ଚୈତ୍ର ପ୍ରଥମ ପାଳି ମଙ୍ଗଳବାର ଆସିକାର ଅଧୀଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠ ଲୋକାରଣ୍ୟ
ଆସିକା, (ୱାଇଏନ୍ଏସ୍):ଦକ୍ଷିଣ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ରୂପେ ପରିଚିତା ଥିବା ଆସିକାର ଅଧୀଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ଆଜି ଚୈତ୍ର ପ୍ରଥମ ପାଳି ମଙ୍ଗଳବାରରେ ଭକ୍ତଙ୍କ ଭିଡ ଲାଗି ରହିଥିଲା । ପ୍ରତ୍ୟୁଷରୁ ପୂଜକମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ ଖମ୍ବେଶ୍ୱରୀଙ୍କ ମାର୍ଜଣା, ବେଶଶୃଙ୍ଗାର, ଅଙ୍ଗଳ ଆଳତୀ, ବାଳଭୋଗ ଓ ପୂଜାର୍ଚ୍ଚନା ପରେ ଦର୍ଶନ ପାଇଁ ଦ୍ୱାର ଖୋଲାଯାଇଥିଲା । ଦୂରଦୂରାନ୍ତରୁ ଆସିଥିବା ଶହ ଶହ ମାନସିକଧାରୀ ଶ୍ରଦ୍ଧାଳୁମାନେ ନିଜ ସନ୍ତାନ ସନ୍ତତିଙ୍କ ମୁଣ୍ଡନ କରାଇବା ସହ ପରିବାରର ମଙ୍ଗଳ କାମନା ପାଇଁ ମାଙ୍କୁ ପୂଜାର୍ଚ୍ଚନା କରିଥିଲେ । ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ଆସିକାର ଅଧିଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ବେଳେ କେତେକ ମାନସିକଧାରୀ ବିଭିନ୍ନ ସ୍ଥାନରେ ଭୋଜିଭାତର ଆୟୋଜନ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଦିନତମାମ ମନ୍ଦିର ପରିବେଶ ଗହଳି ଚହଳି ଲାଗି ରହିଥିଲା ବେଳେ ରାତ୍ରରେ ମା’ଙ୍କ ବିଜେ ପ୍ରତିମାକୁ ସିହଂବାହିନୀ ପାଲିଙ୍କିରେ ଅଧିଷ୍ଠିତ କରାଯାଇ ବିରାଟ ପଟୁଆରରେ ଖମ୍ବେଶ୍ୱରୀପାଟଣା, ବିନାୟକ ବଜାର, ଲକ୍ଷ୍ମୀବଜାର, କଳିଙ୍ଗରୋଡ, ହରିହର ନଗର, କୁମ୍ଭାରସାହି ଇତ୍ୟାଦି ଅଞ୍ଚଳକୁ ନଗର ପରିକ୍ରମା କରିବା ପରେ ପୁଣି ଗମ୍ଭୀରାକୁ ବିଜେ କରିଥିଲେ । ଚୈତ୍ର ପ୍ରଥମପାଳି ମଙ୍ଗଳବାରରେ ମା’ଙ୍କ ଆଶିଷ ପାଇଁ ଆସୁଥିବା ଭକ୍ତମାନଙ୍କ ଯେପରି କୌଣସି ଅସୁବିଧା ନହୁଏ ତାହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ସଂପାଦକ ସଚ୍ଚିଦାନନ୍ଦ ଖଟେଇ, ଯାତ୍ରା କମିଟି ସଭାପତି ନିମାଇଁ ଚରଣ ପାଣିଗ୍ରାହୀ, ମନ୍ଦିର ପୂଜକ ସନ୍ୟାସୀ ମୁନି, ସତ୍ୟ ନାରାୟଣ ମୁନି, ଶ୍ରୀକାନ୍ତ ମୁନି, ଗଣପତି ମୁନି, ମାଧବ ମୁନି, ସିମାଂଚଳ ମୁନି, ନରସିଂହ ମୁନି, ସଂଜୟ ମୁନି, ସନ୍ତୋଷ ମୁନି, ପ୍ରମୋଦ କୁମାର ମୁନି, ନୀଳମାଧବ ମୁନି, ଅରବିନ୍ଦ ମୁନି, ବସନ୍ତ ମୁନି, ମୁନା ମୁନି, ଅଜିତ୍ କୁମାର ମୁନି, ପ୍ରଶାନ୍ତ କୁମାର ମୁନିଙ୍କ ସମେତ ସମସ୍ତ ପୂଜକ, ବିଭିନ୍ନ ସଂଗଠନର ସଦସ୍ୟମାନେ ବହୁବିଧ ପଦକ୍ଷେପମାନ ଗ୍ରହଣ କରିଥିଲା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ରୂପେ ପରିଚିତ ଥିବା ମା’ ଖମ୍ବେଶ୍ୱରୀଙ୍କ ପୀଠରେ ଚୈତ୍ର ପ୍ରଥମ ପାଳି ମଙ୍ଗଳବାର ଅବସରରେ ଶ୍ରଦ୍ଧାଳୁ ଭକ୍ତଙ୍କ ସୁବିଧା ଲାଗି ମନ୍ଦିର ସମ୍ମୁଖସ୍ଥ ରାସ୍ତାରେ ବ୍ୟାରିକେଟ୍ ନିର୍ମାଣ କରାଯାଇଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ବ୍ୟାରିକେଟ୍ ମଧ୍ୟରେ ଧାଡିରେ ଯାଇ ମନ୍ଦିରକୁ ପ୍ରବେଶ କରି ମା’ ଖମ୍ବେଶ୍ୱରୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଓଡିଶାର ସାଂସ୍କୃତିକ ଏନ୍ତୁଡିଶାଳ ରୂପେ ପରିଚିତ ଥିବା ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଆଧ୍ୟାତ୍ମିକ ଚେତନାକୁ ନେଇ ବାର ମାସରେ ତେର ପର୍ବ ପାଳିତ ହୋଇଆସୁଛି । ଭାରତବର୍ଷରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ । ଆସିକା ସହରର ଖମ୍ବେଶ୍ୱରୀ ପାଟଣାରେ ପୂଣ୍ୟତୋୟା ଋଷିକୁଲ୍ୟା ନଦୀତଟରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ମା’ ଖମ୍ବେଶ୍ୱରୀଙ୍କ ପୀଠ ଅନ୍ୟତମ । ମା’ ଖମ୍ବେଶ୍ୱରୀଙ୍କ ଅନେକ ମହିମା ରହିଛି । ଏହି ପୀଠରେ ଭକ୍ତ ଯଦି ନିଜ ହୃଦୟରେ ମା’ଙ୍କୁ ଡାକିଥାଏ ଓ ମନ୍ଦିର ପରିସରରେ ଦୀପଟିଏ ଜଳାଇଥାଏ ତାହାହେଲେ ମା’ ଖମ୍ବେଶ୍ୱରୀ ନିଶ୍ଚିତ ଭାବେ ଭକ୍ତର ମନକଥା ଶୁଣିଥାନ୍ତି ବୋଲି ବିଶ୍ୱାସ ରହିଛି । ଜଗତ୍ଜନନୀ, ଶକ୍ତିପ୍ରଦାୟିନୀ, ମାତୃଶକ୍ତି, କରୁଣାମୟୀ, ଆଦିଶକ୍ତି ମା’ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ଇତିହାସ ଅତି ପ୍ରାଚୀନ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାନଙ୍କ ମଧ୍ୟରେ ଆସିକାର ଅଧିଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଏକ ଅନ୍ୟତମ ଆକର୍ଷଣ । ବର୍ଷତମାମ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁ ଭକ୍ତମାନେ ମା’ ଖମ୍ବେଶ୍ୱରୀଙ୍କ ଦର୍ଶନ ଓ ଆଶିଷ ଲାଭ କରିବା ନିମନ୍ତେ ଆସିଥାନ୍ତି । ଚୈତ୍ର ମାସ ମଙ୍ଗଳବାରରେ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ଶ୍ରଦ୍ଧାଳୁ ଭକ୍ତ ନିଜର ମାନସିକ ପୂରଣ ପାଇଁ ଆସିକାର ମା’ ଖମ୍ବେଶ୍ୱରୀଙ୍କ ପୀଠକୁ ଆସିଥାନ୍ତି । ଦକ୍ଷିଣ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ରୂପେ ପରିଚିତ ଥିବା ଆସିକାର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା’ ଖମ୍ବେଶ୍ୱରୀ ପ୍ରସନ୍ନ ହେଲେ ପ୍ରତ୍ୟେକ କାର୍ଯ୍ୟ ସିଦ୍ଧ ହୁଏ ବୋଲି ବିଶ୍ୱାସ ରହିଛି । ଏଣୁ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମା’ ଖମ୍ବେଶ୍ୱରୀଙ୍କ କରୁଣା ଲାଭ କରିବା ଉଦ୍ଦେଶ୍ୟରେ ଏହି ପୀଠକୁ ଆସିଥାନ୍ତି ।


