ଚୀନ୍‌କୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ

ବେଜିଂ: ମହାମାରୀ କୋରୋନା ସଂକ୍ରମଣ ପରେ ପ୍ରଥମ ଥର ପାଇଁ ଚୀନରେ କୌଣସି ଅନ୍ତର୍ଜାତୀୟ ବିମାନ ଅବତରଣ କରିଛି। ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇବା ପରେ ଲକଡାଉନ୍ କଟକଣା କୋହଳ ହେବା ପରେ ଦେଶରେ ଅନ୍ତର୍ଜାତୀୟ ବିମାନ ପ୍ରବେଶ କରିଛି ବୋଲି ସାଉଥ୍ ଚୀନ୍ ମର୍ଣ୍ଣିଂ ପୋଷ୍ଟ୍ ତା’ର ରିପୋର୍ଟରେ ପ୍ରକାଶ କରିଛି। ୟୁରୋପର ପ୍ରମୁଖ ଜର୍ମାନ୍ ବିମାନ ଚଳାଚଳ କମ୍ପାନୀ ଲୁଫଥାନ୍ସା ସପ୍ତାହକୁ ଥରେ ଫ୍ରାଙ୍କଫର୍ଟରୁ ଶାଙ୍ଘାଇ ମଧ୍ୟରେ ଚଳାଚଳ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ଲୁଫଥାନ୍ସାର ଗ୍ରେଟର୍ ଚୀନ୍ ଦାୟିତ୍ବରେ ଥିବା ହେଡ୍ ଅଫ୍ ସେଲ୍ସ ଭେଲି ପୋଲାତ୍ କହିଛନ୍ତି ଯେ ଶାଙ୍ଘାଇ ଓ ଫ୍ରାଙ୍କଫର୍ଟ ମଧ୍ୟରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରେ ଆଗାମୀ ଦିନରେ ସ୍ଥିତି ସ୍ବାଭାବିକ ନେଇ ଯଥେଷ୍ଟ ଆଶା ସୃଷ୍ଟି ହୋଇଛି। ଆଗାମୀ ଦିନରେ ଚୀନରୁ ଜର୍ମାନୀ, ଅଷ୍ଟ୍ରିଆ, ସ୍ବିଜରଲାଣ୍ଡକୁ ଲୁଫଥାନ୍ସା ବିମାନ ଚଳାଚଳ କରିବା ନେଇ ସେ ଆଶାବାଦୀ ଅଛନ୍ତି। ଆସନ୍ତା ଜୁଲାଇ ୮ ତାରିଖଠାରୁ ୟୁନାଇଟେଡ୍ ଏୟାରଲାଇନ୍ସ ମଧ୍ୟ ଚୀନର ଶାଙ୍ଘାଇ ସହରରେ ଅବତରଣ କରିବ। ଏହା ସାନ୍ ଫ୍ରାନସିସ୍କୋରୁ ସିଓଲ୍ ଦେଇ ଶାଙ୍ଘାଇରେ ପହଞ୍ଚିବ ବୋଲି କମ୍ପାନୀ ପକ୍ଷରୁ ଜାରି ଏକ ପ୍ରେସ୍ ବିବ୍‌ତିରେ କୁହାଯାଇଛି। ଏହାଛଡ଼ା ଅନ୍ୟତମ ଆମେରିକୀୟ ବିମାନ ଚଳାଚଳ କମ୍ପାନୀ ଡେଲଟା ଏୟାରଲାଇନ୍ସ ଚଳିତ ସପ୍ତାହରେ ଶାଙ୍ଘାଇକୁ ସପ୍ତାହରେ ଦୁଇ ଥର ବିମାନ ସେବା ଆରମ୍ଭ କରିସାରିଛି। ଉଭୟ ଆମେରିକା ଓ ଚୀନ୍ ମଧ୍ୟରେ କୋରୋନା ଭୂତାଣୁ କାରଣରୁ ତିକ୍ତତା ବଢ଼ିଥିଲେ ହେଁ ଉଭୟ ଦେଶ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବା କ୍ଷେତ୍ରରେ ସକାରାତ୍ମକ ପଦକ୍ଷେପ ନେଇଥିବାରୁ ଏପରି ସେବା ଆରମ୍ଭ ହୋଇପାରିଛି। ସୂଚନା ଥାଉ କି ଗତବର୍ଷ ଡିସେମ୍ବର ମଧ୍ୟଭାଗରେ ଚୀନର ହ୍ୟୁବେଇ ପ୍ରଦେଶର ଉହାନ୍ ସହରରେ ସର୍ବପ୍ରଥମେ ଘାତକ କୋରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲା। ଏହି ଭୂତାଣୁ କ୍ରମଶଃ ତା’ର କାୟା ବଢ଼ାଇଚାଲିବା ଫଳରେ ଚୀନକୁ ଯାତାୟାତ କରୁଥିବା ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଯାଇଥିଲା। ଚଳିତ ସପ୍ତାହରେ ଚୀନକୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ