ଚୋରା ମଦ ଜବତ, ଦୁଇ ଗିରଫ
ବନ୍ତ, (ଚାନ୍ଦିନୀ ମହାନ୍ତି): ମଙ୍ଗଳଵାର ବନ୍ତ ପୋଲିସ ପକ୍ଷରୁ ଦୁଇଟି ସ୍ଥାନରେ ଅବକାରୀ ଚଢ଼ାଉ କରାଯାଇ ଚୋରା ମଦ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ କଟିଣା ସିଜୁଗଢିଆ ଗ୍ରାମର ଦେବାଶିଷ ନାୟକ(୨୭) ଏବଂ ପଳାସଗଢିଆ ଗ୍ରାମର ଶଙ୍କର୍ଷଣ ବାରିକ(୪୬) ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପୋଲିସ ବସନ୍ତିଆ, ଆପଣ୍ଡା, ସିଲନ୍ଦି ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ କଟିଣା ସିଜୁଗଢିଆ ଗ୍ରାମର ଦେବାଶିଷ ନାୟକଙ୍କ ଘର ପଛ ପାଖରେ ଚୋରା ଦେଶୀ ମଦ ବିକ୍ରି ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ୪ ଶହ ଲିଟର ଅବୈଧ ଦେଶୀ ମଦ ଜବତ କରିଥିଲା। ମଦ ବିକ୍ରି ପାଇଁ କୌଣସି ବୈଧ ଲାଇସେନ୍ସ କିମ୍ୱା କାଗଜ ପତ୍ର ଦେଖାଇ ନପାରିବାରୁ ପୋଲିସ ଦେବାଶିଷକୁ ଗିରଫ କରିଥିଲା। ଏନେଇ ଥାନାରେ ୩୦୯/୨୬ରେ ମାମଲା ରୁଜ୍ଜୁ ହୋଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ପୋଲିସ ପଳାସଗଢିଆ ଗ୍ରାମରେ ଅବକାରୀ ଚଢାଉ କରି ୧୦.୮ ଲିଟର ଚୋରା ବିଦେଶୀ ମଦ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଶଙ୍କର୍ଷଣ ବାରିକ(୪୬)ଙ୍କୁ ଗିରଫ କରିଛି । ଏନେଇ ୩୧୦/୨୬ରେ ମାମଲା ରୁଜ୍ଜୁ ହୋଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି।


