ଚୂଡାନ୍ତ ପ୍ରାର୍ଥୀ ତାଲିକା ପାଇଁ ତିନିଦଳର କସରତ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ସବୁ ଆଶା ଆକାଂକ୍ଷା ପରେ କୋଭିଡ ଗାଇଡ଼ ଲାଇନ ଭିତରେ ପଂଚାୟତ ନିର୍ବାଚନ ଶେଷ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସାରା ଓଡ଼ିଶାରେ ୫ଗୋଟି ପର୍ଯ୍ୟାୟରେ ଭୋଟ ହେବ ବୋଲି ତାରିଖ ଘୋଷଣା ହୋଇସାରିଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର୨୩ଗୋଟି ପଂଚାୟତ ପାଇଁ ଫେବୃଆରୀ ମାସ ୧୮ତାରିଖ ଦିନ ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିବାବେଳେ ଆସନ୍ତା ସୋମବାର ଠାରୁ ପ୍ରାର୍ଥୀପତ୍ର ଦାଖଲ ହେବା ପାଇଁ ଯାଉଛି। ଏହାରି ଭିତରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ ଫୁଲ ଦମରେ ଲାଗିପଡିଛନ୍ତି। ତିନିଗୋଟି ଦଳ କିଛି ପଞ୍ଚାୟତର ପ୍ରାର୍ଥୀ ଘୋଷଣା କରିସାରିଥିଲେ ସୁଦ୍ଧା ଆହୁରି ଅନେକ ପଞ୍ଚାୟତ ଏବେ ଅନିଶ୍ଚିତତା ଭିତରେ ରହିଛି। ଯେଉଁ ପଞ୍ଚାୟତରେ ଆଶାୟୀଙ୍କ ସଂଖ୍ୟା ଅଧିକ ଉକ୍ତ ପଂଚାୟତର ପ୍ରାର୍ଥୀ ଘୋଷଣା ପାଇଁ ନେତୃତ୍ୱ ମାନେ ସମୟ ଗଡ଼ାଇଚାଲିଛନ୍ତି। ଆହୁରି ମଧ୍ୟ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ପାଇଁ ବିଦ୍ରୋହୀ ପ୍ରାର୍ଥୀଙ୍କ ଆବିର୍ଭାବ ମୁଣ୍ଡ ବ୍ୟଥାର କାରଣ ହେଉଥିବାରୁ ସମସ୍ତ ଦଳୀୟ ନେତୃତ୍ୱ ପ୍ରାର୍ଥୀ ଘୋଷଣା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରୁଥିବା ଜଣାଯାଇଛି। ସେ ଯାହାବି ହେଉ ଆସନ୍ତା ୪୮ଘଣ୍ଟା ପରେ ପ୍ରାର୍ଥୀପତ୍ର ଦାଖଲ ହେବାକୁ ଯାଉଥିବା ବେଳେ ବାଦବିବାଦ ସତ୍ତ୍ୱେ ଦଳୀୟ ନେତୃତ୍ୱ ମାନେ ପ୍ରାର୍ଥୀ ଘୋଷଣା କରିବେ ଏଥିରେ ସନ୍ଦେହ ନାହିଁ।


