ଚିରନିଦ୍ରାରେ ଏନଏଚ କର୍ତ୍ତୃପକ୍ଷ : ଜାତୀୟ ରାଜପଥ ନିର୍ମାଣରେ ବ୍ୟବହାର ହେଉଛି ନିକୃଷ୍ଟ ମାନର ସାମଗ୍ରୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଜାତୀୟ ରାଜପଥକୁ ସାଧାରଣ ଲୋକଙ୍କ ପାଇଁ ଯାତାୟତର ଲାଇଫ ଲାଇନ ବୋଲି କୁହାଯାଏ । ଗ୍ରାମ୍ୟ ରାସ୍ତା ସହିତ ଆଞ୍ଚଳିକ ଓ ଜିଲ୍ଲା ସୀମା ସଂଯୋଗ କରୁଥିବା ରାସ୍ତାକୁ ଛାଡିଦେଲେ ଓଡ଼ିଶାରେ ଅନେକ ରାଜ୍ୟ ଓ ଜାତୀୟ ରାଜପଥ ରାସ୍ତା ହଜାର ହଜାର କିଲୋମିଟର ବ୍ୟାପୀ ରହିଛି । ରାଜ୍ୟ ରାଜପଥକୁ ଛାଡିଲା ପରେ ଜାତୀୟ ରାଜପଥ ଦେଶର ଆର୍ଥିକ ମେରୁଦଣ୍ଡ ସଦୃଢ଼ ପାଇଁ ଏକ ପ୍ରମୁଖ ମାଧ୍ୟମ ଅଟେ। ତେଣୁ ରାସ୍ତା ପ୍ରଶସ୍ତିକରଣ ହେଉ ବା ନବୀକରଣ ସବୁଥିରେ ଏହାର ନିର୍ମାଣ ଶୈଳୀ ଉଚ୍ଚ ମାନର ହେବା ଉଚିତ। ପରିତାପର ବିଷୟ ଉକ୍ତ ରାସ୍ତା ଗୁଡିକରେ ନିମ୍ନ ମାନର କାର୍ଯ୍ୟ ଯୋଗୁ ଏହା ଅଳ୍ପ ଦିନରେ ନଷ୍ଟ ହେଉଥିବା ବେଳେ ଯାତାୟତରେ ଲୋକଙ୍କ ପାଇଁ ମରଣଯନ୍ତା ପାଲଟୁଥିବା ଦେଖାଯାଉଛି । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ତିନିବର୍ଷ ଧରି ଚାଲିଥିବା ବେଳେ ଏଥିରେ ଅନେକ ନିକୃଷ୍ଟ ମାନର ସାମଗ୍ରୀ ବ୍ୟବହାର ହେଉଥିବା ଜଣାପଡିଛି । ଚେନ୍ନାଇରୁ କଲିକତା ଯାଏଁ ଉକ୍ତ ରାସ୍ତା ଲମ୍ବିଥିବା ବେଳେ ଚଣ୍ଡିଖୋଲରୁ ଭଦ୍ରକ ରାହାଞ୍ଜ ଯାଏଁ ଏବେ ୬ଲାଇନ ବିଶିଷ୍ଟ ରାସ୍ତା କାର୍ଯ୍ୟ ଚାଲିଛି। ଜନୈକ ଅଣ ଓଡିଆ ଠିକା ସଂସ୍ଥା କାମ କରୁଥିବା ବେଳେ ରାସ୍ତା ନିର୍ମାଣରେ ପ୍ରାରମ୍ଭରୁ ନିକୃଷ୍ଟ ମାନର ବାଲି, ମୋରମ ବ୍ୟବହାର କରୁଛି । ଏବେ ଭଣ୍ଡାରିପୋଖରୀ ବଜାର ଠାରୁ ପାଳଦାବାଙ୍କ ଯାଏଁ ରାସ୍ତା ନିର୍ମାଣ ହେଉଥିବା ବେଳେ ଏଥିରେ ଆରମ୍ଭରୁ ବିଭିନ୍ନ କଳକାରଖାନାର ନିର୍ଗତ ପାଉଁଶଗୁଣ୍ଡ ବ୍ୟବହାର ହୋଇଛି । ଏହାଛଡା ସଠିକ ବାଲି ବ୍ୟବହାର ହୋଇନଥିବା ବେଳେ ଏବେ ମାଟି କାଦୁଅ ମିଶା ମୋରମ ଏଥିରେ ବିଛା ଯାଉଛି। ବ୍ୟବହୃତ ଦ୍ରବ୍ୟ ସ୍ୱଚ୍ଛ ହୋଇନଥିବା ବେଳେ ସେଥିରେ ଅନେକ ଛୋଟବଡ ଖଣିଜଦ୍ରବ୍ୟ ଆକୃତି ମାଟି ଗୋଡି ମଧ୍ୟ ଦେଖାଯାଉଛି । ରାସ୍ତା ନିର୍ମାଣ ପାଇଁ କୌଣସି ସ୍ଥାନରେ ବ୍ୟବହୃତ ସାମଗ୍ରୀର ସାରଣୀ ଲେଖା ନଥିବା ବେଳେ ଏନଏଚ କର୍ତ୍ତୃପକ୍ଷ ପକ୍ଷ ଏବେ ଚିରନିଦ୍ରାରେ ଥିବା ଭଳି ଲାଗୁଛନ୍ତି। ଏପରିକି ସାମଗ୍ରୀର ମାନ ନିର୍ଦ୍ଧାରଣ କେଉଁଠି କେମିତି ହେଉଛି ତାହା ସଠିକ ଜଣାପଡୁନାହିଁ । ଭଦ୍ରକ ଜିଲ୍ଲାରେ ଜାତୀୟ ରାଜପଥ ବିଭାଗର କୌଣସି ଆଞ୍ଚଳିକ କାର୍ଯ୍ୟାଳୟ ନଥିବା ବେଳେ ଏହାର ସୁଯୋଗ ନେଇ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରୁଥିବା ଅଣ ଓଡିଆ କମ୍ପାନୀ କାମରେ ନିମ୍ନ ମାନର ଦ୍ରବ୍ୟ ବ୍ୟବହାର କରୁଥିବା ଜଣାପଡିଛି। ନାଁ କୁ ମାତ୍ର କେତେବେଳେ କେମିତି କର୍ତ୍ତୃପକ୍ଷ ଆସି ଗାଡ଼ିରେ ଗାଡ଼ିରେ ରାସ୍ତା ବୁଲୁଥିବା ବେଳେ କାର୍ଯ୍ୟର ମାନ ନିର୍ଦ୍ଧାରଣ କରୁନଥିବା ଜଣାଯାଇଛି । ସୁତରାଂ ଗୁରୁତ୍ୱ ଦୃଷ୍ଟିରୁ ଜାତୀୟ ରାଜପଥ ଦେଶ ଓ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବାରୁ ଏହାର ପ୍ରଶସ୍ତିକରଣ କାର୍ଯ୍ୟକୁ ଅତି ବେପରୁଆ ଭାବେ ନିର୍ମାଣ କରିବା ପରିତାପର ବିଷୟ ପାଲଟିଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୃଦ୍ଧିଜୀବୀ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ