ଚୋରା ମଦ ବେପାରିକୁ ଧରି ମହିଳା ପୁଲିସ ଜିମା ଦେଲେବି ପୁଲିସ ରଖିଲାନି

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ସୋସୋ ଗ୍ରାମରେ ଚୋରା ମଦ ବ୍ୟବସାୟ ଯୋଗୁଁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପୁଲିସ ନିରବଦ୍ରଷ୍ଟା ସାଜିବାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି । ଆଜି ମହିଳାମାନେ ଦୁଇଜଣ ଚୋରା ମଦବିକ୍ରେତାଙ୍କୁ ଧରି ପୁଲିସ ଜିମା ଦେଇଥିଲେବି ପୁଲିସ ସେମାନଙ୍କୁ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କର ବୋଲି କହିବାରୁ ମହିଳାଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ପୁଲିସର କାମକୁ ଲୋକମାନେ କରିବାପରେ ଯଦି ପୁଲିସ ଅସହଯୋଗ କରିବେ ତେବେ ଆମେ କାହାକୁ ଜଣାଇବୁ ବୋଲି ମହିଳା ମାନେ କହିଛନ୍ତି । ଖବରରୁ ଜଣାଯାଇଛି ଗାଁର ନଦୀଘାଟ ରାସ୍ତା ମୁଣ୍ଡରେ ଏକ ଦେଶୀମଦ ଦୋକାନ ଖୋଲି ଖୁଲାମଖୁଲା ବ୍ୟବସାୟ କରିବା ଯୋଗୁଁ ଗାଁର ଯୁବପୀଢ଼ି ମାନେ ବିପଥଗାମୀ ହେଉଥିବାବେଳେ ପ୍ରତିଦିନ ଗାଁରେ ଅରାଜକତା ଦେଖା ଦେଇଛି । ଏପରିକି ଏହାଦ୍ୱାରା ମହିଳା ମାନେ ନିର୍ଯ୍ୟାତନାର ଶୀକାର ହେଉଛନ୍ତି । ଏନେଇ ଗ୍ରାମବାସୀମାନେ ବାରମ୍ବାର ପୁଲିସ ଓ ଅବକାରୀ ବିଭାଗକୁ ଜଣାଇଥିଲେ ବି କୌଣସି ସୁଫଳ ମିଳିଲାନି । ଗତ ଦୁଇଦିନ ତଳେ ରାତିରେ ମହିଳାମାନେ ଥାନ ଘେରାଉ କରିଥିବାବେଳେ ପୁଲିସ ପ୍ରତିାୃତି ଦେଇବି କୌଣସି ପଦକ୍ଷେପ ନନେବାରୁ ଗାଁରେ ପୁନର୍ବାର ଚୋରା ମଦ ବିକ୍ରୀ ହୋଇଥିଲା । ଏହାକୁନେଇ ମହିଳାଙ୍କ ମଧ୍ୟରେ ବୈଠକ ବସି ମଦ ବେପାରୀ ମାନଙ୍କୁ ଧରି ପୁଲିସ ଜିମା ଦେବାକୁ ନିଷ୍ପତି ନେଇ ଗ୍ରାମର ଦୁଇ ଚୋରା ମଦବିକ୍ରେତାଙ୍କୁ ଧରି ପୁଲିସ ଜିମା ଦେବାକୁ ନେଇଥିବାବେଳେ ପୁଲିସ ସେମାନଙ୍କୁ ରଖିବାକୁ ମନା କରିବାରୁ ଦୀର୍ଘ ସମୟ ଧରି ମହିଳାମାନେ ଥାନା ସମ୍ମୁଖରେ ଠିଆହୋଇ ଏହାର ପ୍ରତିବାଦ କରିଥିଲେ । ଏନେଇ ସେମାନେ ପୁଲିସ ଡିଜି ଓ ମୁଖ୍ୟ ମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଜଣାଇଥିଲେ । ସରକାର ମୋ ସରକାର ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ସୋସୋ ପୁଲିସର ଏହା କି ପ୍ରକାର ଯୋଜନା ବୋଲି ମହିଳାମାନେ ପ୍ରଶ୍ନ କରିଥିଲେ । ଆଜିର ଏହି ଚଢ଼ାଉରେ ଜାନକୀ ଦେହୁରୀ, ମଧୁସ୍ମିତା ରାଉତ, ବାସନ୍ତୀ ବେହେରା, ଭାବ ସେଠୀ, ସନ୍ଧ୍ୟାରାଣୀ ରାଉତ, ଅନିମା ରାଉତ, ଲକ୍ଷ୍ମୀପ୍ରୀୟା ପତି, ପ୍ରଭାତି ରାଉତ, ରେବତୀ ନନ୍ଦ, ସଶ୍ମିତା ନାୟକ, ସାବିରା ବିବି, ସାମସୁମ ବିବି, ଲଜମାନ ବିବି, ଜଇତୁନ ବିବି, ସନ୍ଧ୍ୟାରାଣୀ ପତି, ରୁପା ବେହେରା, ସନ୍ଧ୍ୟାରାଣୀ ଦୋରା, ସୁନି ସେଠୀ, ମିନତୀ ଦେହୁରୀ, ରେବତୀ ନାହାକଙ୍କ ସମେତ ଶତାଧିକ ମହିଳା ସାମିଲ ହୋଇଥିଲେ । ଥାନା ଆଗ ପଟେ ଓ ଥାନା ପଛପଟେ ମଦ ବିକ୍ରୀ ହେଉଥିବାବେଳେ ପୁଲିସ କୌଣସି ପଦକ୍ଷେପ ନେଉ ନଥିବାରୁ ଆଗାମି ଦିନରେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ