ଚୀନ୍ର ଆଝାର ପ୍ରୀତି ପଛର ରହସ୍ୟ

ବେଜିଂ(ଏଜେନ୍ସି): କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ (ଜେଇଏମ୍)ର ମୁଖିଆ ମୌଲାନା ମାସୁଦ୍ ଆଝାରକୁ ଅନ୍ତର୍ଜାତିକ ଆତଙ୍କବାଦୀ (ଗ୍ଲୋବାଲ ଟେରୋରିଷ୍ଟ) ରୂପେ ଘୋଷଣା କରିବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସସି) ପକ୍ଷରୁ ବାରମ୍ବାର ଉଦ୍ୟମ କରାଯାଉଥିବା ବେଳେ ଚୀନ୍ କାହିଁକି ଏଥିରେ ପ୍ରତିବନ୍ଧକ ସାଜୁଛି ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି । ମାସୁଦ୍ ଆଝାର ପ୍ରତି ଚୀନ୍ର ଏପ୍ରକାର ସମ୍ବେଦନଶୀଳ ଆଭିମୁଖ୍ୟ ପ୍ରଦର୍ଶନ ଉପରେ ସମଗ୍ର ବିଶ୍ୱ ସମୁଦାୟ ମଧ୍ୟ ବିରକ୍ତି ପ୍ରକାଶ କରିଆସୁଛନ୍ତି । କୁଖ୍ୟାତ ଆତଙ୍କବାଦୀ ମୌଲାନା ମାସୁଦ୍ ଆଝାରକୁ ଅନ୍ତର୍ଜାତିକ ଆତଙ୍କବାଦୀ ରୂପେ ଘୋଷଣା କରିବା ପାଇଁ ମିଳିତ ଜାତିସଂଘର ସ୍ଥାୟୀ ସଦସ୍ୟ ଭାବେ ଫ୍ରାନ୍ସ, ଆମେରିକା, ୟୁକେ ଓ ଋଷ୍ ପର୍ଯ୍ୟନ୍ତ ସବୁ ରାଷ୍ଟ୍ର ଏକମତ ଥିବା ବେଳେ କେବଳ ଚୀନ୍ ଆଜି ପର୍ଯ୍ୟନ୍ତ ଏଥିରେ ପ୍ରତିବନ୍ଧକ ସାଜୁଛି । ପ୍ରଥମେ ପ୍ରଥମେ ପାକିସ୍ତାନ ପ୍ରତି ବିଶେଷ ସହାନୁଭୂତ ଦର୍ଶାଇଆସୁଥିବା ଚୀନ୍ କେବଳ ଏହି କାରଣରୁ ମାସୁଦ୍କୁ ଅନ୍ତର୍ଜାତୀୟସ୍ତରର ଆତଙ୍କବାଦୀ ଘୋଷଣା କରିବାକୁ ଚାହୁଁନଥିବା କୁହାଯାଉଥିଲା । ତେବେ ଏହା ପଛର ଅନ୍ୟତମ କାରଣ ଏବେ ସାମ୍ନାକୁ ଆସିଛି । ବାସ୍ତବରେ ଚୀନ, ପାକିସ୍ତାନ ପ୍ରତି ମୈତ୍ରୀଭାବ ପୋଷଣ କରି ଆଝାରକୁ ବଞ୍ଚାଉନାହିଁ ବରଂ ଆଝାରକୁ ନେଇ ସେ ଭୟଭୀତ ଥିବାରୁ ଏପରି କରୁଥିବା ଜଣାପଡିଛି । ଭାରତ ଭଳି ଚୀନ୍ରେ ମଧ୍ୟ ମାସୁଦ୍ ଆଝାର ଆତଙ୍କବାଦୀ ଆକ୍ରମଣ ଘଟାଇପାରେ ବୋଲି ଚୀନ୍ ଆଶଙ୍କା କରୁଛି । ତେଣୁ ମାସୁଦ୍କୁ ଖୁସି ରଖିବାକୁ ଯାଇ ଚୀନ୍ ଯଥାସମ୍ଭବ ନିଜ ସ୍ତରରେ ଉଦ୍ୟମ କରୁଛି । ଅନ୍ୟ ଏକ ପ୍ରସଙ୍ଗ ହେଉଛି, ଚୀନ୍ ଏବେ ପାକିସ୍ତାନ ଭିତରେ ଚୀନ୍-ପାକିସ୍ତାନ ଇକୋନୋମିକ୍ କରିଡର (ସିପିଇସି)ର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚଲାଇଛି ଏବଂ ଏ ବାବଦରେ ହଜାର ହଜାର ବିଲିୟନ ଡଲାର ପାଣି ପରି ଖର୍ଚ୍ଚ କରୁଛି । ଏହି କରିଡରର ପ୍ରମୁଖ ଭାଗ କାର୍ଯ୍ୟ ପାକ୍ ଅଧିକୃତ କଶ୍ମୀର (ପିଓକେ)ର ଗିଲ୍ଗିଟ୍-ବାଲିସ୍ତାନ ଏବଂ ଖାଇବର ପଖତୁନଖୱା, ବାଲାକୋଟ ମଧ୍ୟ ଦେଇ ଯାଇଛି । ଏହି ସବୁ ଅଞ୍ଚଳ ମଧ୍ୟରେ ମାସୁଦ୍ ଆଝାରର ଆତଙ୍କବାଦୀ ନେଟୱାର୍କ୍ ଓ ଟ୍ରେନିଂ କ୍ୟାମ୍ପ ଆସୁଥିବାରୁ ଚୀନ୍ ଏଥିପାଇଁ ମଧ୍ୟ ଭୟଭୀତ ରହିଛି । ଏପରିସ୍ଥିତିରେ ଚୀନ୍ ଯଦି ମୌଲାନା ମାସୁଦ୍ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ରୂପେ ଘୋଷଣା କରିବା ପାଇଁ ମିଳିତ ଜାତିସଂଘର ସ୍ଥାୟୀ ସଦସ୍ୟ ଭାବେ ନିଜର ସମର୍ଥନ ଦେଉଛି ତେବେ ମାସୁଦ୍ ଆଝାର ଓ ତା’ର ସଂଗଠନ ଜେଇଏମ୍ ନିର୍ମାଣଧୀନ ଥିବା ଚୀନ୍-ପାକିସ୍ତାନ ଇକନମିକ୍ କରିଡରକୁ ଭାଙ୍ଗିବା ସହ ସେଠାରେ କାର୍ଯ୍ୟରତ ଥିବା ନିଜର ହଜାର ହଜାର ନାଗରିକଙ୍କୁ ମଧ୍ୟ ହତ୍ୟା କରିବ ବୋଲି ଚୀନ୍ ଆଶଙ୍କା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ