ଚୋରା ଗଞ୍ଜେଇ ବେପାରୀଙ୍କ ଭୂସ୍ୱର୍ଗ ପାଲଟିଛି କନ୍ଧମାଳ : ଗଞ୍ଜେଇ ମାଫିଆ ଓ ପୋଲିସ ବାବୁଙ୍କ ସଲାସୁତରାରେ ଚାଲିଛି କାରବାର
କନ୍ଧମାଳ, (ସଞ୍ଜୟ ପାଣିଗ୍ରାହୀ): ଚୋରା ଗଞ୍ଜେଇ ବେପାରୀଙ୍କ ଭୂସ୍ୱର୍ଗ ପାଲଟିଥିବା କନ୍ଧମାଳ ଜିଲାର ବିଭିନ୍ନ ଅଂଚଳରେ ବିଭିନ୍ନ ସମୟରେ ଗଞ୍ଜେଇ ମାଫିଆ ମାନଙ୍କ ନିକଟରୁ ଯେତିକି ଗଞ୍ଜେଇ ଜବତ ହୁଏ ସରକାରୀ କାଗଜ ପତ୍ର ଓ ଲୋକ ଲୋଚନକୁ ସେତିକି ହିସାବ ଆସି ନଥାଏ । ଜିଲାର ଫିରିଙ୍ଗିଆ, ବାଲିଗୁଡା, ଗୋଛାପଡା, ଫୁଲବାଣୀ ସଦର, କ.ନୂଆଗାଁ ଓ ସାରଙ୍ଗଡ ଥାନା ଅଂଚଳରୁ ବିଶେଷ ଗଞ୍ଜେଇ ଓ ଗଞ୍ଜେଇ ଚାଷ ଜବତ ହୋଇଥାଏ । ଏହି ଅଂଚଳ ଗୁଡିକ ସାଧାରଣତଃ ମାଓ ପ୍ରବଣ ଅଂଚଳ ହୋଇଥିବାରୁ ପ୍ରତିଦିନ ମାଫିଆ ମାନେ ଖୋଲାରେ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଭର୍ତି କରି ବିଭିନ୍ନ ଯାନ ବାହାନରେ ପାର୍ କରାନ୍ତି । କେତେକ ସ୍ଥାନରେ ଏସବୁ ଘଟଣା ପୋଲିସ ବାବୁଙ୍କ ଜାଣତରେ ହୁଏ । ଯେତେବେଳେ ଉପରୁ କିଛି କଡା ନିର୍ଦ୍ଦେଶ ଆସେ ଜଣେ ଦୁଇଜଣ ଗଞ୍ଜେଇ ମାଫିଅଙ୍କୁ ଧରି ମୁଖ୍ୟ ଆସାମୀ ଙ୍କୁ ଛାଡି ଦିଆଯାଏ । ଏଭଳିକି ଯେଉଁଠାରୁ ଗଞ୍ଜେଇ ଗାଡି ଯିବାର ଖବର ଆସେ ସେହି ସ୍ଥାନରେ ପହଂଚି ମୁଖ୍ୟ ଲୋକଙ୍କୁ ଓ ଅଧିକ ପରିମାଣର ଗଞ୍ଜେଇ ଛାଡି ଦେଇ କିଛି ପରିମାଣର ଜିନିଷ ଓ କିଛି ଲୋକଙ୍କୁ ଧରି ସାବାସି ନିଅନ୍ତି । ସବୁଠାରୁ ଆଶ୍ଚମ୍ବିତ କଥା ହେଲା ପ୍ରତ୍ୟେକ ଥାନାରେ ରହୁଥିବା ଲୋକାଲ ହୋମଗାର୍ଡ ଓ କିଛି କନେଷ୍ଟେବଳ ଚାଷ ଓ ବିକ୍ରୟ ହେବାକୁ ଯାଉଥିବା ଖବର ଜାଣିଥିଲେ ମଧ୍ୟ କିଛିକାଂଶରେ ମାଫିଆ ମାନଙ୍କ ସହ ସାମିଲ ରହି ଥାନା ବଡବାବୁ ମାନଙ୍କ ସହ ସଲାସୁତୁରା କରି ମୋଟା ଆକାରରେ ଅନୁଦାନ ଦେଇ ପାର୍ କରାଇ ଦିଅନ୍ତି । ଗଞ୍ଜେଇ ଚାଷ ଓ ବିକ୍ରୟ ଏରିଆକୁ ଥାନା ବଡବାବୁ ପଦବୀରେ ଯିବା ପାଇଁ କୁଆଡେ ଭୁବନେଶ୍ୱରରୁ ନିର୍ଦ୍ଦେଶ ଆସେ । ହୋମଗାର୍ଡ ମାନଙ୍କୁ କୈାଣସି ଏକ ଥାନାରୁ ଅନ୍ୟ ସ୍ଥାନକୁ ସହଜରେ ବଦଳି ହୁଏନାହିଁ ତେଣୁ ସେମାନେ ସେ ଅଂଚଳରେ କେଉଁଠି ଗଞ୍ଜେଇ ଚାଷ ହୁଏ, କେଉଁମାନେ ଗଞ୍ଜେଇ ବେପାରୀ, କେଉଁ ଗାଡିରେ କେତେବେଳେ ଯିବ ଏହାର ଖବର ରଖିଥାନ୍ତି । ଏ ସମ୍ପର୍କରେ ହୋମଗାର୍ଡ ମାନେ ଥାନା ଅଧିକାରୀ ମାନଙ୍କୁ ତଥ୍ୟ ଦେଇଥାନ୍ତି । ଯେଉଁ ଗଞ୍ଜେଇ ମାଫିଆ ଏପଟ ସେପଟ କଥା କହନ୍ତି, ଭଲ ଚାନ୍ଦା ଦିଅନ୍ତି ନାହିଁ ସେମାନଙ୍କୁ ଧରାଇ ଦିଅନ୍ତି । କେତେକ ହୋମ୍ ଗାର୍ଡ ସିଧା ସଳଖ ଏଥିରେ ସାମିଲ ରହି ବଡ ହାକିମ ମାନଙ୍କୁ ନିଜ ସପକ୍ଷରେ ରଖିବାକୁ ସର୍ବଦା ଚେଷ୍ଟା କରିଥାନ୍ତି । ଯେତେବେଳେ କିଛି ବେପାରୀ ଧରାପଡନ୍ତି ଏହି ହୋମଗାର୍ଡ ଓ କନେଷ୍ଟେବଳ ମାନେ ବାହାଦୂରୀ ଦେଖାଇ ଫଟୋ ଛାପନ୍ତି ଓ ମୋବାଇଲ୍ ରେ ମୁଁ ଧରାଇଦେଲି ବୋଲି ପଦସ୍ଥ ହାକିମ ଓ ନେତା ମାନଙ୍କୁ ଫୋନ୍ କରିଥାନ୍ତି । ନିକଟରେ କୋରାପୁଟ ଜିଲାରେ ଗଞ୍ଜେଇ ଚାଲାଣରେ ଗିରଫ ହୋଇଥିବା ମାଫିଆ ମାନଙ୍କ ମଧ୍ୟରେ ଜଣେ ହୋମଗାର୍ଡ ସମ୍ପୃକ୍ତ ରହିଥିବା ଲୋକ ଲୋଚନକୁ ଆସିଛି । ସେହିଭଳି କନ୍ଧମାଳ ଜିଲାର କ.ନୂଆଗାଁ ଥାନାର କିଛି ପୋଲିସ କର୍ମଚାରୀ ସେହି ଅଂଚଳରେ ଟଙ୍କା ଓ ଗଞ୍ଜେଇ ଛଡାଇବା ବେଳେ ଗ୍ରାମବାସୀ ନିସ୍ତୁକ ପ୍ରହାର କରିଥିବା ଖବର ପ୍ରସାର ହୋଇଥିଲା । ଏଭଳି ଘଟଣା ଜିଲାରେ ଚାଲୁଥିବା ବେଳେ କିଛି ହୋମଗାର୍ଡ ଓ କନେଷ୍ଟେବଲ ନିଜ ନିଜ ଗାଡିରେ ଥାନା ବାବୁ ମାନଙ୍କୁ ନିଜର କରି ଗଞ୍ଜେଇ ଚାଲାଣ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଯଦି ହୋମଗାର୍ଡ ଓ କନଷ୍ଟେବଳ, ଥାନା ଅଧିକାରୀ ଓ ପୋଲିସ୍ କର୍ମଚାରୀ ମାନଙ୍କ ନିକଟରେ ଥିବା ଫୋନ୍ ଗୁଡିକୁ ଅଚାନକ ବିଭିନ୍ନ ସମୟରେ ଆୟକର ବିଭାଗ ଯାଂଚ କରନ୍ତା ବହୁତ କଥା ଲୋକଲୋଚନକୁ ଆସି ପାରନ୍ତା । କନ୍ଧମାଳ ଜିଲା ପୋଲିସ ପ୍ରଶାସନ, ପୋଲିସ ଡି.ଜି. ଏବଂ ଦୁର୍ନୀତି ନିବାରଣ ବିଭାଗ ଏହି ଦିଗ ପ୍ରତି ଦୃଢ଼ ପଦକ୍ଷେପ ନେଲେ ଜିଲାରୁ ଗଞ୍ଜେଇ ଚାଷ ଲୋପ ପାଇପାରିବ ବେଲି ଜିଲାର ସଚେତନ ନାଗରିକ ମାନେ ମତ ଦେଉଛନ୍ତି ।


