ଚୀନରେ ସ୍ବାଭାବିକ ହେଉଛି ଜୀବନଯାତ୍ରା
ବେଜିଂ: କୋରୋନା ଭାଇରସ ବିଭୀଷିକା ବିଶ୍ବକୁ ଆକ୍ରାନ୍ତ କରି ରଖିଥିବା ବେଳେ ଚୀନରେ ଜୀବନଯାତ୍ରା ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି। ଏହାର ଭୟାବହତାକୁ ଦେଖି ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରି ଦିଆଯାଇଛି। ସୂଚନାରୁ ଜଣାଯାଇଛି ଯେ, ଚୀନର କେତେକ ଅଞ୍ଚଳରେ ଅଳ୍ପ କେତେକ ଘରୋଇ ସଂସ୍ଥା ଖୋଲିଥିବା ଫଳରେ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏମିତିକି କେତୋଟି ପର୍ଯ୍ୟଟନସ୍ଥଳ ଖୋଲିଯିବାରୁ ସେଠାକୁ ଯିବାକୁ ପର୍ଯ୍ୟଟକମାନଙ୍କୁ ଅନୁମତି ମଧ୍ୟ ପ୍ରଦାନ କରାଯାଇଛି। ହେଲେ ସମସ୍ତ ସତର୍କତା ସହ ଲୋକମାନଙ୍କୁ ବାହାରକୁ ବାହାରିବାକୁ ଚୀନ ସରକାର ସତର୍କ କରାଇଛନ୍ତି। ଚୀନରେ କୋରୋନା ଭାଇରସ ଗତବର୍ଷ ଡିସେମ୍ବର ମାସରେ ଦେଖାଦେଇଥିବା ବେଳେ ଏବେ ଏହା ସାରା ବିଶ୍ୱର ନିଦ ହଜାଇ ଦେଇଛି। ପ୍ରତିଦିନ କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ଶହ ଶହ ଲୋକ ସଂକ୍ରମିତ ହେଉଥିବା ବେଳେ ଏହାର ସଠିକ୍ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ବାହାରିପାରି ନ ଥିବାରୁ ସାରା ବିଶ୍ବରେ ଆତଙ୍କର ବାତାବରଣ ଲାଗିରହିଛି।