ଚୋପ୍ରା ଠାରେ ସାଧନା ଦିବସ ପାଳିତ
ଜଗନ୍ନାଥ ପ୍ରସାଦ : ଶନିବାର: ଦିବ୍ୟ ଜୀବନ ସଂଘ, ଚୋପ୍ରା ଶାଖା ଦ୍ୱାରା ବି.ଡ଼ି.ପୁର ଦିବ୍ୟ ଜିଲ୍ଲା ତରଫରୁ ସଂଗଠକ ଅଶୋକ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗୀତ୍ ଉଦୟ ନାଥ ଆକୁଲ୍ଟାଙ୍କ ସାମ୍ବତ୍ସରିକ ଦିବସ ଉପଲକ୍ଷେ ଓ ଆତ୍ମ କଲ୍ୟାଣାର୍ଥେ ଏକ ଦିବସୀୟ ସ୍ୱତନ୍ତ୍ର ସାଧନା ଦିବସ ଅନୁଷ୍ଠିତ ହୋଇଯାଇଛି । ଆଖପାଖ ଗ୍ରାମମାନଙ୍କରୁ ଶତାଧିକ ସଂଖ୍ୟରେ ଭକ୍ତମାନେ ଆସି ସମବେତ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରାତଃ ସମୟରେ ଜୟଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର, ଜପ, ଧ୍ୟାନ, ଗୁରୁପାଦ ପୂଜା ସହ ଶ୍ରୀସୂକ୍ତମ୍, ଶନିଶ୍ଚର ସ୍ତୋତ୍ରମ୍, ଗୀତା ପାଠ, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଶାନ୍ତିମନ୍ତ୍ର ପାଠ କରାଯାଇଥିଲା । ଦିବ୍ୟ ଜୀବନ ସଂଘ,ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ବି.ଡ଼ି.ପୁର ଦିବ୍ୟ ଜିଲ୍ଲାର ସଂଗଠକ ରାଜେନ୍ଦ୍ର ରଥ, ତୁଳସୀ ପଲ୍ଲୀ ଦିବ୍ୟ ଜୀବନ ସଂଘର ଯୁବ ସଂଗଠକ ମଙ୍ଗରାଜ ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗୁରୁଦେବଙ୍କ ବହୁ ପ୍ରେରଣାତ୍ମକ ବାଣୀ ଉପସ୍ଥାପନ କରି ଉପସ୍ଥିତ ଭକ୍ତମାନଙ୍କର ମନ ଆଧ୍ୟାତ୍ମିକ ଆଡ଼କୁ ଆକୃଷ୍ଟ କରି ପାରିଥିଲେ ।
ଅତିଥି ଭାବେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରି ଆତ୍ମାର ସଦ୍ଗତି ପ୍ରାପ୍ତ୍ୟାର୍ଥେ ଏହିଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରିବାକୁ ପୁରାଣ ପୃଷ୍ଠାରୁ ବହୁ ଦୃଷ୍ଟାନ୍ତ ଦେଇ ବୁଝାଇଥିଲେ । ସ୍ଥାନୀୟ ଯୁବପିଢ଼ୀ ସୁନ୍ଦର ସୁନ୍ଦର ଭାବପୂର୍ଣ୍ଣ ଭଜନ କୀର୍ତ୍ତନ କରିଥିଲେ । ଲେଙ୍କା ବାବୁ, କୈଳାସ ଭାଇ, ମହେନ୍ଦ୍ର ଆକୁଲ୍ଟା ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀମାନଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା ।
ପରିଶେଷରେ ମହେନ୍ଦ୍ର ଭାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମକୁୁ ଉଦ୍ଯାପନ କରିଥିଲେ ।