ହେଲେ ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଏଣେ ଉପକାରାଗାରର କର୍ମଚାରୀ ମାନେ ପୁଲିସ ସହାୟତାରେ ଚମ୍ପଟ ମାରିଥିବା କବିରାଜ ବେହେରାଙ୍କୁ ଧରିବା ଲାଗି ଦିନତମାମ ଜୋରସୋର ଉଦ୍ୟମ କରିଥିଲେ । ଘଟଣାର ଖବର ପାଇ ମଙ୍ଗଳବାର ପୂର୍ବାହ୍ନରେ ବ୍ରହ୍ମପୁର ରେଞ୍ଜ୍ର (ଜେଲ୍ ବିଭାଗ) ଡିଆଇଜି ରଘୁନାଥ ମାଝୀ ଓ ବ୍ରହ୍ମପୁରର ସିନିୟର ଜେଲ୍ ସୁପରିଟେଣ୍ଡେଂଟ୍ ଏ.କେ ସିହ୍ନାଙ୍କ ସମେତ ଏକ ପ୍ରତିନିଧି ଦଳ ଛତ୍ରପୁର ଉପକାରାଗାର ପହଂଚି ଘଟଣାର ତଦନ୍ତ କରି ଜେଲ୍ ପାରିପାଶ୍ୱର୍ ଏବଂ ସିଟି ଟିଭି ଫୁଟେଜ୍ ଯାଂଚ କରିଥିଲେ । କଏଦୀ ଜଣକ କିପରୀ ଚମ୍ପଟ ମାରିଲେ ଘଟଣା ସଂପର୍କରେ ଛତ୍ରପୁର ସବଜେଲ ଅଧ୍ୟକ୍ଷା୍ ଏବଂ କର୍ମଚାରୀଙ୍କ ବୟାନ ନେଇଥିଲେ । ପ୍ରାଥମିକ ତଦନ୍ତରେ ଜଣାପଡ଼ିଥିଲା ଯେ କବିରାଜ ବେହେରା ଗତକାଲି (ସୋମବାର) ସନ୍ଧ୍ୟା ୫ଟାରୁ ସିସି ଟିଭି ଫୁଟେଜ୍ ରେ ଦେଖାଯାଉନଥିଲା ଏଣୁ ଉପସ୍ଥିତ ଜେଲ କର୍ମଚାରୀ ଓ ଘଟଣାର ଅନୁସନ୍ଧାନ ପରେ ଜଣାପଡ଼ିଛି ଯେ କବିରାଜ ଉପକାରାଗାରର ପଛପଟୁ ପାଚେରୀ ଡେଇଁ ଚମ୍ପଟ ମାରିଥିବା ଡ଼ିଆଇଜି କହିଥିଲେ । ଏହା ସହ ସମସ୍ତ ଘଟଣାର ତଦନ୍ତ ରିପୋର୍ଟ ଉଚ୍ଚକର୍ତୃପକ୍ଷଙକୁ ପ୍ରଦାନ କରାଯିବ ବୋଲି ସେ ମଧ୍ୟ କହିଥିଲେ । ମଙ୍ଗଳବାର ସକାଳେ ଘଟଣାର ଖବର ପାଇ ଛତ୍ରପୁର ପୁଲିସ ଏସଡ଼ିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ଉପକାରାଗାରକୁ ଯାଇ ଚାରିପାଶ୍ୱର୍ ତଦନ୍ତ କରିଛନ୍ତି । ଏହା ସହ ସିିସି ଫୁଟେଜ୍ ଏବଂ ଜେଲ୍ କର୍ମଚାରୀଙ୍କୁ ଘଟଣା ସଂପର୍କରେ ପଚାରି ବୁଝିଥିଲେ । ଏନେଇ ଉପକାରାଗାର ଅଧ୍ୟକ୍ଷା ସୁସ୍ମିତା ବିଶ୍ୱାଳ ଏକ ଲିଖିତ ଅଭିଯୋଗ ଛତ୍ରପୁର ଥାନାରେ ଅଭିଯୋଗ ଦେଇଥିଲେ । ଛତ୍ରପୁର ପୁଲିସ ଏତଲାକୁ ଭିତ୍ତି କରି ୪/୨୦୨୦ରେ ଏକ କେସ ରୁଜୁ କରି ତଦନ୍ତ ଚଲାଇଥିଲେ । ଅପରପକ୍ଷରେ ଆଜି ସନ୍ଧ୍ୟାରେ ବିଭାଗୀୟ ଜେଲ ଡିଆଇଜି ରଘୁନାଥ ମାଝି ଗତକାଲି ଡୁଟିରେ ଥିବା ଚିଫ ୱାଡର ଚିତରଂଜନ ନାୟକଙ୍କୁ କାର୍ଯ୍ୟରୁ ଅବହେଳା ନେଇ ନିଲମ୍ବିତ କରିଥିଲେ । ମଙ୍ଗଳବାର ରାତ୍ରି ୮ଟାରେ ଛତ୍ରପୁର ଉପାକାରାଗାର କର୍ମଚାରୀ ଚମ୍ପଟ ମାରିଥିବା କଏଦୀ କବିରାଜ ଙ୍କୁ କଲେଜଛକ ନିକଟ ଏକ ବସ୍ତିଅଂଚଳରୁକାବୁ କରିଥିଲେ । ତେବେ ସେ ଗୁରୁତର ଅବସ୍ଥା ଥିବା ଜଣାପଡିଛି । ଜେଲକର୍ମଚାରୀ ମାନେ ଚମ୍ପଟମାରି ଧରାପଡିଥିବା କଏଦୀକୁ ଛତ୍ରପୁର ଥାନାକୁ ହସ୍ତାନ୍ତର କରିବେ । ଛତ୍ରପୁର ପୁଲିସ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି ା


