ଚୋରା ମଦ ଚାଲାଣ ବେଳେ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଚୋରା ମଦ ବିକ୍ରିକୁ ବନ୍ଦ କରିବା ପାଇଁ ସରକାରଙ୍କ ତରଫରୁ ନାଉଗାଁ ଥାନା ଅଂଚଳରେ ୨ଟି ସରକାରୀ ମଦ ଦୋକାନ ଖୋଲାଯାଇଛି । କିନ୍ତୁ ଉକ୍ତ ମଦ ଦୋକାନ ସରକାରଙ୍କ ଅବକାରୀ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରୁଥିବା ଜଣାଯାଇଛି । ଏହି ସରକାରୀ ମଦ ଦୋକାନରୁ ପ୍ରତ୍ୟେହ ପେଟି ପେଟି ମଦ ଚୋରା ମଦ ଗାଁ ଗହଳିରେ ଥିବା ଚୋରା ମଦ ବେପାରୀଙ୍କୁ ଯୋଗାଇ ଦିଆଯାଉଛି । ଏପରିକି ସରକାରୀ ମଦ ଦୋକାନରେ କାର୍ଯ୍ୟ କରୁଥିବା କର୍ମଚାରୀ ଦିନ ଦ୍ୱିପ୍ରହରରେ ନିଜସ୍ୱ ଗାଡିରେ ମଦ ଚୋରା ବେପାରୀଙ୍କୁ ଯୋଗାଇ ଦେଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବି ଜିଲ୍ଲା ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ପ୍ରଶାସନର ସ୍ଥାଣୁତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପ୍ରତ୍ୟେହ ପେଟି ପେଟି ମଦ ଚୋରା ଚାଲାଣ ହେଉଥିବା ବେଳେ ଲୋକ ଦେଖାଣିଆ ପୋଲିସ କାଁ ଭାଁ ଚୋରା ମଦକୁ ଜବତ କରୁଥିବା ବେଳେ କମ ପରିମାଣର ମଦ ଦେଖାଇ ଥାନାରେ ଜାମିନ ପ୍ରଦାନ କରି ଛାଡି ଦେଉଛନ୍ତି । ଯାହାଫଳରେ ଚୋରା ମଦ କାରବାର ବନ୍ଦ ହେବାର ନାଁ ଧରୁନାହିଁ । ଶୁକ୍ରବାର ନାଉଗାଁରେ ଥିବା ସରକାରୀ ମଦ ଦୋକାନରୁ ୩ ପେଟିରୁ ଉର୍ଦ୍ଧ୍ୱ ମଦ ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପୋଲିସ ଏକ ସ୍କୁଟି ଗାଡିକୁ ଜବତ କରିବା ସହ ଅବିନାଶ ଦାସ ଓ ଦେବାଶିଷ ନାୟକକୁ ଗିରଫ କରିଥିଲା । ୨ ଜଣ ସ୍ଥାନୀୟ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ନିକଟସ୍ଥ ରାସ୍ତା ପାଶ୍ୱର୍ ଦେଇ ଅରଖକୁଦ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଏସଂକ୍ରାନ୍ତରେ ନାଉଗାଁ ଥାନା ଏସଆଇ ବିଭୁତ କୁମାର ବିଶ୍ୱାଳଙ୍କୁ ପଚାରିବାରୁ ଦୁଇ ଚୋରା ମଦ ଚାଲାଣକାରୀଙ୍କ ନାମରେ ୧୩୮/୨୦୨୧ରେ ମାମଲା ରୁଜୁ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି ।


