ଚୀନ୍ ବିରୁଦ୍ଧରେ ପ୍ରମୁଖ ରାଷ୍ଟ୍ରଙ୍କ ମେଳି
କୋଭିଡ୍-୧୯ ପାଇଁ ଆଜି ସାରା ବିଶ୍ବ ଚିନ୍ତାରେ। ପ୍ରତିଦିନ ଗଡ଼ିଚାଲିଛି ଶହ ଶହ ମଣିଷ ମୁଣ୍ଡ। ଏଥିପାଇଁ ଚୀନକୁ ଦାୟୀ କରାଯାଇ ବିଶ୍ବର ପ୍ରମୁଖ ରାଷ୍ଟ୍ରଗୁଡ଼ିକ ମେଳି ହେବା ଆରମ୍ଭ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା କୋରୋନା ଭୂତାଣୁ ଚୀନର ଉହାନ ପ୍ରୋଭିନ୍ସରୁ ସୃଷ୍ଟି ବୋଲି ଅଭିଯୋଗ କରି ଏହାର ପ୍ରମାଣ ପାଇଁ ବ୍ୟାପକ ତଦନ୍ତ ଆରମ୍ଭ କରିଛି। ଚୀନ ଉପରେ ଯେ କୌଣସି ପ୍ରକାରେ ପ୍ରତିଶୋଧ ନେବା ପାଇଁ ପୂରା ଦମରେ ଆମେରିକା ଲାଗି ପଡ଼ିଥିଲା ବେଳେ ବିଶ୍ବର ଅନ୍ୟ ପ୍ରମୁଖ ରାଷ୍ଟ୍ରଗୁଡ଼ିକ ମଧ୍ୟ ଚୀନକୁ ଦାୟୀ କରି ପ୍ରତିଶୋଧ ନେବା ପାଇଁ ମେଳି ଆରମ୍ଭ କରି ଦେଇଛନ୍ତି। ତେଣୁ ଏହା ଆଗକୁ ବିଶ୍ବ ଶାନ୍ତିକୁ ପ୍ରଭାବିତ କରିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। କୋରୋନା ପାଇଁ କ୍ଷତି ସହିଥିବା ବ୍ରିଟେନ ଓ ଜର୍ମାନୀ ମଧ୍ୟ ଚୀନ ବିରୋଧରେ ବିଭିନ୍ନ ପ୍ରକାର କଟକଣା ପାଇଁ ଆଗ୍ରହ ଦେଖାଇଛନ୍ତି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଚୀନକୁ କୋରୋନା ଭୂତାଣୁ ପାଇଁ ଦାୟୀ କରିବା ସହ ଏଥିପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ମାତ୍ର ଚୀନ ସରକାର ବିଶ୍ବର ପ୍ରମୁଖ ରାଷ୍ଟ୍ରମାନଙ୍କ ଆଭିମୁଖ୍ୟକୁ ଆଦୌ ଗୁରୁତ୍ବ ଦେଉ ନଥିବା ସୂଚନା ମିଳିଛି। କୋରୋନା ପାଇଁ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତି ପୁଣି ଥରେ କିପରି ଭାବେ ଠିକ୍ ବାଟକୁ ଆସିପାରିବ, ତାହାକୁ ଗୁରୁତ୍ବ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ଚୀନ। ଏଥିସହ କୋରୋନା ପରବର୍ତ୍ତୀ ଅବସ୍ଥାରେ ଆମେରିକା ସ୍ଥାନରେ କିପରି ବିଶ୍ବ ନେତୃତ୍ବ ନିଜ ହାତକୁ ଆସି ପାରିବ, ଏଥିପାଇଁ ମଧ୍ୟ ସତର୍କତାର ଗୋଟି ଚାଳନା ଆରମ୍ଭ କରିଛି। ଯେଉଁସବୁ ରାଷ୍ଟ୍ର କୋରୋନା ମୁକାବିଲା କରିବା ପାଇଁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ରହିଛନ୍ତି, ସେସବୁ ରାଷ୍ଟ୍ରକୁ ସାହାଯ୍ୟ ପଠାଇ ଚୀନ ସେମାନଙ୍କ ନିକଟତର ହେବାକୁ ମଧ୍ୟ ଉଦ୍ୟମ ଜାରି ରଖିଛି।


