ଚୈତ୍ର ଶୁକ୍ଲ ଦଶମୀ ବାସନ୍ତୀ ଦୁର୍ଗୋତ୍ସବ
ଦୁର୍ଗତି ନାଶ କରନ୍ତି ବୋଲି ମା’ ଆଦ୍ୟାଶକ୍ତିଙ୍କୁ ଦୁର୍ଗା କୁହାଯାଏ । ଏ ଦୁର୍ଗତି ଦଶ ପ୍ରକାର : ଦଶପାପ ବା ଦଶଦୋଷ ଯଥାଚୋରୀ, ହିଂସା, ପରଦାରା ସମ୍ଭୋଗ, ନିଷ୍ଠୁର ବାକ୍ୟ ପ୍ରୟୋଗ, ଅସତ୍ୟ କଥନ, କପଟାଚରଣ, ଅସମ୍ବନ୍ଧୀ ପ୍ରଳାପ, ପରର ଅନିଷ୍ଠ ଚିନ୍ତା ଏବଂ ମିଥ୍ୟା ବା ମନ୍ଦ ଅଭିପ୍ରାୟ, ବିଷୟକ ଚିନ୍ତା । ମା’ ଏସବୁ ହରନ୍ତି ବୋଲି ତାଙ୍କୁ ଦଶହୋରା ବା ଦଶହରା କୁହନ୍ତି : ଦଶବିଘ୍ନ ହୃଦାଦେବୀ ଦୁର୍ଗା ଦୁର୍ଗତିନାଶିନୀ ।
‘ଦଶହରା’ ପୂଜା ଉତ୍ସବ ତ୍ରିବିଧ । ଶାରଦୀୟ ଏବଂ ବାସନ୍ତୀ ଉତ୍ସବ କେବଳ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ହେଲାବେଳେ, ଗଙ୍ଗା ଦଶହରା ବା ଗଙ୍ଗା ଜୟନ୍ତୀ କେବଳ ଗଙ୍ଗାମାତାଙ୍କ ଉଦ୍ଦେଶ୍ୟରେ ଜ୍ୟେଷ୍ଠ ମାସରେ ପାଳିତ ହୁଏ । ଆଶ୍ୱିନ ମାସରେ ଶାରଦୀୟ ଓ ଚୈତ୍ର ମାସରେ ବାସନ୍ତୀ ଦୁର୍ଗୋତ୍ସବ ପାଳିତ ହୁଏ । ତିନୋଟିଯାକ ଦଶହରା ଶୁକ୍ଲପକ୍ଷ ଦଶମୀରେ ଅନୁଷ୍ଠିତ ହୁଏ । ଗଙ୍ଗାମାତା ମଧ୍ୟ ଦୁର୍ଗାଙ୍କ ପରି ଦଶ ପାପହାରିଣୀ ।
ପୁରାଣମତେ ରାମଚନ୍ଦ୍ର ରାବଣ ନିଧନ ନିମନ୍ତେ ଲଙ୍କାରେ ଆଶ୍ୱିନ ଶୁକ୍ଲ ଦଶମୀ ଦିନ ଦୁର୍ଗାଙ୍କ ଆରଧନା ପୂର୍ବକ ଯୁଦ୍ଧ କରିଥିଲେ ଏବଂ ରାବଣକୁ ନିଧନ କରିଥିଲେ ବୋଲି ଏହି ପର୍ବକୁ ଦଶହରା ବା ବିଜୟ କରିଥିବାରୁ ବିଜୟା ଦଶମୀ ରୂପେ ପାଳିତ ହୁଏ: ରାବଣ ମସ୍ତକାନି ହରତି ଯା ସା ଦଶହରା ।
ଏହ ଦିନ ଦୁର୍ଗାମାତା ଦେବତାମାନଙ୍କର ଅନୁରୋଧ କ୍ରମେ ମହିଷାସୁରକୁ ବଧକରି ସୃଷ୍ଟିରେ ଶାନ୍ତି ପ୍ରତିଷ୍ଠା କରିଥିବାରୁ ଏହାକୁ ଦଶହରା ମଧ୍ୟ କୁହନ୍ତି । ଏପରି ଅନେକ କାରଣ ଅଛି । ଦୁର୍ଗୋତ୍ସବର ନାନାବିଧ କାରଣକୁ ଦୁଇଭାଗରେ ବିଭକ୍ତ କରାଯାଏ । ପ୍ରଥମଟି ବୈଦିକ କାରଣ ଯାହାକି ଆଦ୍ୟାଶକ୍ତି ରୂପେ ବୈଦିକ ଯୁଗରୁ ମା’ଙ୍କ ପୂଜା କରାଯାଇ ଆସୁଅଛି । ଜଗତ ସୃଷ୍ଟିର ମୂଳକାରଣ ଶକ୍ତି : ପ୍ରକୃତି : ପ୍ରପଞ୍ଚ : ଜୀବ ଏବଂ ଜଡ଼ । ଶକ୍ତିର ବିନାଶ ନାହିଁ, ହ୍ରାସ ନାହିଁ କି ବୃଦ୍ଧି ନାହିଁ, କିନ୍ତୁ ରୂପାନ୍ତର ଅଛି । ଏ ଜଗତ ଶକ୍ତିର ରୂପାନ୍ତରମାତ୍ର । ଶକ୍ତିରୁ ସୃଷ୍ଟି, ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତଥା ଦେବ, ଦାନବ ଏବଂ ମାନବ ଇତ୍ୟାଦି ଜୀବ ଅଥବା ସୂର୍ଯ୍ୟ, ଚନ୍ଦ୍ର, ବାୟୂ, ପାଣି ବା ମାଟି ଇତ୍ୟାଦି ଜଡ଼ ପରବର୍ତ୍ତୀ ସୃଷ୍ଟି । ଶକ୍ତି ଆଗ । ପ୍ରଳୟ ପ୍ରୟୋଧି ଜଳେ ସବୁର ବିନାଶ ହେଲେ ହେ, ଅବିନାଶୀ ଶକ୍ତି ପରବର୍ତ୍ତୀ ସୃଷ୍ଟି ଅପେକ୍ଷା କରିଥାଏ ।
ଶିବ ସହିତ ଶକ୍ତି ଯୁକ୍ତ ହେଲେ ସୃଷ୍ଟି ବା ଜୀବନ । ଶିବ ଶକ୍ତି ରହିତ ହେଲେ ଶବ ବା ଜଡ଼ । ଶକ୍ତି ରହିତ ଶିବ ଅଶିବ ଅର୍ଥାତ୍ ସୁନ୍ଦର ବା ମଙ୍ଗଳ ନୁହଁନ୍ତି ।
ଦ୍ୱିତୀୟ ତତ୍ତ୍ୱଟି ପୁରାଣକୁ ଆଧାରକରି ଯେମିତି ରାବଣବଧ, ମହିଷାସୁର ବଧ.. ଇତ୍ୟାଦି । ଏମାନେ ବୈଦିକ ନୁହଁନ୍ତି । ରାମଚନ୍ଦ୍ର ପ୍ରଥମତଃ ଜଣେ ମାନବ । ଏଣୁ ସମସ୍ତ ମାନବୋଚିତ କର୍ମ ବା ଧର୍ମ କରିବା ଅନ୍ତର୍ଗତ ସିଏ । ଏଥିପାଇଁ ଚୈତ୍ର ଶୁକ୍ଲ ଦଶମୀ ଦିନ ଲଙ୍କା ଯାତ୍ରା ପୂର୍ବରୁ ବୈଦିକରୀତିରେ ଦୁର୍ଗା ଉପାସନା କରିଥିଲେ ଏବଂ ଲଙ୍କାଜୟ କରି ସୀତା ଉଦ୍ଧାର କରିଥିଲେ । ବାସନ୍ତୀଦୁର୍ଗାପୂଜା ବୈଦିକ ଏବଂ ବହୁ ପୁରାତନ । ଏହାହିଁ ଆଦ୍ୟଶକ୍ତିର ବାସ୍ତବ ପୂଜାଦିବସ ।
‘ଦୁର୍ଗା, ମଧ୍ୟ ସମର ବା ସାମରିକ ଦେବୀ ରୂପେ ପୂଜିତା । ଭାରତୀୟ ପରମ୍ପରା ସମରାଭ୍ୟାସ ବା ସମର ଗମନ ପୂର୍ବରୁ ତାଙ୍କୁ ପୂଜନ କରାଯାଇଆସୁଅଛି । ଏଣୁ ରାମଚନ୍ଦ୍ର ଏହି ପରମ୍ପରାକୁ ଅନୁସରଣ କରି ଲଙ୍କାଗମନ ପୂର୍ବରୁ ଏ ସମର ଦେବୀଙ୍କୁ ପୂଜା କରିଥିଲେ ଚୈତ୍ର ଶୁକ୍ଲ ଦଶମୀ ଦିନ ।
ବିଶ୍ୱର ସମସ୍ତ ପ୍ରକାଶ ବିକାଶ ଏବଂ ବିନାଶ ଅନ୍ୟ ଅର୍ଥରେ ସୃଷ୍ଟି, ପାଳନ ଓ ବିନାଶକାର୍ଯ୍ୟ ଏହି ଆଦ୍ୟାଶକ୍ତି ଦ୍ୱାରାହିଁ ସମ୍ଭବ । ସେହି ଏକମାତ୍ର ଏସବୁର କର୍ତ୍ତୀ । ସେ ମା’, ଭଉଣୀ, ସ୍ତ୍ରୀ ଇତ୍ୟାଦି ରୂପରେ ଆମପାଖେ ସଦା ବର୍ତ୍ତମାନ । ଏଣୁ ନାରୀଟିଏ ମଧ୍ୟ ଦେବୀପରି ପୂଜ୍ୟା : ଯତ୍ର ନାର୍ଯ୍ୟାସ୍ତୁ ପୂଜ୍ୟତେ, ତତ୍ର ରମ୍ୟନ୍ତି ସର୍ବ ଦେବତା । ପୁଣି ସେ ସବୁ : ଭୂତାନି ଦୁର୍ଗା, ଭୂବନାନୀ ଦୁର୍ଗା, ସ୍ତ୍ରୀୟୋ ନରଶ୍ଚାଥ ପଶୁଚ ଦୁର୍ଗା, ଯଦ୍ୟଦ୍ଧି ଦୃଶଂ ଖଳୁ ସୈବ ଦୁର୍ଗା, ଦୁର୍ଗା ସ୍ୱରୂପାଦପରଂ ନ କିଚିଂତ୍ । ସେ ସମସ୍ତଙ୍କର ମଙ୍ଗଳ କରନ୍ତୁ । ସମସ୍ତେ ଶାନ୍ତିରେ ରୁହନ୍ତୁ ।
ସର୍ବେ ଭବନ୍ତୁ ସୁଖିନଃ ସର୍ବେସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମାଂ କଶ୍ଚିତ୍ ଦୁଃଖଭାଗ ଭବେତ୍ ।ା
ଅପୁତ୍ରାଃ ପୁତ୍ରିଣଃ ସନ୍ତୁ ପୁତ୍ରିଣଃ ପୌତ୍ରିଣଃ
ଅଧନାଃ ସଧନାଃ ସନ୍ତୁ ଜୀବନ୍ତୁ ଶରଦାଂ ଶତମ୍ ।ା
କାଳେ ବର୍ଷତୁ ପୂର୍ଜନ୍ୟଃ ପୃଥିବୀ ଶସ୍ୟଶାଳିନୀ
ଦେଶୋଽୟଂ କ୍ଷୋଭ ରହିତୋ ବ୍ରାହ୍ମଣାଃ ସନ୍ତୁ ନିର୍ଭୟାଃ ।ା
ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮