ଚୋରଗଡିଆ-ତରତରା ରାସ୍ତାରେ ପୋଲ ଓ ଡାଇଭରସନ ରାସ୍ତା ନିର୍ମାଣକୁ ନେଇ ଉତ୍ତେଜନା
ହାଟଡିହି, (ବିକାଶ ବିଶ୍ୱାଳ ) : ଚୋରଗଡିଆ – ତରତରା ରାସ୍ତାର ହାତୀବନ୍ଧା ନିକଟରେ ତିଆରି ଚାଲିଥିବା ପୋଲ ଓ ଡାଇଭରସନ ରାସ୍ତାକୁ ନେଇ ଉତ୍ତେଜନା ଦେଖା ଦେଇଛି । ପୋଲ ନିର୍ମାଣର ଡିଜାଇନ ଠିକ ହୋଇ ନାହିଁ ଓ ଡାଇଭରସନ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏଠାରେ ପୋଲ ନିର୍ମାଣ କରୁଥିବା ଠିକାସଂସ୍ଥା ଡାଇଭରସନ ରାସ୍ତାଟିକୁ ଠିକ ଭାବେ ନିର୍ମାଣ କରିନଥିବାରୁ ସାମାନ୍ୟ ବର୍ଷାରେ ଚାଲିକରି ଯିବା କଷ୍ଟକର ହୋଇ ପଡୁଛି । ଗତକାଲି ଅପରାହ୍ନରେ ସମାନ୍ୟ ବର୍ଷାପରେ ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇଯିବା ସହିତ କିଛି ସାଇକେଲ ଆରୋହୀ ଓ ପଥଚାରୀ ପଡି ଆହତ ହୋଇଥିଲେ ।ଏହାକୁ ନେଇ ଗତକାଲି ସନ୍ଦ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଠିକାସଂସ୍ଥାର କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ପୋଲଟି ରାସ୍ତାଠାରୁ ଅନେକ ଉଚ୍ଚରେ ହୋଇଥିବାରୁ ଏହି ପୋଲ ଦେଇ ସାଇକେଲ କି ବାଇକ ଆରୋହୀଟିଏ ଯିବା କଷ୍ଟକର ହୋଇ ପଡିବ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ସେହିପରି ପୋଲ ମୁଣ୍ଡର ରାସ୍ତାକୁ ଗୋଟିଏ ପଟକୁ ବଢ଼ାଯାଉଥିବାରୁ ରାସ୍ତାଟି ବକ୍ର ଆକାର ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି । ବିଭଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି ।