ଚେନ୍ ଲୁଟେରା ଅଟକ
ବେଗୁନିଆ (ଯୁଗାବ୍ଦ ନ୍ୟୁଜ୍): ବେଗୁନିଆ ବ୍ଲକ ବାଘମାରୀ ଥାନା ଅନ୍ତର୍ଗତ ସିମୋର ବାଘମାରୀ ରାସ୍ତା ମଝିରେ ଜଣେ ମହିଳାଙ୍କ ବେକରୁ ଚେନ୍ ଛିଣ୍ଡାଇବାକୁ ଉଦ୍ୟମ କରୁଥିଲା ଜଣେ ଲୁଟେରା । କିନ୍ତୁ ମହିଳାଙ୍କ ମୁଥମାଡ଼ରେ ତଳେ ପଡ଼ିଯିବାରୁ ସ୍ଥାନୀୟ ଲୋକମାନେ ତାକୁ କାବୁକରି ପୁଲିସ ଜିମା ଦେଇଛନ୍ତି । ପୁଲିସ ତାକୁ ଅଟକ ରଖି ପଚରା ଉଚରା କରୁଛି । କଳାପଥର ମହାବିଦ୍ୟାଳୟ ଅଧ୍ୟକ୍ଷା ବିନୋଦିନୀ ମହାପାତ୍ର ସ୍ୱାମୀ ମହେଶ୍ୱର ସାହୁଙ୍କ ସହ ବାଇକରେ ଜଟଣୀରୁ କଳାପଥର ଯାଉଥିବା ବେଳେ ବାଘମାରୀ ସିମୋର ରାସ୍ତା ମଝିରେ ନିରାକାରପୁର ଥାନା ଅନ୍ତର୍ଗତ ଖଜୁରୀପଡ଼ା ଗ୍ରାମର ତସଲିନ ଅଲିସାହା (୩୫) ଏକ ନମ୍ବର ବିହୀନ ଆପାଚିରେ ପଛପଟୁ ଆସି ମହିଳାଙ୍କ ବେକରୁ ଚେନ୍ଟି ଛିଣ୍ଡାଇ ନେବାବେଳେ ମହିଳାଙ୍କ ମୁଥ ମାଡ଼ରେ ଲୁଟେରା ସହିତ ଶ୍ରୀମତୀ ମହାପାତ୍ର ଏବଂ ତାଙ୍କ ସ୍ୱାମୀ ମଧ୍ୟ ତଳେ ପଡ଼ିଯାଇଥିଲେ । ପରେ ମହିଳା ଜଣକ ପାଟି କରି ଲୋକଙ୍କୁ ଡାକିବା ସହିତ ଲୁଟେରାର ଗାଡ଼ି ଚାବିକୁ ଆଣି ପାଖରେ ରଖିଥିଲେ । ଗୋବିନ୍ଦପୁର ଗ୍ରାମର ଅମରେନ୍ଦ୍ର ଛାଟୋଈ ଲୁଟେରାକୁ ମାଡ଼ି ବସିଥିବାବେଳେ ଲୁଟେରା ତାଙ୍କର ହାତକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେବା ଦ୍ୱାରା ଡାହାଣ ହାତ ପାପୁଲିରେ ଆଘାତ ଲାଗିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ଆଣିଥିବା ବେଳେ ତାଠାରୁ ଚେନ୍ଟିକୁ ଉଦ୍ଧାର କରିଛି । କିନ୍ତୁ ଚେନ୍ରୁ ଖଣ୍ଡେ ଛିଣ୍ଡିଯାଇଥିବା ବେଳେ ଚେନ୍ର ଲକେଟଟି ମିଳୁନାହିଁ । ଥାନାଧିକାରୀ ପ୍ରଣୀତା ପଟ୍ଟନାୟକ ଏକ ମୋକଦ୍ଦମା ରୁଜୁକରି ଥାନାରେ ଲୁଟେରାକୁ ଅଟକରଖି ପଚରା ଉଚରା କରୁଛନ୍ତି । ଆସନ୍ତାକାଲିି ଲୁଟେରାକୁ କୋର୍ଟଚାଲାଣ କରାଯିବ ।