ଚୀନ୍ ବିରୋଧରେ ୧୮ ସୂତ୍ରୀ ଯୋଜନା କଲା ଆମେରିକା
ନୂଆଦିଲ୍ଲୀ: ଦିନକୁ ଦିନ ଆମେରିକା ଏବଂ ଚୀନ ମଧ୍ୟରେ ସମ୍ପର୍କ ତିକ୍ତତାର ଚରମ ସୀମା ଆଡ଼କୁ ଗତି କରିବାରେ ଲାଗିଛି । ଏହାର ମୁଖ୍ୟ କାରଣ ହେଉଛି ମହାମାରୀ କରୋନା ଭାଇରସ । ଚାଇନାକୁ ମାତ ଦେବାକୁ ଆମେରିକା ୧୮ ସୂତ୍ରୀ ଯୋଜନା ପ୍ରସ୍ତୁତ କରୁଛି । ଏହି ଯୋଜନା ଦ୍ୱାରା ଆମେରିକା ଚାଇନାକୁ ଯଥା ସମ୍ଭବ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି । ଅନ୍ୟପକ୍ଷରେ ଆମେରିକାର ପ୍ରସ୍ତୁତ କରୁଥିବା ଚାଇନା ବିରୋଧୀ ଯୋଜନା ଦ୍ୱାରା ଭାରତକୁ ସିଧା ଫାଇଦା ମିଳିବ ବୋଲି ଆଶା କରାଯାଉଛି । ଆମେରିକାର ଜଣେ ସାଂସଦ ପ୍ରସ୍ତୁତ କରିଥିବା ଏହି ୧୮ ସୂତ୍ରୀ ଯୋଜନା ଦ୍ୱାରା ଚାଇନା କରୋନା ବିରୋଧରେ ପ୍ରଚାର କରୁଥିବା ମିଛର ପର୍ଦ୍ଦାଫାସ ହୋଇପାରିବ ବୋଲି ଆମେରିକା ଆଶା ରଖିଛି । ଏଥିସହ ଚାଇନା ଉପରେ କଠୋର ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଏକ ବିଲ ଆମେରିକାରେ ପାସ ହେବ ବୋଲି ଜଣାପଡ଼ିଛି । ଆମେରିକାର କ’ଣ ସବୁ ଯୋଜନା କରିଛି, ତା’ର କିଛି ସୂଚନା ସାମ୍ନାକୁ ଆସିଛି ।
ଆମେରିକା ଆଗକୁ ତା’ର ପଡ଼ୋଶୀ ତଥା ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହ ସାମରିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ । ଭାରତ, ତାଇୱାନ ଏବଂ ଭିଏତନାମ ସହିତ ସାମରିକ କାରବାରକୁ ଅଧିକ ତ୍ୱରାନ୍ୱିତ କରି ଚୀନକୁ ମାତ ଦେବାକୁ ଆମେରିକା ଲକ୍ଷ୍ୟ ରଖିଛି । ଚୀନରେ କାର୍ଯ୍ୟ କରୁଥିବା ଆମେରିକାର ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ପ୍ରତ୍ୟାହାର କରିନିଆଯିବ ଓ ବିଭିନ୍ନ ସାମଗ୍ରୀ ପାଇଁ ଚାଇନା ଉପରେ କରାଯାଉଥିବା ନିର୍ଭରକୁ ହ୍ରାସ କରାଯିବ । ସାମରିକ ଶକ୍ତି ବୃଦ୍ଧି କରିବାକୁ ତୁରନ୍ତ ୨୦ ବିଲିୟନ ଆମେରିକୀୟ ଡଲାରର ସହାୟତା ଦିଆଯିବ । ଆମେରିକାର ଟେକ୍ନୋଲୋଜି ଯେମିତି ଚୀନ ଚୋରି କରିପାରିବ ନାହିଁ, ସେଥିପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯିବ । କରୋନା ଭାଇରସ କଥା ବିଶ୍ୱକୁ ଲୁଚାଇ ମିଛ କହୁଥିବା ଚୀନ ଉପରେ ପ୍ରତିବନ୍ଧକ ଲଗାଯିବ । ଚାଇନା ନିଜ ଦେଶରେ ଚଳାଇଥିବା ମାନବାଧିକାର ଉଲ୍ଲଙ୍ଘନ କାର୍ଯ୍ୟକୁ ସାରା ବିଶ୍ୱରେ ପର୍ଦ୍ଦାଫାସ କରାଯିବ । ବିଭିନ୍ନ ମହାମାରୀ ରୋଗର ନିୟନ୍ତ୍ରଣ କରିବା ପାଇଁ ଏକ ସଂଗଠନ କରାଯିବ ଓ ଏହି ସଂଗଠନ ସାରା ବିଶ୍ୱର ବିଭିନ୍ନ ରାଷ୍ଟ୍ର ଉପରେ ନଜର ରଖିବ । ଏହିଭଳି ଆଉ କେତେକ କଡ଼ା ଆଭିମୁଖ୍ୟ ପୋଷଣ କରିଛି ଆମେରିକା ।


