ଚୀନରେ ରହସ୍ୟଜନକ ନିମୋନିଆ

ବିଶ୍ୱରେ ଗତ ୧୦୦ବର୍ଷ ମଧ୍ୟରେ ସବୁଠାରୁ ଘାତକ ମହାମାରୀ ସାବ୍ୟସ୍ତ ହୋଇଥିବା କୋରୋନା ଭୂତାଣୁ ଚୀନର ହୁକେଇ ପ୍ରଦେଶର ରାଜଧାନୀ ଉହ୍ୱାନ’ରୁ ଜନ୍ମ ନେଇ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେବାର ପ୍ରାୟ ୪ବର୍ଷ ପରେ ଏବେ ସେହି ଦେଶର ରାଜଧାନୀ ଚୀନ ରାଜଧାନୀ ବେଜିଂ ସମେତ ଲିଆଓନିଙ୍ଗ ଏବଂ ଅନ୍ୟ କେତେକ ସ୍ଥାନରେ ଏନଫ୍ଲୁଞ୍ଜା(ରହସ୍ୟଜନକ ନିମୋନିଆ) ପରି ଭୂତାଣୁ ସଂକ୍ରମଣ ଦିନକୁ ଦିନ ବ୍ୟାପି ଚାଲିଥିବା ରିପୋର୍ଟ ଏବେ ପୁଣି ଜନସାଧାରଣଙ୍କ ପାଇଁ ଉଦ୍‌ବେଗର କାରଣ ହୋଇଛି । ରିପୋର୍ଟ ପ୍ରକାଶ ପାଇଛି ଯେ, ଏହି ରହସ୍ୟଜନକ ନିମୋନିଆ ଭୂତାଣୁ ସଂକ୍ରମଣରେ ଚୀନର ଶିଶୁମାନେ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତ ଅଂଚଳରେ ଏହି ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ଶିଶୁମାନଙ୍କ ସଂଖ୍ୟା ଏବେ ସଂଖ୍ୟାରେ ବଢିଚାଲିଛି ଯେ, ହସପିଟାଲଗୁଡିକରେ ଶର୍ଯ୍ୟାର ଗୁରୁତ୍ୱର ଅଭାବ ପରିଲିଖିତ ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସଂକ୍ରମିତ ଅଂଚଳରେ ସ୍କୁଲଗୁଡିକୁ ବନ୍ଦ କରିଦିଆଯାଇଛି । ଏହା ସତ୍ୱେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ବେସରକାରୀ ଭାବେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ୧୦ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଇଥିବାବେଳେ ଚୀନ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ । କେବଳ ଶିଶୁମାନେ ଏହି ଭୂତାଣୁରେ ସଂକ୍ରମିତ ହେଉଥିବାବେଳେ ମହାମାରୀ କୋରୋନା ଭୂତାଣୁ ସଂକ୍ରମଣ ସମୟର ପରିସ୍ଥିତି ଚୀନକୁ ପେରିଛି । ମାସ୍କ ଓ ପିଇଟି କିଟ୍ ପରିଧାନ ସମ୍ପୃକ୍ତ ଅଂଚଳକୁ ଫେରିଛି । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ମୁହଁରେ ମାସ୍କ ଓ କିଟ୍ ପରିଧାନ ବାଧ୍ୟତାମୂଳକ କରାଯାଇଥିବାବେଳେ ଘରୁ ବିନା କାରଣରେ ନବାହାରିବା ପାଇଁ ଚୀନ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ରହସ୍ୟଜନକ ନିମୋନିଆ ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତି ଦିନକୁ ଦିନ ବଢିଚାଲିଥିବାବେଳେ ଚୀନ ସରକାର ଯେଉଁ ସ୍ପଷ୍ଟୀକରଣ ଦେଇଛନ୍ତି, ସେଥିରୁ ସଂକ୍ରମଣକୁ ଅତି ହାଲୁକା ଭାବେ ନେଇଥିବା ମନେହୁଏ । ଉଲ୍ଲେଖ କରାଯାଇପାରେ ଯେ, ଉହ୍ୱାନରେ ମହାମାରୀ କୋରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହେବା ନେଇ ଚୀନ ସରକାର ତଥ୍ୟ ଲୁଚାଇଥିଲେ । ଯାହାର ପରିଣତ ସ୍ୱରୁପ ବିଶ୍ୱର ୨୧୪ ରାଷ୍ଟ୍ରରେ କୋରୋନା ଭୂତାଣୁ ଜନଜୀବନକୁ ଠପ୍ କରିଦେଇଥିବା ବେଳେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଥିଲା । ବିଶ୍ୱରେ ୧୦କୋଟିରୁ ଅଧିକ ଲୋକଙ୍କର ଜୀବନ ଯାଇଥିବାବେଳେ ୧୦୦କୋଟିରୁ ଅଧିକ ଲୋକ ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ । କେବଳ ଏତିକି ନୁହେଁ, ସମଗ୍ର ବିଶ୍ୱର ଅର୍ଥନୀତିକୁ ବିପର୍ଯ୍ୟାସ୍ତ କରି ଦେଇଥିବାବେଳେ ଏବେ ବି ଜନସାଧାରଣ ଅଂଟା ସଳଖି ପାରିନାହାଁନ୍ତି । ଆହୁରି ମଧ୍ୟ କୋରୋନା ଭୂତାଣୁର ଆତଙ୍କ ଏବେ ମଧ୍ୟ କମି ନାହିଁ । ନିକଟରେ ଆମେରିକାର କେତେକ ଅଂଚଳରେ କୋରୋନା ସଂକ୍ରମଣ ପୁଣି ମୁଣ୍ଡ ଟେକିଥିବା ରିପୋର୍ଟ ପ୍ରକାଶ ପାଇଛି । କହିବା ବାହୁଲ୍ୟ ଯେ, ରହସ୍ୟଜନକ ନିମୋନିଆ ଭୂତାଣୁ ସମ୍ପର୍କରେ ଗଣମାଧ୍ୟମର ରିପୋର୍ଟ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଚୀନ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଥିବାବେଳେ ଚୀନ ସରକାର ଦର୍ଶାଇଛନ୍ତି ଯେ, ଏହା ଏକ ସାଧାରଣ ଏକଫ୍ଲୁଞ୍ଜା ସଂକ୍ରମଣ । ଯାହାକୁ ବେଜିଂ ଅତି ଗୁରୁତ୍ୱହୀନ ଭାବେ ଗ୍ରହଣ କରିଥିବା ମନେହୁଏ । ମାଇକୋପ୍ଲାଜମା ନିମୋନିଆରେ ପିଲାମାନେ ସଂକ୍ରମିତ ହୋଇଥିବା କୁହାଯାଇଛି । ଗତ ମେ’ ମାସରୁ ଚୀନର ସ୍କୁଲପିଲାଙ୍କ ଠାରେ ଏହି ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି । ପିଲାମାନେ ଶ୍ୱାସକ୍ରୀୟାରେ କଷ୍ଟ ଅନୁଭବ କରିବା ପରେ ହସପିଟାଲରେ ଭର୍ତୀ ହୋଇଛନ୍ତି । ବିଭିନ୍ନ ପ୍ରକାରର ନିମୋନିଆ ସଂକ୍ରମଣ ରହିଥିବାବେଳେ ଚୀନରେ ଯେଉଁ ସଂକ୍ରମଣ ଆରମ୍ଭ ହୋଇଛି, ତାର କାରଣ ଓ ଚିକିତ୍ସା ଉପାୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପାଇପାରୁନାହାଁନ୍ତି । ଏହା ଦ୍ୱାରା ଫୁସଫୁସ ସଂକ୍ରମିତ ହୋଇଥିବାରୁ ଏଥିରେ ବ୍ୟକ୍ତିର ମୃତ୍ୟୁ ଆଶଙ୍କା ବୃଦ୍ଧି ପାଇଛି । ଏହି ନିମୋନିଆ ସଂକ୍ରମଣକୁ ନେଇ ହୁ’ ସତର୍କତା ଜାରି କରିଛି । ଶ୍ୱାସକ୍ରୀୟାଜନିତ ଅସୁସ୍ଥତା ଆଶଙ୍କାକୁ ଏଡାଇବା ଲାଗି ସତର୍କ ରହିବାକୁ ହୁ’ ବିଶ୍ୱବାସୀଙ୍କୁ ପରାମର୍ଶ ଦେଇଛି । ତେବେ ଏହି ନୂଆ ପ୍ରକାରର ରହସ୍ୟଜନକ ନିମୋନିଆ ଭୂତାଣୁର ଲକ୍ଷଣ କୋରୋନା ଭୂତାଣୁ ସଂକ୍ରମଣ ସହ ସମାନ ରହିଥିବା କୁହାଯାଏ । ଯାହା ପୁଣି ଜନସାଧାରଣଙ୍କ ପାଇଁ ଆତଙ୍କର କାରଣ ହୋଇଛି । ହୁ’ର ପରାମର୍ଶ ଅନୁଯାୟୀ ସମ୍ଭାବ୍ୟ ସଂକ୍ରମଣ ନେଇ ଭାରତ ସମେତ ବିଶ୍ୱର ବହୁ ରାଷ୍ଟ୍ରର ସରକାର ଆଲର୍ଟ ଜାରି କରିସାରିଲେଣି । ତେବେ ରହସ୍ୟ ଜନକ ନିମୋନିଆ ସମ୍ପର୍କରେ ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ନିୟମିତ ତଥ୍ୟ ଯୋଗାଇବା ଉଚିତ । ଯାହାକି ସମଗ୍ର ବିଶ୍ୱ ପାଇଁ ମଙ୍ଗଳକର ହେବ । ଅନ୍ୟ ପକ୍ଷରେ ରହସ୍ୟଜନକ ନିମୋନିଆ ଭୂତାଣୁ ସମ୍ପର୍କରେ ସମସ୍ତ ରାଷ୍ଟ୍ରର ସ୍ୱାସ୍ଥ୍ୟବିଶାରଦମାନେ ସତର୍କ ଓ ସଚେତନ ରହିବା ଜରୁରୀ । ଅନ୍ୟଥା ମହାମାରୀ କୋରୋନା ପରି ଦଶା ଭୋଗିବା ସାର ହେବ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ,ଗାଙ୍ଗୋତ୍ରୀ ନଗର
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ